ରହି ହେଉନି

ଭୁବନେଶ୍ୱର, ୨।୧୨ (ବନ୍ଦନା ସେଠୀ): ଦିନକୁ ଦିନ ଅସହ୍ୟ ହେଉଛି ଆବର୍ଜନା ଦୁର୍ଗନ୍ଧ। ବିଗିଡି ଯାଉଛି ସ୍ମାର୍ଟସିଟିର ଜୀବନ। ସୈନିକ ସ୍କୁଲ ନିକଟରେ ଥିବା ବିଏମ୍‌ସିର ଅସ୍ଥାୟୀ ଡମ୍ପିଂୟାର୍ଡ ବା ଟେମ୍ପୋରାରି ଟ୍ରାଞ୍ଜିଟ୍‌ ଷ୍ଟେଶନ (ଟିଟିଏସ୍‌)ରୁ ବାହାରୁଥିବା ଏହି ଦୁର୍ଗନ୍ଧ ଏବେ ସାରା ସହରକୁ ବ୍ୟାପୁଥିବାବେଳେ ନାନାଦି ରୋଗର କାରଣ ସାଜିଛି। ଟିଟିଏସ୍‌ ପାର୍ଶ୍ୱବର୍ତ୍ତୀ ଜନବସତିରେ ଘରେ ଘରେ ଜ୍ୱର, ବାନ୍ତି, ଚର୍ମ ରୋଗ ଦେଖିବାକୁ ମିଳୁଛି। ଏପରିକି ଏସବୁ ଅଞ୍ଚଳରୁ ବିଭିନ୍ନ ସଂକ୍ରାମକ ରୋଗ ରାଜଧାନୀର ଅନ୍ୟ ଅଞ୍ଚଳକୁ ମାଡ଼ୁଥିବାରୁ ଚିନ୍ତା ବଢ଼ିଛି। ବିଶେଷକରି ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ସବୁଠୁ ବଳିଯାଇଛି। ଦିନବେଳା ଯାହା ଯେମିତି ବିତି ଯାଉଛି, ମାତ୍ର ସନ୍ଧ୍ୟା ପରଠାରୁ ସ୍ଥିତି ସଙ୍ଗିନ ହୋଇ ପଡୁଛି। କାରଣ ପ୍ରତିଦିନ ଦିନବେଳା କେମିକାଲ ସ୍ପ୍ରେ କରାଯାଉଛି। ସଫେଇ କର୍ମଚାରୀମାନେ ହାତରେ ବର୍ଜ୍ୟ ପୃଥକୀକରଣ ଏବଂ ଅନ୍ୟ କାମ କରୁଛନ୍ତି। କିନ୍ତୁ ସନ୍ଧ୍ୟା ପରଠାରୁ ଟେରେକ୍ସ ମେଶିନ୍‌ରେ ବର୍ଜ୍ୟ ପ୍ରକ୍ରିୟାକରଣ ଆରମ୍ଭ ହେବାକ୍ଷଣି ଦୁର୍ଗନ୍ଧ ତୀବ୍ର ହେଉଛି। ଦୁର୍ଗନ୍ଧରେ ଆଉ ରହି ହେଉନି। ପେଟକୁ ଭାତ ଯାଉନି କି ଶାନ୍ତିରେ ଶୋଇ ହେଉନି। ପୂର୍ବରୁ ଅସ୍ବାସ୍ଥ୍ୟକର ପରିବେଶ ସହ ଦୁର୍ଗନ୍ଧ ଯୋଗୁ ଟିଟିଏସ୍‌ ନିକଟ ଧୀରିକୁଟି ବସ୍ତି, ମହାବୀର ବସ୍ତି, ପାତ୍ରସାହି ବସ୍ତି ଆଦି ଅଞ୍ଚଳରେ ଚର୍ମରୋଗ ବ୍ୟାପିଥିଲା। ଏବେ ସମ୍ପୃକ୍ତ ଅଞ୍ଚଳରେ ଘରେ ଘରେ ଝାଡ଼ା, ବାନ୍ତି ଏବଂ ଜ୍ୱର ଲାଗି ରହୁଛି। ପିଲାଠାରୁ ବୟସ୍କ ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ସେହିପରି ରଙ୍ଗମାଟିଆ, ଆଚାର୍ଯ୍ୟବିହାର, ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ରସୁଲଗଡ଼ ସମେତ ସହରର ବିଭିନ୍ନ ଅଞ୍ଚଳକୁ ଦୁର୍ଗନ୍ଧ ଯାଉଥିବାରୁ ଲୋକଙ୍କ ମନରେ ରୋଗ ଭୟ ଘାରିଲାଣି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳୁ ନ ଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଓଲଟା ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କୁ ନାଲି ଆଖି ଦେଖାଉଥିବା ସେମାନେ ଅଭିଯୋଗ କରିଛନ୍ତି।

Share