Categories: ଜାତୀୟ

ଶେଷ ନୁହେଁ, ଆରମ୍ଭ ମାତ୍ର: ଅମ୍ରିତ୍‌ପାଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୨୪ା୪: ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ଗିରଫ ହୋଇଥିବା ୨୯ ବର୍ଷୀୟ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମ୍ରିତ୍‌ପାଲ ସିଂଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯାଇଛି। ସେଠାରେ ପୂର୍ବରୁ ତାଙ୍କର ଅନ୍ୟ ୯ ସହଯୋଗୀ ବନ୍ଦୀ ଅଛନ୍ତି। ଅମ୍ରିତ୍‌ପାଲଙ୍କ ଗିରଫଦାରି ପରେ ଅନ୍‌ଲାଇନ୍‌ରେ ଏକ ଭିଡିଓ ଆସିଛି, ଯହିଁରେ ଏହି କଠୋରପନ୍ଥୀ ପ୍ରବଚକ ନିଜ ଆମତ୍ସମର୍ପଣ ସମ୍ପର୍କିତ ଧର୍ମବାଣୀ ଦେଉଥିବା ଦେଖିବାକୁ ମିଳିଛି। ୧୯୮୪ରେ ଅମୃତସରର ସ୍ବର୍ଣ୍ଣମନ୍ଦିରରେ ସେନାର ବିବାଦୀୟ ଅପରେଶନ୍‌ ‘ବ୍ଲୁ ଷ୍ଟାର’ରେ ନିହତ ଭିଣ୍ଡରାନ୍‌ଓ୍ବାଲେଙ୍କ ଫଟୋ ସାମ୍ନାରେ ଅମ୍ରିତ୍‌ପାଲ ବସିଥିବା ଅନ୍ୟ ଏକ କ୍ଲିପ୍‌ରେ ଦେଖାଯାଇଛି।
ଅମ୍ରିତ୍‌ପାଲ ରୋଡେକୁ ଭିଣ୍ଡରନ୍‌ଓ୍ବାଲେଙ୍କ ଜନ୍ମସ୍ଥାନ ଅଭିହିତ କରି ସେଠାରେ ତାଙ୍କ ନିଜ ‘ଦସ୍ତର ବନ୍ଦୀ’ (ପଗଡ଼ି ଭିଡ଼ା ଉତ୍ସବ) ହୋଇଥିବା ପ୍ରକାଶ କରିଛନ୍ତି। ଅମ୍ରିତ୍‌ପାଲ କହିଛନ୍ତି, ସେ ଆମତ୍ସମର୍ପଣ କରିବାକୁ ଯାଉଛନ୍ତି। ତାଙ୍କ ଗିରଫଦାରି ଶେଷ ନୁହେଁ, ଆରମ୍ଭ ମାତ୍ର। ସର୍ବଶକ୍ତିମାନଙ୍କ ଅଦାଲତରେ ସେ ଦୋଷୀ ନୁହନ୍ତି।

ଫେରାର ହେବାକୁ
ବାଟ ନ ଥିଲା: ପୋଲିସ

ଏନେଇ ପୋଲିସ ଆଇଜି ସୁଖଚେନ୍‌ ସିଂ ଗିଲ୍‌ କହିଛନ୍ତି, ଅମ୍ରିତ୍‌ପାଲ ରୋଡେ ଗ୍ରାମରେ ଥିବା ଜଣାପଡ଼ିବା ପରେ ଅମୃତସର ପୋଲିସ ଏବଂ ପଞ୍ଜାବ ପୋଲିସର ଗୋଇନ୍ଦା ଶାଖା ତାଙ୍କୁ ଚାରିପଟୁ ଘେରିଥିଲା। ଗୁରୁଦ୍ୱାରାର ପବିତ୍ରତା ବଜାୟ ରଖିବା ପାଇଁ ଭିତରକୁ ପୋଲିସ ପ୍ରବେଶ କରି ନ ଥିଲା। ଅମ୍ରିତ୍‌ପାଲ ଆଉ ଖସିପାରିବେ ନାହିଁ ବୋଲି ତାଙ୍କ ନିକଟକୁ ଏକ ସନ୍ଦେଶ ପଠାଯାଇଥିଲା।

ଦୀପ ସିଦ୍ଧୁ ଗଢ଼ିଥିଲେ
‘ଓ୍ବାରିସ୍‌ ପଞ୍ଜାବ ଦେ ’

ଉଗ୍ରପନ୍ଥୀ ଜର୍ନେଲ ସିଂଙ୍କ ପୈତୃକ ଗ୍ରାମ ରୋଡେରେ ୨୦୨୨ ସେପ୍ଟେମ୍ବର ୨୯ରେ ଦସ୍ତରବନ୍ଦୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗତବର୍ଷ ଫେବୃୟାରୀରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗାୟକ ତଥା ଅଭିନେତା ଦୀପ ସିଦ୍ଧୁ ଏହି ଗ୍ରାମରେ ‘ଓ୍ବାରିସ୍‌ ପଞ୍ଜାବ ଦେ’ ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ଅମ୍ରିତ୍‌ପାଲ ସିଂ ଏହି ସଂସ୍ଥାର ମୁଖ୍ୟ ଥିଲେ।

Share