ନୂଆଦିଲ୍ଲୀ,୨ା୨: କରୋନା ଭୂତାଣୁ ଓ ଏହାର ମୁକାବିଲା ପାଇଁ ପର୍ଯ୍ୟାୟକ୍ରମେ ଜାରି ଲକ୍ଡାଉନ୍ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାବେଳେ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। କଳକାରଖାନା ବନ୍ଦ ହୋଇଯିବା ଓ ଆର୍ଥିକ ଗତିବିଧିରେ ତାଲା ପଡ଼ିବା ଅବସ୍ଥାରୁ ଅର୍ଥନୀତିର ଅଣ୍ଟା ସଳଖାଇ କ୍ରମାଗତ ତଳକୁ ଖସୁଥିବା ଅଭିବୃଦ୍ଧି ହାରରେ ସ୍ଥିରତା ଆଣିବା ନିଶ୍ଚିତ ପ୍ରାଥମିକତା ହେବା ଆବଶ୍ୟକ। ଏଥିଲାଗି ମହାମାରୀ ପରେ ଆଗତ ପ୍ରଥମ ବଜେଟରେ ସରକାର ସବୁ ବର୍ଗର ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ପ୍ୟାକେଜ୍ ଘୋଷଣା କରିବେ ବୋଲି ଅନେକେ ଆଶା କରିଥିଲେ। କାରଣ ସାଧାରଣ ଲୋକଙ୍କ ପକେଟକୁ ଅର୍ଥାଗମ ହେଲେ ଯାଇ ସେମାନଙ୍କ ବ୍ୟୟ ସାମର୍ଥ୍ୟ ବଢ଼ିବ ଓ ରାଜକୋଷ ସମୃଦ୍ଧ ହେବ। ଏହି ଦୃଷ୍ଟିରୁ ବିଶେଷକରି କୃଷକ, ଟିକସଦାତା, ମଧ୍ୟବିତ୍ତ ଓ ଶ୍ରମିକମାନେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟକୁ ଅପେକ୍ଷା କରିଥିଲେ। ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ଲୋକ ସଭାରେ ଉପସ୍ଥାପନ କରିଥିବା ସାଧାରଣ ବଜେଟରେ ସେମାନଙ୍କ ପାଇଁ କିଛି ନାହିଁ ବୋଲି ଜାଣିବା ପରେ ଅନେକେ ନିରାଶ ହୋଇଛନ୍ତି। ବିପର୍ଯ୍ୟସ୍ତ ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣିବା ପାଇଁ ପ୍ରତିକୂଳ ପରିସ୍ଥିତିରୁ ମୁକୁଳାଇବା ସକାଶେ ଯେଉଁ ପ୍ରତିଷେଧକ ଟିକା ଆବଶ୍ୟକ ତାହା ଏହି ୩୪.୮୩ ଲକ୍ଷ କୋଟି ଟଙ୍କିଆ ବଜେଟରେ ନ ଥିବା ଅନୁଭୂତ ହୋଇଛି। ଏହି ଦୃଷ୍ଟିରୁ ଏଥର କେନ୍ଦ୍ରୀୟ ବଜେଟ କାମକୁ ନୁହେଁ, ବରଂ ନାମମାତ୍ର ଆର୍ଥିକ ବିଲ୍ ବୋଲି ଅନେକେ ମତ ଦେଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା ଏହାକୁ ଏକ ଐତିହାସିକ ବଜେଟ ବୋଲି ନିଜକୁ ସାବାସି ଦେଉଥିବାବେଳେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଫମ୍ପା ଓ ଦିଗହୀନ ଭାବେ ଅଭିହିତ କରିଛନ୍ତି।
ଅର୍ଥମନ୍ତ୍ରୀ ସୀତାରାମନ ସୋମବାର ଲୋକ ସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ବହୁପ୍ରତୀକ୍ଷିତ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଭାବେ ସୀତାରାମନଙ୍କ ଏହା ହେଉଛି ତୃତୀୟ ବଜେଟ। ହଳଦିଆ ଫୁଲପକା ଲାଲରଙ୍ଗର ଶାଢ଼ି ପିନ୍ଧି ସୀତାରାମନ ପୂର୍ବାହ୍ନ ୧୧ଟାରେ ପ୍ରଥମ କାଗଜବିହୀନ ବଜେଟର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଏକ ସ୍ବଦେଶୀ ଟାବ୍ଲେଟରୁ ପ୍ରାୟ ୧ ଘଣ୍ଟା ୫୨ ମିନିଟର ବଜେଟ ପଢ଼ିଥିଲେ, ଯାହାର ସିଧା ପ୍ରସାରଣ ଦୂରଦର୍ଶନ, ରାଜ୍ୟ ସଭା, ଲୋକ ସଭା ଟିଭି ସମେତ ୟୁଟ୍ୟୁବ୍ରେ ହୋଇଥିଲା। କରୋନା ପ୍ରଭାବିତ ଅର୍ଥନୀତିକୁ ବଳ ଦେବା ପାଇଁ ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମି ଉପରେ ସରକାରଙ୍କ ଫୋକସ୍ ରହିଥିଲା। ସେହିପରି ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନରତ ଚାଷୀଙ୍କୁ ଖୁସି କରିବାକୁ ଯାଇ ଅର୍ଥମନ୍ତ୍ରୀ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବଜାୟ ରହିବ ବୋଲି କହିଥିଲେ। କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ କୃଷି ସେସ୍ ଲଗାଇବା, ବ୍ୟକ୍ତିଗତ ଆୟକର ଢାଞ୍ଚାରେ ବଡ଼ ଧରଣର ପରିବର୍ତ୍ତନ ନ ଆଣିବା, ୨ ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନୀରୁ ୧.୭୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ, ଜୀବନ ବୀମା ନିଗମ (ଏଲ୍ଆଇସି) ପାଇଁ ଇନିସିଆଲ୍ ପବ୍ଲିକ୍ ଅଫରିଂ (ଆଇପିଓ)
ଏବଂ ଚଳିତବର୍ଷ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ରାସ୍ତା ଓ ଅନ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ଅର୍ଥ ଆବଣ୍ଟନ ଥିଲା ଏହି ବଜେଟର ମୁଖ୍ୟ ବିନ୍ଦୁ।
ସୀତାରାମନ ମହାମାରୀକୁ ଦୃଷ୍ଟିରେ ରଖି ତିନୋଟି ପର୍ଯ୍ୟାୟରେ ୨୭.୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଆତ୍ମନିର୍ଭର ପ୍ୟାକେଜରେ ସରକାର ଢାଞ୍ଚାଗତ ସଂସ୍କାରକୁ ଗୁରୁତ୍ୱ ଦେଇଛନ୍ତି। ଭାରତରେ ୨ଟି ଭାକ୍ସିନ ଲଞ୍ଚ୍ ହୋଇଥିବାବେଳେ ଶୀଘ୍ର ଆଉ ୨ ଟିକା ଆସିବ ବୋଲି ସେ କହିଛନ୍ତି। ଅତି ଗରିବଙ୍କ ନିକଟରେ ସମ୍ବଳ ପହଞ୍ଚିବା ଉପରେ ଫୋକସ୍ କରାଯାଇଛି। ନିରନ୍ତର ଅଭିବୃଦ୍ଧି ଲାଗି ଅର୍ଥ ବ୍ୟବସ୍ଥାକୁ ସହାୟତା ଦେବାକୁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ସେ ଆତ୍ମନିର୍ଭର ଭାରତ ହେଲ୍ଥ ପ୍ରୋଗ୍ରାମ ପ୍ରସ୍ତାବ ଦେଇଛନ୍ତି। ନ୍ୟାଶନାଲ ହେଲ୍ଥ ମିଶନ ବାଦ୍ ଏଥିରେ ୬୪, ୧୮୦ କୋଟି ଟଙ୍କା ବିନିଯୋଗ କରାଯିବ।
ବଜେଟରେ ମୋଟ ୬ଟି ସ୍ତମ୍ଭକୁ ଫୋକସ୍ କରାଯାଇଛି। ଏହା ମଧ୍ୟରେ ସ୍ବାସ୍ଥ୍ୟ, ଭିତ୍ତିଭୂମି ଏବଂ ଫାଇନାନ୍ସିଆଲ କ୍ୟାପିଟାଲ ଭଳି ପ୍ରସଙ୍ଗ ସ୍ଥାନ ପାଇଛି। ୨୦୨୧-୨୨ରେ କରୋନା ଭାକ୍ସିନ ଲାଗି ସରକାର ୩୫ ହଜାର କୋଟି ଟଙ୍କା ଯୋଗାଇ ଦେବେ। ଆବଶ୍ୟକ ହେଲେ ଏହି ପରିମାଣକୁ ବଢ଼ାଯିବ। ଅର୍ଥମନ୍ତ୍ରୀ ଜଳ ଜୀବନ ମିଶନ ସମ୍ପର୍କରେ ଘୋଷଣା କରିଛନ୍ତି। ୪୩୮୭ ସହରାଞ୍ଚଳ ଲାଗି ୨.୮୭ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ସେହିଭଳି ସ୍ବଚ୍ଛ ଭାରତ ମିଶନ ୨.୦ରେ ଆଗାମୀ ୫ ବର୍ଷରେ ୧.୪୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ। ଉତ୍ପାଦନ ସଂଯୋଗୀ ନିବେଶ (ପିଏଲ୍ଆଇ) ଯୋଜନା ବାଦ୍ ବୟନ ପାର୍କ ଲାଗି ମେଗା ଯୋଜନା ହାତକୁ ନିଆଯିବ। ସରକାର ୨୦ ହଜାର କୋଟି ଟଙ୍କା ବ୍ୟୟବରାଦରେ ଏକ ଡେଭେଲପମେଣ୍ଟ ଫାଇନାନ୍ସ କର୍ପୋରେଶନ ଗଠନ ଲାଗି ନୂଆ ବିଲ୍ ଆଣିବେ। ଚଳିତ ଆର୍ଥତ୍କ ବର୍ଷରୁ ଆଗାମୀ ୫ ବର୍ଷ ଲାଗି ପିଏଲ୍ଆଇ ଯୋଜନାରେ ୧.୯୭ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ। ସମ୍ଭାବ୍ୟ ବ୍ରାଉନ୍ଫିଲ୍ଡ ଭିତ୍ତିଭୂମି ଆସେଟ୍ ଲାଗି ନ୍ୟାଶନାଲ ମନିଟାଇଜେଶନ ପାଇପ୍ଲାଇନ ଆସିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ପୁରୁଣା ଯାନଗୁଡ଼ିକୁ ବଜାରରୁ ହଟାଇବା ଲାଗି ସ୍ବେଚ୍ଛାକୃତ ଭେହିକିଲ ସ୍କ୍ରାପିଂ ପଲିସି ସମ୍ପର୍କରେ ବଜେଟରେ ଘୋଷଣା କରାଯାଇଛି। ବ୍ୟକ୍ତିଗତ ଯାନ ୨୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ହୋଇଥିଲେ ସେଗୁଡ଼ିକର ଫିଟ୍ନେସ୍ ପରୀକ୍ଷା କରାଇବାକୁ ପଡ଼ିବ। ବଜେଟରେ ପୁଞ୍ଜିଖର୍ଚ୍ଚକୁ ବଢ଼ାଯାଇ ୫.୫୪ ଲକ୍ଷ କୋଟି ଟଙ୍କା କରାଯାଇଛି। ଗତ ଆର୍ଥତ୍କ ବର୍ଷରେ ଏହି ପରିମାଣ ୪.୩୯ ଲକ୍ଷ କୋଟି ଟଙ୍କା ଥିଲା। ରେଲଓ୍ବେ ଏହାର ଡେଡିକେଟେଡ୍ ମନିଟାଇଜ କରିବ। ଗେଲ୍ ଇଣ୍ଡିଆ, ଇଣ୍ଡିଆନ ଅଏଲ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମର ପାଇପ୍ଲାଇନ ମଧ୍ୟ ମନିଟାଇଜ କରାଯିବ। ପୁଞ୍ଜି ଖର୍ଚ୍ଚ ଆବଶ୍ୟକତା ମେଣ୍ଟାଇବା ଲାଗି ରାଜ୍ୟ ଏବଂ ସ୍ବୟଂଶାସିତ ସଂସ୍ଥାଗୁଡ଼ିକୁ କେନ୍ଦ୍ର ସରକାର ୨ ଲକ୍ଷ କୋଟି ଟଙ୍କା ଯୋଗାଇବେ। ଭିତ୍ତିଭୂମି ଦୃଢ଼ୀକରଣ ଲାଗି ୨୦୨୨ ମାର୍ଚ୍ଚ ସୁଦ୍ଧା ୮,୫୦୦ କି.ମି.ର ରାଜପଥ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ। ପଶ୍ଚିମବଙ୍ଗ ଲାଗି ୨୫ ହଜାର କୋଟି ଟଙ୍କାର ରାଜପଥ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି ରେଳପଥ ଲାଗି ୧.୧୦ ଲକ୍ଷ କୋଟି ଟଙ୍କାର ରେକର୍ଡ ବ୍ୟୟବରାଦ ହୋଇଛି। ଏହା ମଧ୍ୟରେ ୧.୦୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ସାମିଲ ରହିଛି। କେରଳର ରାଜପଥ ପ୍ରକଳ୍ପ ଲାଗି ୬୫ ହଜାର କୋଟି ଏବଂ ଆସାମ ଲାଗି ୩,୪୦୦ କୋଟି ବ୍ୟୟବରାଦ ହୋଇଛି।
ସୀତାରାମନ କହିଛନ୍ତି, ଗତ ୬ବର୍ଷ ଧରି ଶକ୍ତି କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟା ଜାରି ରହିଛି। ୧୩୮ ଗିଗାଓ୍ବାଟ୍ ଇନ୍ଷ୍ଟାଲ୍ଡ କ୍ଷମତା ସଂଯୋଗ କରାଯାଇଛି। ୨୦୨୩ ଡିସେମ୍ବର ସୁଦ୍ଧା ରେଲଓ୍ବେର ବ୍ରଡ୍ଗେଜ୍ ଟ୍ରାକ୍ ୧୦୦% ବିଦ୍ୟୁତୀକରଣ ନେଇ ଘୋଷଣା କରାଯାଇଛି। ସେହିଭଳି ବିଦ୍ୟୁତ୍ ଉପଭୋକ୍ତାମାନେ ବିଦ୍ୟୁତ୍ ବିତରଣ କମ୍ପାନୀ ଚୟନ କରିବା ନେଇ ଏକ ବ୍ୟବସ୍ଥା ଆସିବ। ସରକାର ଓ ଘରୋଇ ସହଭାଗୀତା (ପିପିପି) ମୋଡ୍ରେ ୭ ବନ୍ଦର ବିକାଶ ଲାଗି ୨ ହଜାର କୋଟି ଟଙ୍କା ବିନିଯୋଗ ହେବ। ସହରାଞ୍ଚଳରେ ସାଧାରଣ ପରିବହନ ବ୍ୟବସ୍ଥାର ଉନ୍ନତୀକରଣ ଲାଗି ୧୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୧୦୦ରୁ ଅଧିକ ସହରରେ ପରିବାରଗୁଡ଼ିକୁ ପାଇପ୍ ଯୋଗେ ଘରୋଇ ଗ୍ୟାସ୍ ଏବଂ ଅଟୋମୋବାଇଲ ଲାଗି ସିଟିଗ୍ୟାସ୍ ସଂଯୋଗ କରାଯିବ। ସବୁଜ ଶକ୍ତି ବ୍ୟବହାର ଦ୍ୱାରା ଆସନ୍ତା ଆର୍ଥତ୍କ ବର୍ଷରୁ ହାଇଡ୍ରୋଜେନ ଏନର୍ଜି ମିଶନ ଶୁଭାରମ୍ଭ ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି।
ଫାଇନାନ୍ସ ପ୍ରଡକ୍ଟ କ୍ଷେତ୍ରରେ ନିବେଶକ ଚାର୍ଟର ଗଠନ ପ୍ରସ୍ତାବ ରହିଛି। ଭାରତରେ ମର୍ଚ୍ଚାଣ୍ଟଶିପ୍ ଆରମ୍ଭ ଲାଗି ସରକାର ସବ୍ସିଡି ସହାୟତା ଦେବେ। ଉଜ୍ଜ୍ୱଳାରେ ଆଉ ୧ କୋଟି ଲୋକଙ୍କୁ ଗ୍ୟାସ୍ ଯୋଗାଣ ନେଇ ଯୋଜନା କରାଯାଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁଞ୍ଜି ଯୋଗାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସରକାର ୨୦ହଜାର କୋଟି ଟଙ୍କା ପ୍ରଦାନ କରିବେ। ଗ୍ୟାସ୍ଭିତ୍ତିକ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଲାଗି ଗ୍ୟାସ୍ ପାଇପ୍ଲାଇନର କମନ କ୍ୟାରିୟର କ୍ୟାପାସିଟି ପାଇଁ ଟ୍ରାନ୍ସଫୋର୍ଟ ସିଷ୍ଟମ୍ ଅପରେଟର ଘୋଷଣା କରାଯାଇଛି। ବୀମା କ୍ଷେତ୍ର ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ସୀମାକୁ ୪୯%ରୁ ୭୪%କୁ ବଢ଼ାଯାଇଛି। ବ୍ୟାଙ୍କଗୁଡ଼ିକର ଚାପଗ୍ରସ୍ତ ସମ୍ପତ୍ତି ପରିଚାଳନା ଲାଗି ଆସେଟ୍ କନ୍ଷ୍ଟ୍ରକଶନ ଏବଂ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ ପ୍ରତିଷ୍ଠା କରାଯିବ।
ସେହିଭଳି ଛୋଟ କମ୍ପାନୀଗୁଡ଼ିକର ପରିଭାଷା ବଦଳିବ। ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲର ଦୃଢ଼ୀକରଣ, ୨୦୨୨ରେ ଏଲ୍ଆଇସି ଲାଗି ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଆଣିବା ଯୋଜନା ରଖାଯାଇଛି। ଭାରତ ପେଟ୍ରୋଲିୟମ ଏୟାର ଇଣ୍ଡିଆ, ଶିପିଂ କର୍ପୋରେଶନ, କଣ୍ଟେନର କର୍ପୋରେଶନର ପୁଞ୍ଜି ପ୍ରତ୍ୟାହାର ଆଗାମୀ ଆର୍ଥତ୍କ ବର୍ଷରେ ସାରିବା ଲାଗି ଯୋଜନା ରହିଛି। ୨୦୨୧-୨୨ ଆର୍ଥତ୍କ ବର୍ଷରେ ସରକାର ୧.୭୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ରଖିଛନ୍ତି। ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଗୋଟିଏ ସାଧାରଣ ବୀମା କମ୍ପାନୀରୁ ଅଂଶଧନ ପ୍ରତ୍ୟାହାର ହେବ। ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଏ ନେଇ ବିଲ୍ ଆସିବ। ୪ ଷ୍ଟ୍ରାଟେଜିକ୍ କ୍ଷେତ୍ରକୁ ଛାଡ଼ିଦେଲେ ଅନ୍ୟ କ୍ଷେତ୍ରର ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକୁ ସରକାର ଘରୋଇକରଣ କରିବେ। ବଜେଟରେ ସୀତାରାମନ ନୂଆ ପୁଞ୍ଜି ପ୍ରତ୍ୟାହାର ନୀତି ଘୋଷଣା କରିଛନ୍ତି। କେଉଁ କମ୍ପାନୀଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ହେବ ସେନେଇ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନୀତି ଆୟୋଗକୁ କୁହାଯାଇଛି।
କୃଷକଙ୍କ ଉନ୍ନତି ଲାଗି ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ସୀତାରାମନ ବଜେଟ ଅଭିଭାଷଣରେ ସୂଚନା ଦେଇଛନ୍ତି। କୃଷକଙ୍କ ଉନ୍ନତୀକରଣ ଲାଗି ଏବେ ସେମାନଙ୍କଠାରୁ ଖାଦ୍ୟଶସ୍ୟ ସଂଗ୍ରହ ବୃଦ୍ଧି କରାଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗୁ ୪୩.୩୬ ଲକ୍ଷ ଗହମ ଚାଷୀ ଲାଭବାନ୍ ହୋଇଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ କୃଷକଙ୍କୁ ଗହମ ଏମ୍ଏସ୍ପି ବାବଦ ୭୫,୧୦୦ କୋଟି ଟଙ୍କା ଦିଆଯାଇଛି। ୨୦୨୧-୨୨ ଲାଗି କୃଷିଋଣ ବାଦବକୁ ୧୬.୫ ଲକ୍ଷ କୋଟି ଟଙ୍କା ଯୋଗାଣ ନେଇ ଲକ୍ଷ୍ୟ ରଖାଯାଇଛି। ଗ୍ରାମୀଣ ଭିତ୍ତିଭୂମିକୁ ପ୍ରାଥମିକତା ଦେଇ ସରକାର ଚଳିତ ଥର ଏଥିରେ ୪୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଅପରେଶନ ଗ୍ରୀନ୍ ଯୋଜନାରେ ୨୨ରୁ ଊର୍ଦ୍ଧ୍ୱ ଫଳ ଏବଂ ପନିପରିବାକୁ ସାମିଲ କରାଯାଇଛି। ଦେଶରେ ୫ ପ୍ରମୁଖ ମତ୍ସ୍ୟ ଉତ୍ପାଦନ ହବ୍ ନିର୍ମାଣ ଲାଗି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
ଇଲେକ୍ଟ୍ରୋନିକ ନ୍ୟାଶନାଲ ମାର୍କେଟ (ଇ-ନାମ୍) ସହ ଦେଶର ୧୦୦୦ ମଣ୍ଡିକୁ ଯୋଡ଼ିବା ନେଇ ଯୋଜନା ରଖାଯାଇଛି। କୃଷି ଉତ୍ପାଦ ବଜାର କମିଟି (ଏପିଏମ୍ସି)ର ଭିତ୍ତିଭୂମି ବିକାଶ ଲାଗି କୃଷି ଭିତ୍ତିଭୂମି ପାଣ୍ଠି ସହାୟକ ହେବ। କୃଷି ଭିତ୍ତିଭୂମି ପାଣ୍ଠିକୁ ୪୦ ହଜାର କୋଟିକୁ ବଢ଼ାଯିବ। ସେହିଭଳି କ୍ଷୁଦ୍ର ଜଳସେଚନ କର୍ପସକୁ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯିବ। ପ୍ଲାଟ୍ଫର୍ମ ଶ୍ରମିକ ଏବଂ ଗିଗ୍ ଓ୍ବାର୍କର୍ସଙ୍କ ଲାଗି ସାମାଜିକ ସୁରକ୍ଷା ବ୍ୟବସ୍ଥା କରାଯିବ। ‘ଓ୍ବାନ୍ ନେଶନ ଓ୍ବାନ୍ ରାଶନ’ କାର୍ଡ ବ୍ୟବସ୍ଥା ବର୍ତ୍ତମାନ ୩୨ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ସେହିଭଳି ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ନିର୍ମାଣ ଏବଂ ବିଲ୍ଡିଂ କ୍ଷେତ୍ର ଶ୍ରମିକ ଓ ଗିଗ୍ ଓ୍ବାର୍କର୍ସଙ୍କ ସୂଚନା ସଂଗ୍ରହ ଲାଗି ସରକାର ଏକ ପୋର୍ଟାଲ ବ୍ୟବସ୍ଥା କରିବେ। ଏନ୍ଜିଓଗୁଡ଼ିକର ସହଭାଗିତାରେ ୧୦୦ ସୈନିକ ସ୍କୁଲ ସ୍ଥାପନ ଏବଂ ନ୍ୟାଶନାଲ ଏଜୁକେଶନ ପଲିସି ଦ୍ୱାରା ୧୫ ହଜାର ସ୍କୁଲ ଦୃଢ଼ୀକରଣ ଲାଗି ପ୍ରସ୍ତାବ ରହିଛି। ଯୁବବର୍ଗଙ୍କୁ ଉତ୍ସାହିତ କରିବା ଲାଗି ଶିକ୍ଷା ନବୀସ ନୀତି ଆଇନରେ ସଂଶୋଧନ ହେବ। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ବିନିଯୋଗରେ ନ୍ୟାଶନାଲ ରିସର୍ଚ୍ଚ ଫାଉଣ୍ଡେଶନ ପ୍ରତିଷ୍ଠା କରାଯିବ।
ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ଲାଗି ସରକାର ବଜେଟରେ ୧୫ ଶହ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ସେହିଭଳି ରାଷ୍ଟ୍ରୀୟ ଅନୁବାଦ ଯୋଜନା ଦିଗରେ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପ୍ରସ୍ତାବ ରହିଛି। ଆଗାମୀ ୫ ବର୍ଷରେ ଗଭୀର ସମୁଦ୍ର ମିଶନ ଲାଗି ସରକାର ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ସେହିଭଳି ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍ଓ୍ବାଇଫେରି କମିଶନ ବିଲ୍ ଆଣିବାକୁ ପ୍ରସ୍ତାବ ଦିଆଯାଇଛି। ଦେଶରେ ପ୍ରଥମକରି ଡିଜିଟାଲ ଜନଗଣନା ସମ୍ପର୍କରେ ଘୋଷଣା କରାଯାଇଛି। ଏଥିରେ ୩,୭୨୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଠିକା କ୍ଷେତ୍ରରେ ରହୁଥିବା ବିଭିନ୍ନ ବିବାଦର ତ୍ୱରିତ ସମାଧାନ ଲାଗି ଏକ ବ୍ୟବସ୍ଥା ଆଣିବାକୁ ମଧ୍ୟ ଯୋଜନା ରଖାଯାଇଛି।
ସୀତାରାମନ ପୁଣି କହିଛନ୍ତି, ମହାମାରୀ ଯୋଗୁ ରାଜସ୍ବ ପ୍ରଭାବିତ ହୋଇଥିବା ବେଳେ ଅଧିକ ଖର୍ଚ୍ଚ ବଢ଼ିଛି। ଗତ ବର୍ଷ ବଜେଟ ଘୋଷଣା ବେଳେ ୩୦.୪୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଥିଲେ ମଧ୍ୟ ବ୍ୟୟ ପରିମାଣ ୩୪.୫୦ ଲକ୍ଷ କୋଟି ଟଙ୍କା ଛୁଇଁଛି। ଚଳିତ ଆର୍ଥତ୍କ ବର୍ଷରେ ବିତ୍ତୀୟ ନିଅଣ୍ଟ ୯.୫% ରହିଛି। ଆସନ୍ତା ଆର୍ଥତ୍କ ବର୍ଷରେ ଏହା ୬.୮% ରହିବା ନେଇ ଆକଳନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷରେ ଆଉ ୨ ମାସର ଖର୍ଚ୍ଚକୁ ମେଣ୍ଟାଇବା ଲାଗି ସରକାର ପ୍ରାୟ ୮୦ ହଜାର କୋଟି ଟଙ୍କା ଋଣ କରିବେ। ଆର୍ଥତ୍କ ବର୍ଷ ୨୦୨୧-୨୨ ପାଇଁ ସରକାର ୧୨ ଲକ୍ଷ କୋଟି ଟଙ୍କା ଋଣ କରିବେ। ମୋଟ ୩୪.୮୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ଯୋଜନା ରହିଛି। ଏହା ମଧ୍ୟରେ ୫.୫୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ସାମିଲ ରହିଛି।
ଆର୍ଥତ୍କ ବର୍ଷ ୨୦୨୫-୨୬ ବେଳକୁ ବିତ୍ତୀୟ ନିଅଣ୍ଟକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪.୫%କୁ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସେହିଭଳି ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ଟିକସର ୪୧% ରାଜ୍ୟ ପାଇବେ। କମିଶନଙ୍କ ପ୍ରସ୍ତାବକୁ ସରକାର ଗ୍ରହଣ କରି ନେଇଛନ୍ତି। ୨୦୧୪ରେ ୩.୩୧ କୋଟି ଟିକସଦାତା ଆୟକର ଦେଇଥିବାବେଳେ ଏହା ୨୦୨୦ରେ ୬.୪୮ କୋଟିକୁ ବଢ଼ିଛି। ସେହିଭଳି ପେନ୍ସନ ପାଉଥିବା ୭୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ଲାଗି ଆୟକର ରିଟର୍ନ ଫାଇଲ ଛାଡ଼ କରାଯାଇଛି। ଟିକସ ମାମଲାଗୁଡିକୁ ପୁଣି ଚାଲୁ କରିବାର ସମୟକୁ ୬ ବର୍ଷରୁ ୩ ବର୍ଷକୁ ହ୍ରାସ କରାଯାଇଛି। ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଆୟର ଟିକସ ମାମଲା କ୍ଷେତ୍ରରେ ୧୦ ବର୍ଷ ପରେ ମାମଲାଗୁଡ଼ିକୁ ରିଓପନ୍ କରାଯିବ। ଆୟକର ଆପିଲେଟ ଟ୍ରିବ୍ୟୁନାଲକୁ ଫେସ୍ଲେସ୍ କରିବା ଲାଗି ସରକାର ପ୍ରସ୍ତାବ ଦେଇଛନ୍ତି। ସେହିଭଳି କେନ୍ଦ୍ର ସ୍ତରରେ ଜାତୀୟ ଆୟକର ଆପିଲେଟ ଟ୍ରିବ୍ୟୁନାଲ ସ୍ଥାପନ କରାଯିବ। ଯେଉଁ କମ୍ପାନୀ ଡିଜିଟାଲ ମୋଡ୍ରେ ଅଧିକାଂଶ କାରବାର କରୁଛନ୍ତି, ସୋମନଙ୍କ ଲାଗି ଟାକ୍ସ ଅଡିଟ୍ର ସୀମା ୧୦ କୋଟିକୁ ବଢ଼ାଯାଇଛି। ଡିଭିଡେଣ୍ଡ୍ ଦେୟ ପ୍ରଦାନ ପରେ ଯାଇ ଡିଭିଡେଣ୍ଡ୍ ଆୟ ଉପରେ ଟିକସ ଲାଗୁ ହେବ। ସୁଲଭ ବାସଗୃହର ସୁଧ ପ୍ରଦାନ କ୍ଷେତ୍ରରେ ୧.୫ ଲକ୍ଷ ଡିଡକ୍ଶନ ସୀମା ଆଉ ବର୍ଷେ ବଢ଼ାଯାଇଛି। ସେହିଭଳି ଷ୍ଟାର୍ଟଅପ୍ଗୁଡ଼ିକ ଲାଗି ୧ ବର୍ଷର ଟିକସ ରିହାତି, ଜିଏସ୍ଟି ଢାଞ୍ଚାରେ ପରିବର୍ତ୍ତନ, କେତେକ ସାମଗ୍ରୀ ଉପରେ ଭିତ୍ତିଭୂମି ସେସ୍ ଲାଗି ପ୍ରସ୍ତାବ ରଖାଯାଇଛି। ପେଟ୍ରୋଲ ଉପରେ ୨.୫ ଟଙ୍କା ଏବଂ ଡିଜେଲ ଉପରେ ୪ ଟଙ୍କାର ଭିତ୍ତିଭୂମି ସେସ୍ ଲାଗୁ କରାଯାଇଛି। ଅନୁରୂପ ଭାବେ ମଦ ଉପରେ ସର୍ବାଧିକ ୧୦୦% କୃଷି ଭିତ୍ତିଭୂମି ସେସ୍ ବସାଯାଇଛି।
ବଜେଟରେ ସଂସ୍କାର ନୀତି
ବଜେଟ ୨୦୨୧-୨୨ରେ ଭାରତର ଆତ୍ମବିଶ୍ୱାସ ପ୍ରତିଫଳିତ ହୋଇଛି। ଏହା ସାରା ବିଶ୍ୱ ପାଇଁ ପ୍ରେରଣା। ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆତ୍ମନିର୍ଭରଶୀଳତା ଓ ଅନ୍ତର୍ଭୂକ୍ତିକରଣ ଦୃଷ୍ଟିକୋଣରୁ ବଜେଟ ଆଗତ କରଯାଇଛି। ଆସନ୍ତା ଦଶନ୍ଧି ପାଇଁ ଏହି ବଜେଟ ଶକ୍ତ ମୂଳଦୁଆ ପକାଇଛି ଏବଂ ଆତ୍ମନିର୍ଭର ଭାରତ ଅଭିମୁଖେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅଭିବୃଦ୍ଧି ଦିଗରେ ସୁଯୋଗର ବିସ୍ତାର, ଜନସମ୍ବଳର ନୂଆ ଅର୍ଥ, ଭିତ୍ତିଭୂମି ବିକାଶ ପାଇଁ ନୂତନ କ୍ଷେତ୍ର,
ଆଧୁନିକୀକରଣ ଓ ନୂଆ ସଂସ୍କାର ନୀତିରେ ବଜେଟ ପ୍ରସ୍ତୁତ ହୋଇଛି। କୃଷି କ୍ଷେତ୍ରକୁ ମଜଭୁତ କରିବା, କୃଷକଙ୍କ ଆୟ ବୃଦ୍ଧି ଉପରେ ଏଥିରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ନିଯୁକ୍ତି ସୁଯୋଗ ଓ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ଦୁଇଗୁଣା ବଜେଟ ପ୍ରସ୍ତୁତ କରାଯାଇଛି।
ଭିତ୍ତିଭୂମି ନିର୍ମାଣରେ ଓଡ଼ିଶାକୁ ଅଣଦେଖା
କେନ୍ଦ୍ର ସରକାର ସୋମବାର ପାର୍ଲାମେଣ୍ଟରେ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଏହା ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ବଜେଟରେ ରାଜ୍ୟର ଭିତ୍ତିଭୂମି ନିର୍ମାଣକୁ ଅଣଦେଖା କରାଯାଇଛି। ରେଳ ଓ ଜାତୀୟ ରାଜପଥ ପାଇଁ ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ ଆବଶ୍ୟକତା ଥିବାବେଳେ ବଜେଟରେ ଅନ୍ୟ ରାଜ୍ୟଉପରେ ଗୁରୁତ୍ୱ ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ ଉପରେ ସେସ୍ ଲଗାଇବା ବ୍ୟବସ୍ଥା ରହିଥିବାରୁ ଏହା କେନ୍ଦ୍ର-ରାଜ୍ୟ ଆର୍ଥିକ ସ୍ଥିତିକୁ ବିଗାଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ଓଡ଼ିଶାର କେନ୍ଦ୍ରୀୟ ଟିକସ ଭାଗ ୧୦,୮୪୦ କୋଟି ଟଙ୍କା ହ୍ରାସ ପାଇବା ଯୋଗୁ ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଏଥିସହିତ ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁସାରେ ଆସନ୍ତା ୫ ବର୍ଷ ପାଇଁ ଭୂସମାନ୍ତର ଅଂଶ ୪.୬୨୯ ପ୍ରତିଶତରୁ ୪.୫୨୮କୁ ହ୍ରାସ ପାଇବ। ଏହା ରାଜ୍ୟ ଉପରେ ଗୁରୁତର ପ୍ରଭାବ ପକାଇବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ଦେବା ନେଇ ବ୍ୟାଙ୍କଗୁଡ଼ିକୁ ଉତ୍ତରଦାୟୀ ରହିବା ପାଇଁ ବଜେଟରେ ବ୍ୟବସ୍ଥା ହେବା ଦରକାର। ଏଥିସହିତ ସାମାଜିକ କ୍ଷେତ୍ର ଏବଂ ସ୍ବାୟତ୍ତଶାସନ ସଂସ୍ଥାଗୁଡ଼ିକ ପାଇଁ ଅଧିକ ପାଣ୍ଠି ଯୋଗାଇ ଦେବାର ଆବଶ୍ୟକତା ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍ ପରବର୍ତ୍ତୀ ସମୟର ଏହା ହେଉଛି ପ୍ରଥମ ବଜେଟ। ନୂତନ ଆହ୍ବାନକୁ ସମ୍ମୁଖୀନ ହେବାକୁ ଏହି ବଜେଟରେ ଅନେକ କିଛି ବ୍ୟବସ୍ଥା କରାଯିବା ଆଶା କରାଯାଉଛି। ଆର୍ଥିକ ଅଭିବୃଦ୍ଧି ପାଇଁ ବଜେଟରେ ପୁଞ୍ଜିନିବେଶ(କ୍ୟାପିଟାଲ ଇନ୍ଭେଷ୍ଟମେଣ୍ଟ) ଉପରେ ଗୁରୁତ୍ୱ ଦିଆଯାଇଛି। ବିକାଶମୂଳକ ଆର୍ଥିକ ସଂସ୍ଥାନଗୁଡ଼ିକୁ ପୁଣିଥରେ ଛିଡ଼ା କରିବାର ପ୍ରୟାସ ହୋଇଛି। ବଜେଟରେ କୋଭିଡ୍ ଟିକାକରଣ ପାଇଁ ଅନୁଦାନର ବ୍ୟବସ୍ଥା ହୋଇଛି। ଶିଳ୍ପ ଏବଂ କ୍ଷେତ୍ରଓ୍ବାରି ବ୍ୟୟବରାଦ କରାଯାଇଛି। ଅଭିବୃଦ୍ଧିକୁ ବଳ ଦେବା ଲାଗି ବିତ୍ତୀୟ ନିଅଣ୍ଟ ସତ୍ତ୍ୱେ ସାହସିକ ପଦକ୍ଷେପ ନିଆଯାଇଛି। ଏହି ବଜେଟରେ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟମ ଓ ଦୀର୍ଘକାଳୀନ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗତବର୍ଷ ଓଡ଼ିଶା ଡିଜିଟାଲ ବଜେଟ ଉପସ୍ଥାପନ କରିଥିଲା। ଚଳିତ ବର୍ଷ ପ୍ରଥମ ଥର ଲାଗି କେନ୍ଦ୍ର ସରକାର ଡିଜିଟାଲ ବଜେଟ ଉପସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ମିଶନ ଶକ୍ତିକୁ ବଜେଟରେ ଅନ୍ତର୍ଭୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।
ରେଳ ଭିତ୍ତିଭୂମି ଲାଗି ୧.୧୦ ଲକ୍ଷ କୋଟି
ସାଧାରଣ ବଜେଟ ୨୦୨୧-୨୨ ରେ ରେଳ ଭିତ୍ତିଭୂମି ଲାଗି ସରକାର ୧.୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏହା ମଧ୍ୟରେ ୧.୦୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ସାମିଲ ରହିଛି। ଆଗାମୀ ଦିନରେ ଦେଶ ମଧ୍ୟରେ ଏକ ଉନ୍ନତ ରେଳ ସିଷ୍ଟମ କାର୍ଯ୍ୟକାରୀ କରାଇବା ଲାଗି ‘ନ୍ୟାଶନାଲ ରେଲ ପ୍ଲାନ୍’ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଛନ୍ତି। ୨୦୨୩ ଶେଷ ସୁଦ୍ଧା ରେଲଓ୍ବେର ବ୍ରଡ୍ଗେଜ୍ ରୁଟ୍କୁ ୧୦୦% ବିଦ୍ୟୁତୀକରଣ କରିବା ଲାଗି ଯୋଜନା ରଖାଯାଇଛି। ୨୦୨୧ ଶେଷ ସୁଦ୍ଧା ବ୍ରଡ୍ ଗେଜ୍ ରୁଟ୍ ବିଦ୍ୟୁତୀକରଣ
୪୬ ହଜାର କି.ମି.ରେ ପହଞ୍ଚିବା ନେଇ ଲକ୍ଷ୍ୟ ରଖାଯାଇଛି। ସେହିଭଳି ଜୁନ୍ ୨୦୨୨ ସୁଦ୍ଧା ଓ୍ବେଷ୍ଟର୍ନ ଡେଡିକେଟେଡ୍ ଫ୍ରେଟ୍ କରିଡର (ଡିଏଫ୍ସି) ଏବଂ ଇଷ୍ଟର୍ନ ଡିଏଫ୍ସି କାର୍ଯ୍ୟକ୍ଷମ କରାଇବାକୁ ଲକ୍ଷ୍ୟ ରଖାଯାଇଛି। ମେକ୍ ଇନ୍ ଇଣ୍ଡିଆକୁ ଧ୍ୟାନରେ ରଖି ଏଭଳି କାର୍ଯ୍ୟକ୍ରମ ସରକାର ହାତକୁ ନେଉଛନ୍ତି।
ବଜେଟରେ ଅନ୍ୟ କେତେକ ନୂଆ ପଦକ୍ଷେପ ସମ୍ପର୍କରେ ପ୍ରସ୍ତାବ ଦିଆଯାଇଛି। ୨୦୨୧-୨୨ରେ ଇଷ୍ଟର୍ନ ଡିଏଫ୍ସିର ସୋନାଗର-ଗୋମୁହ ସେକ୍ସନ(୨୬୩.୭ କି.ମି.) କାର୍ଯ୍ୟ ସରକାରୀ ଏବଂ ଘରୋଇ ସହଭାଗିତା(ପିପିପି)ରେ ହାତକୁ ନିଆଯିବ। ଆଗାମୀ ଦିନରେ ଆସିବାକୁ ଥିବା ଆଉ କିଛି ମାଲ ପରିବହନ କରିଡର ସମ୍ପର୍କରେ ମଧ୍ୟ ବଜେଟରେ ପ୍ରସ୍ତାବ ରଖାଯାଇଛି। ଏହା ମଧ୍ୟରେ ଖଡଗପୁର ଏବଂ ବିଜୟଓ୍ବାଡା ମଧ୍ୟରେ ଇଷ୍ଟକୋଷ୍ଟ କରିଡର, ଭୁସାଭାଲ-ଖଡଗପୁର ଏବଂ ଡାଙ୍କୁଣି ମଧ୍ୟରେ ଇଷ୍ଟ-ଓ୍ବେଷ୍ଟ କରିଡର, ଇଟାର୍ଷୀ-ବିଜୟଓ୍ବାଡା ମଧ୍ୟରେ ନର୍ଥ ସାଉଥ କରିଡର ସାମିଲ ରହିଛି।
ଯାତ୍ରୀ ସୁବିଧା ଲାଗି କେତେକ ପଦକ୍ଷେପ ସମ୍ପର୍କରେ ବଜେଟରେ ଘୋଷଣା କରାଯାଇଛି। ଉନ୍ନତ ଭାବେ ଡିଜାଇନ ହୋଇଥିବା ଭିଷ୍ଟାଡୋମ୍ ଏଲ୍ଏଚ୍ବି କୋଚ୍ ପର୍ଯ୍ୟଟନ ରୁଟ୍ଗୁଡିକରେ ଗଡିବ। ସ୍ବଦେଶୀ ଭାବେ ବିକଶିତ ହୋଇଥିବା ଅଟୋମେଟିକ ଟ୍ରେନ ପ୍ରୋଟେକଶନ ସିଷ୍ଟମ ମଧ୍ୟ ଲାଗୁ କରାଯିବ। ମାନବକୃତ ଭୁଲ୍ ପାଇଁ ହେଉଥିବା ଟ୍ରେନ୍ ଦୁର୍ଘଟଣାକୁ ଏଡାଇବା ଦିଗରେ ଏହା ସହାୟକ ହେବ। ବ୍ୟସ୍ତବହୁଳ ନେଟ୍ଓ୍ବର୍କଗୁଡିକରେ ଏହି ସିଷ୍ଟମକୁ ଲାଗୁ କରାଯିବ ବୋଲି ସୂଚନା ମିଳିଛି।