ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ୧ ଲକ୍ଷ ଜରିମାନା, ୨ ବର୍ଷ ଜେଲ

ରାଞ୍ଚି,୨୩।୭: କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ଲୋକଙ୍କ ଅବହେଳା ଯୋଗୁ ଏହି ସଂକ୍ରମଣ ଦିନକୁ ଦିନ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଝାଡ଼ଖଣ୍ଡ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଣିକି ଲୋକମାନେ ମାସ୍କ ନ ପିନ୍ଧିବା ସହ ନିୟମ ଉଲ୍ଲଂଘନ କଲେ ଭରିବାକୁ ପଡ଼ିବ ଲକ୍ଷାଧିକ ଟଙ୍କାର ଜରିମାନା। ଏନେଇ ଘୋଷଣା କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ସୂଚନାଯୋଗ୍ୟ, ଗୁରୁବାର ଝାଡ଼ଖଣ୍ଡ କ୍ୟାବିନେଟରେ ସଂକ୍ରମଣ ରୋଗ ଆଧ୍ୟାଦେଶ ୨୦୨୦କୁ ମଞ୍ଜୁରୀ ମିଳିଛି। ଏହି ନିୟମ ଦ୍ୱାରା ରାଜ୍ୟରେ ଲୋକଙ୍କ ମନରେ ଭୟ ରହିବା ସହ ନିୟମ ପାଳନ କରି କରୋନା ମୁକାବିଲାରେ ସହଯୋଗ କରିବେ ବୋଲି ରାଜ୍ୟ ସରକାର କହିଛନ୍ତି। ଏହା ସତ୍ତ୍ୱେ ଯଦି ରାଜ୍ୟରେ କୌଣସି ବ୍ୟକ୍ତି ମାସ୍କ ନ ପିନ୍ଧି ବାହାରେ ବୁଲନ୍ତି ଏବଂ ସାମାଜିକ ଦୂରତ୍ୱ ରକ୍ଷା ନ କରିନ୍ତି ତେବେ ସେମାନଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏଥିସହ ନିମୟ ଉଲ୍ଲଂଘନକାରୀଙ୍କୁ ୨ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ। ସୂଚନା ମୁତାବକ ଝାଡ଼ଖଣ୍ଡରେ ବର୍ତ୍ତମାନ ସୁଦ୍ଧା ୬,୭୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣଙ୍କର ମୃତ୍ୟୁ ଘଟିଛି।

Share