ନୂଆଦିଲ୍ଲୀ,୪ା୧୨(ପି.ଟି.): ଏଥର ବିଧାନସଭା ନିର୍ବାଚନରେ ‘ନନ୍ ଅଫ୍ ଦି ଏବଭ୍’ (ନୋଟା) ବିକଳ୍ପକୁ ଖୁବ୍ କମ୍ ଭୋଟର ବାଛିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲଙ୍ଗାନାରେ ନୋଟାକୁ ଯାଇଥିବା ଭୋଟ ହାର ୧ ପ୍ରତିଶତରୁ କମ୍ ହୋଇଥିବାବେଳେ ଛତିଶଗଡ଼ରେ ୧.୨୯ ପ୍ରତିଶତ ଭୋଟର ଏହି ବଟନ୍ ଚିପିଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି। ମଧ୍ୟପ୍ରଦେଶରେ ମୋଟ ୭୭.୧୫ ପ୍ରତିଶତ ମତଦାନ ହୋଇଥିବାବେଳେ ୦.୯୯ ପ୍ରତିଶତ ନୋଟା ବିକଳ୍ପ ବାଛିଥିଲେ। ସେହିପରି ଛତିଶଗଡ଼ରେ ୭୬.୩ ପ୍ରତିଶତ ଭୋଟିଂ ହୋଇଥିବାବେଳେ ନୋଟାକୁ ୧.୨୯ ପ୍ରତିଶତ ଭୋଟ ଯାଇଥିଲା। ତେଲେଙ୍ଗାନାରେ ମୋଟ ୭୧.୧୪ ପ୍ରତିଶତ ମତଦାନ ହୋଇଥିବାବେଳେ ନୋଟାକୁ ୦.୭୪ ପ୍ରତିଶତ ଚୟନ କରିଥିଲେ। ସେହିପରି ରାଜସ୍ଥାନରେ ୭୪.୬୨ ପ୍ରତିଶତ ଭୋଟିଂ ହୋଇଥିବାବେଳେ ନୋଟା ବିକଳ୍ପକୁ ୦.୯୬ ପ୍ରତିଶତ ବାଛିଥିଲେ।