ପରୀକ୍ଷା ପାଇଁ ଖାତା ନିଅଣ୍ଟ

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକରେ ସୋମବାରଠାରୁ ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। କିନ୍ତୁ ଏବେ କଲେଜୁଗଡ଼ିକରେ ଉତ୍ତର ଖାତାର ଅଭାବ ଦେଖାଯାଇଛି। ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଏନେଇ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି, ଏହି ପରୀକ୍ଷା ପରିଚାଳନା ପାଇଁ କିଛି କଲେଜରେ ଉତ୍ତର ଖାତା ଅଭାବ ଥିବା ଆମ ନଜରକୁ ଆସିଛି। ଯେଉଁସବୁ କଲେଜରେ ଉତ୍ତର ଖାତା ନାହିଁ, ସେମାନେ ନିକଟସ୍ଥ କଲେଜଗୁଡ଼ିକୁ ଯୋଗଯୋଗ କରି ଉତ୍ତର ଖାତା ଆଣନ୍ତୁ। ନିଜ ଭିତରେ ସମସ୍ତେ ସହଯୋଗ କରି ପରୀକ୍ଷା ପରିଚାଳନା କରିବାକୁ ଅଧ୍ୟକ୍ଷମାନଙ୍କୁ ପରୀକ୍ଷା ନିୟନ୍ତ୍ରକ ଅନୁରୋଧ କରିଛନ୍ତି। ତେବେ ଆସନ୍ତା ୨୮ ତାରିଖ ଅର୍ଥାତ୍‌ ବୁଧବାର ପରଠାରୁ କଲେଜଗୁଡ଼ିକରେ ଉତ୍ତର ଖାତା ପହଞ୍ଚତ୍ୟିବ। ଯଦି କୌଣସି କଲେଜ ଉତ୍ତର ଖାତା ବ୍ୟବସ୍ଥା କରି ନ ପାରନ୍ତି, ତେବେ ତୁରନ୍ତ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଜଣାଇବାକୁ ମଧ୍ୟ କୁହାଯାଇଛି। ସେପଟେ ବିଶ୍ୱବିଦ୍ୟାଳୟର ଉତ୍ତର ଖାତା ସଙ୍କଟ ନେଇ ଏଭଳି ଚିଠି ପାଇଁ ଶିକ୍ଷାବିତ୍‌ମାନେ ନିନ୍ଦା କରିଛନ୍ତି। ଶିକ୍ଷାବିତଙ୍କ କହିବାନୁସାରେ, ଛାତ୍ରୀଛାତ୍ର ପରୀକ୍ଷା ଫି’ ଦେଉଛନ୍ତି, ଯେଉଁଥିରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପ୍ରସ୍ତୁତ କରାଯାଏ। ତେଣୁ ଉତ୍ତର ଖାତା ନିଅଣ୍ଟ ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ରହିବେ।

Share