ଗାଁରେ ନୋଟ୍‌ଛପା କେନ୍ଦ୍ର

ବଲାଙ୍ଗୀର ଜିଲା ଦେଓଗାଁ ଥାନା ବୁଢ଼ାବାହାଲ ଗାଁରେ ଠାବ ହୋଇଛି ଜାଲ୍‌ନୋଟ ଛପା କେନ୍ଦ୍ର। ୫୦୦ଟଙ୍କିଆ ଜାଲ୍‌ନୋଟ ଛପାଯାଇ ବଜାରକୁ ଛଡ଼ାଯାଉଥିବା ଘଟଣା ଏବେ ଧରାପଡ଼ିଛି। ଏକ ୨୪ ପ୍ରହର ନାମଯଜ୍ଞରେ ଗାୟକ ଏବଂ ବାୟକଙ୍କୁ ଜାଲ ନୋଟ ଉପହାର ଦେଇ ଧରାପଡ଼ିଛନ୍ତି ୨ ଅଭିଯୁକ୍ତ। ଏଥିସହିତ ଏହି କାରବାରରେ ବ୍ୟବହୃତ ହେଉଥିବା କମ୍ପ୍ୟୁଟର, ପ୍ରିଣ୍ଟର, ପେପର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ପୋଲିସ ଜବତ କରିଛି।

ପାଟଣାଗଡ଼, ୨୮ା୩ (ସଚ୍ଚିଦାନନ୍ଦ ମହାକୁର)ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ପୋଲିସ ଜାଲ୍‌ନୋଟ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପାଟଣାଗଡ଼ ଥାନା ଭଇଁଷା ଗାଁର ବରୁଣ ପନୁଆଁ ଓ ଦେଓଗାଁ ଥାନା ବନ୍ଦପଡ଼ା ଫାଣ୍ଡି ବୁଢ଼ାବାହାଲ ଗାଁର ରୋହିତ ବସ୍ତିଆ। ରୋହିତ ତାଙ୍କ ବୁଡାବାହାଲସ୍ଥିତ ବାସଭବନରେ ଜାଲ୍‌ନୋଟ ଛାପୁଥିଲେ ବୋଲି ବୁଧବାର ପାଟଣାଗଡ଼ ଥାନାରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସଦାନନ୍ଦ ପୂଜାରୀ ସୂଚନା ଦେଇଛନ୍ତି।
ପୂଜାରୀଙ୍କ ସୂଚନା ଅନୁସାରେ, ଗତ ୨୨ ତାରିଖରେ ଭଇଁଷା ଗାଁରେ ଚାଲିଥିବା ୨୪ ପ୍ରହର ନାମଯଜ୍ଞରେ କୀର୍ତ୍ତନ ଦଳର ଗାୟକ ଓ ବାୟକଙ୍କୁ ବରୁଣ ୨ଟି ୫ଶହ ଟଙ୍କିଆ ନୋଟ ଉପହାର ସ୍ବରୂପ ଦେଇଥିଲେ। କାର୍ଯ୍ୟକ୍ରମ ପରେ ଉଭୟ ଗାୟକ ଏବଂ ବାୟକ ଉପହାରରେ ପାଇଥିବା ନୋଟକୁ ଗଣତି କରିଥିଲେ। ତେବେ ଉଭୟଙ୍କ ପାଖରେ ଗୋଟିଏ ଲେଖାଏ ନକଲି ୫ଶହ ଟଙ୍କିଆ ନୋଟ ଥିବା ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ଏହି ଘଟଣାକୁ ସେମାନେ ଲୋକଲୋଚନକୁ ଆଣିଥିଲେ। ତେବେ ନକଲି ନୋଟ ଦୁଇଟି ସେମାନଙ୍କୁ ନାମଯଜ୍ଞ ସମୟରେ କିଏ ଦେଇଛି ସେନେଇ ଭିଡିଓ ଶୁଟିଂ କରୁଥିବା ଫଟୋଗ୍ରାଫରଙ୍କ ସହାୟତା ନିଆଯାଇଥିଲା। ଭିଡିଓରୁ ଉକ୍ତ ନୋଟ ଭଇଁଷା ଗ୍ରାମର ବରୁଣ ସେମାନଙ୍କୁ ଦେଇଥିବା ଜଣାପଡ଼ିଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଭଇଁଷା ପଞ୍ଚାୟତର ସରପଞ୍ଚ ଜ୍ଞାନେନ୍ଦ୍ର ପଟେଲ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ବରୁଣଙ୍କୁ ଭଇଁଷାସ୍ଥିତ ତାଙ୍କ ଭଡାଘରୁ ଗିରଫ କରି ଥାନାକୁ ଆଣିଥିଲା। ସେଠାରୁ ୨୭୪ଟି ନକଲି ୫ଶହ ଟଙ୍କିଆ ନୋଟ (୧ ଲକ୍ଷ ୩୭ ହଜାର) ଜବତ କରାଯାଇଥିଲା। ଅଧିକ ପଚରାଉଚରା ପରେ ଏହି କାରବାରରେ ଦେଓଗାଁ ଥାନା ବୁଢ଼ାବାହାଲର ରୋହିତ ବସ୍ତିଆଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ଚଢ଼ାଉ କରି ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଥାନା ଅଧୀନ ଟେପ୍ରେନ ଗାଁରୁ ରୋହିତଙ୍କୁ ଗିରଫ କରିଥିଲା। ରୋହିତଙ୍କ ବୁଢ଼ାବାହାଲସ୍ଥିତ ଘରେ ଚଢ଼ାଉ ପରେ ଏକ କମ୍ପ୍ୟୁଟର, କଲରପ୍ରିଣ୍ଟର, ପେପର ଏବଂ ଜାଲ୍‌ନୋଟ ପ୍ରସ୍ତୁତିରେ ବ୍ୟବହୃତ ରଙ୍ଗ ଜବତ କରାଯାଇଥିଲା। ଏ ନେଇ ଦଫା ୪୮୯(ବି), ୪୮୯(ସି)ରେ ଏକ ମାମଲା(ନଂ.୧୦୬/୨୪) ରୁଜୁ କରାଯାଇ ବୁଧବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ତାରାବତୀ ପଧାନ କହିଛନ୍ତି। ଉଭୟ ଅଭିଯୁକ୍ତ ଏହି ଜାଲ୍‌ନୋଟ କାରବାର କେବେଠାରୁ କରୁଛନ୍ତି, ଅନ୍ୟ କେଉଁଠି ଏହାକୁ ବ୍ୟବହାର କରିଛନ୍ତି, ସେ ସମ୍ପର୍କରେ ଅଧିକ ଖୋଳତାଡ଼ ପାଇଁ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ବୋଲି ଶୁଣିବାକୁ ମିଳୁଛି।

Share