ପଦ୍ମପୁର,୧ା୧୧(ଡି.ଏନ୍.ଏ.): ଉଦ୍ରକ ଜିଲାରେ ନକଲି ଜର୍ଦ୍ଦା, ନକଲି ମସଲା , ନକଲି ବିଶାକ୍ତ ମଦର ବ୍ୟାପକ କାରବାର ପୋଲିସର ନିଦ ହଜାଇ ଦେଇଥିବା ବେଳେ ନକଲି ନୋଟ୍ ଜବତ ଘଟଣା ପୋଲିସ ମୁଣ୍ଡବିନ୍ଧାର କାରଣ ସାଜିଛି । ବାସୁଦେବପୁର ଅଞ୍ଚଳ ଗୁଆଗତିଆ ଓ ବାଲେଶ୍ୱର ଜିଲା ସୋର ଥାନା ଅଞ୍ଚଳର ଦୁଇ ବ୍ୟକ୍ତିଙ୍କୁ ୧୦ଲକ୍ଷ ଟଙ୍କା ବଦଳରେ ୨୦ ଲକ୍ଷ ଟଙ୍କା ଦେବାକୁ କହି ଫସିଛନ୍ତି ଜାଲ ନୋଟ୍ କାରବାରରେ ସଂପୃକ୍ତ ଦୁଇ ଜଣ ଅପରାଧୀ।
ବାସୁଦେବପୁର ପୋଲିସର ଯୋଜନାନୁଯାୟୀ, ଶନିବାର ସନ୍ଧ୍ୟାରେ ନେଣଦେଣ ପାଇଁ ବେପାରୀମାନେ ଭଦ୍ରକ ନଳାଙ୍ଗକୁ ଆସିବାକୁ ନୀରଦ ଦାଶ ନାମ ଜଣେ ବ୍ୟକ୍ତିଙ୍କୁ କହିଥିଲେ। ଘଟଣାସ୍ଥଳରେ ପୂର୍ବ ଯୋଜନା ଅନୁଯାୟୀ ବାସୁଦେବପୁର ଥାନାଧିକାରୀ ପ୍ରଦୀପ କୁମାର ମାଝି, ଏଏସଆଇ ଚିତ୍ତରଞ୍ଜନ ଦାସ ପ୍ରମୁଖ ସଦଳ ବଳେ ଛକି ବସିଥିଲେ। ଅପରାଧୀମାନେ କାର୍ରୁ ଟଙ୍କା କାଢ଼ି ଦେଖାଉଥିବା ବେଳେ ପୋଲିସ କାବୁ କରିଥିଲା। ଅଭିଯୁକ୍ତମାନଙ୍କଠାରୁ ୪୧୨ ଖଣ୍ଡ ନକଲି ଶହେ ଟଙ୍କିଆ, ଅସଲି ୭୦ ହଜାର ଟଙ୍କା ଜାଲ ନମ୍ବର ଥିବା ଏକ ସୁଇପ୍ଟ ଡିଜାୟର କାର୍ ଜବତ କରାଯାଇଛି । ଅଭିଯୁକ୍ତ ପ୍ରିୟ ରଞ୍ଜନ ନାୟକ (କଟକର ମାହାଙ୍ଗା), ବିଜୟ କୁମାର ଦାସ (କେନ୍ଦ୍ରାପଡ଼ାର ଡେରାବିଶ)ଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ ଥାନା କେସ୍ ନମ୍ବର ୨୮୫/୨୦ ବଳରେ ମାମଲା ରୁଜୁ କରିଛି।