ଭାଜପାକୁ ଆଉ ଏକ ଝଟ୍‌କା: ଦଳ ଛାଡ଼ିଲେ ସୁକାନ୍ତ

ବରଗଡ଼ ଅଫିସ୍‌,୨୫।୧- ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ସୋମବାର ୨ ଜାତୀୟ ଦଳ ଭାଜପା, କଂଗ୍ରେସ ପ୍ରାର୍ଥିନୀ ଅମ୍ବାଭୋନା ବ୍ଲକ ଜୋନ-୨ରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ଏହାପରେ ଏହି ଆସନରୁ ବିଜେଡ଼ି ପ୍ରାର୍ଥିନୀ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇ ଯାଇଛି । ଅନ୍ୟପଟେ ମଙ୍ଗଳବାର ଭାଜପାର ପୂର୍ବତନ ଜିଲା ସଭାପତି ସୁକାନ୍ତ ଦାଶ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଭାଜପା ପାଇଁ ଆଉ ଏକ ଶକ୍ତ ଝଟ୍‌କା ଭଳି ହୋଇଛି । ସୁକାନ୍ତ ପୂର୍ବରୁ ଦୁଇଥର ଭାଜପାର ଜିଲା ସଭାପତି ଭାବେ କାର୍ଯ୍ୟ କରିଥିଲେ । ଏହା ସହିତ ଦଳର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ, ସ୍ଥାନୀୟ ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ ନିର୍ବାହ କରି ସାରିଛନ୍ତି । ତେବେ ଜିଲାରେ ଦଳର ସାମ୍ପ୍ରତିକ ବ୍ୟବହାରିକ ରାଜନୀତିରେ ଅତିଷ୍ଠ ହୋଇ ସେ ଇସ୍ତଫା ଦେଇଥିବା ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ଇସ୍ତଫା ପତ୍ରକୁ ଦଳର ରାଜ୍ୟ ସଭାପତିଙ୍କ ନିକଟକୁ ସେ ପଠାଇ ଦେଇଛନ୍ତି । ତେବେ ସୋମବାର ଦଳୀୟ ପ୍ରାର୍ଥିନୀ ଏବଂ ଏହାର ଦିନକ ପରେ ମଙ୍ଗଳବାର ପୂର୍ବତନ ଦଳୀୟ ଜିଲା ସଭାପତିଙ୍କ ଇସ୍ତଫାରୁ ଭାଜପାର ନେତୃତ୍ୱ ଏବଂ ଚଳିତ ପଞ୍ଚାୟତ ଭୋଟରେ ଦଳ କେଉଁ ଦିଗକୁ ମୁହାଁଉଛି, ସେ ନେଇ ସାଧାରଣରେ ଆଲୋଚନା ହେଉଛି।

Share