Categories: ଜାତୀୟ

କହିବାର ସ୍ବାଧିନତା ରହିଛି ବୋଲି ମନ ଇଛା କିଛି କହି ହେବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୧୩।୧୨ : ବମ୍ବେ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି ବୋଲି ଏହାର ଯଥାର୍ଥ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଏହାର ପରିଣାମ ବିପଦଜନକ ହୋଇପାରେ। କହିବାର ସ୍ବାଧିନତା ରହିଛି ବୋଲି ମନ ଇଛା କିଛି କହି ହେବ ନାହିଁ।

ଜଷ୍ଟିସ ମିଲିନ୍ଦ ଯାଦବଙ୍କ ଏକକ ବେଞ୍ଚ ଅଟୋମୋବାଇଲ ଉପାଦାନ ଉତ୍ପାଦନକାରୀ କମ୍ପାନୀ ‘ହିତାଚି ଏଷ୍ଟେମୋ ଏଫ’ର ଜଣେ କର୍ମଚାରୀଙ୍କ ସେବା ବନ୍ଦ କରିବାର ଆଦେଶକୁ ସମର୍ଥନ କରିଛନ୍ତି।

ପ୍ରକୃତରେ, କର୍ମଚାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ କମ୍ପାନୀ ବିରୁଦ୍ଧରେ ଦୁଇଟି ଉତ୍ତେଜନା ସୃଷ୍ଟିକାରୀ ବିଭ୍ରାନ୍ତଜନକ ପୋଷ୍ଟ କରିଥିଲେ, ଯାହା ପରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ଏହା ପରେ କର୍ମଚାରୀ ଶ୍ରମ କୋର୍ଟ ନିକଟକୁ ଯାଇଥିଲେ। ଶ୍ରମ କୋର୍ଟ ତାଙ୍କ ବହିଷ୍କାର ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବମ୍ବେ ହାଇକୋର୍ଟରେ କମ୍ପାନୀ ପକ୍ଷରୁ ଏହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା।

ଜଷ୍ଟିସ ଯାଦବ କହିଛନ୍ତି ଏହି ପୋଷ୍ଟଗୁଡିକ କମ୍ପାନୀ ବିରୁଦ୍ଧରେ ଘୃଣା ସୃଷ୍ଟି କରିବା ଏବଂ ଲୋକଙ୍କୁ ଉସୁକାଇବା କରିବାର ସ୍ପଷ୍ଟ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା। ଏହିପରି କାର୍ଯ୍ୟ ବିରୁଦ୍ଧରେ ଏକ ଦୃଢ଼ ବାର୍ତ୍ତା ଦେବାର ଆବଶ୍ୟକତା ରହିଛି।

ବେଞ୍ଚ କହିଛନ୍ତି ଏଭଳି କାର୍ଯ୍ୟକଳାପ ବନ୍ଦ କରାଯିବା ଉଚିତ। ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ବାଧୀନତାକୁ ଯଥାର୍ଥ ସୀମା ଅତିକ୍ରମ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଯଦି ଏହାକୁ ଅନୁମତି ଦିଆଯାଏ, ତେବେ ଏହା ବିପଜ୍ଜନକ ପରିଣାମ ଦେଇପାରେ ।

ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେକୌଣସି ପରିସ୍ଥିତିରେ ଏଭଳି ଘଟଣା ଘଟିବା ପର୍ଯ୍ୟନ୍ତ ଜଣେ ଅପେକ୍ଷା କରିପାରିବ ନାହିଁ ଏବଂ ଅପେକ୍ଷା କରିବା ଉଚିତ ନୁହେଁ। ପ୍ରଥମରୁ ଏପରି କାର୍ଯ୍ୟ ବନ୍ଦ କରିବାର ଆବଶ୍ୟକତା ରହିଛି।

 

Share