ବିଶେଷ କିଛି ହେବ ନାହିଁ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଛନ୍ତି। ଜୋ ବାଇଡେନ୍‌ ଆମେରିକାର ରାଷ୍ଟ୍ରପତି ହେବା ପରେ ମୋଦିଙ୍କର ଏହା ଦ୍ୱିତୀୟ ଗସ୍ତ। ଅପରପକ୍ଷେ ମୋଦି କ୍ଷମତାକୁ ଆସିବା ପରେ ଏହା ତାଙ୍କର ୮ମ ଆମେରିକା ଗସ୍ତ। ସେ ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବେ ଓ ଭାରତୀୟ ସମୁଦାୟଙ୍କୁ ବି ଉଦ୍‌ବୋଧନ ଦେବେ। ଏହି ଗସ୍ତ ବାଣିଜ୍ୟ, ଜ୍ଞାନକୌଶଳ ଓ ସାମରିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବ ବୋଲି କୁହାଯାଉଛି। ତେବେ ସାମ୍ପ୍ରତିକ ଭୂରାଜନୈତିକ ସ୍ଥିତିକୁ ଲକ୍ଷ୍ୟକଲେ ମୋଦିଙ୍କର ଏବକାର ଗସ୍ତ ପଛରେ ଆଉ କିଛି କାରଣ ଥିବା ମନେହୁଏ। ପ୍ରଥମରେ ଏବକାର ସ୍ଥିତିକୁ ଦେଖିଲେ ଚାଇନାର ଆର୍ଥିକ ଓ ସାମରିକ ପ୍ରଭାବକୁ ଆମେରିକା ଅଟକାଇବା ପାଇଁ ଲାଗିପଡ଼ିଛି ଓ ଏଥିପାଇଁ ଭାରତକୁ ତା’ର ସହଯୋଗୀ ଭାବେ ନେବାକୁ ଚେଷ୍ଟା ଜାରି ରଖିଛି। ଭାରତ ଆମେରିକାରୁ ଅଧିକ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଛି। ସାମରିକ କ୍ଷେତ୍ରକୁ ବିଚାରକୁ ନେଲେ ଏବେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନା ଓ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଥିପାଇଁ ଆମେରିକା ଭାରତ ଉପରେ ଗୁରୁତ୍ୱ ଦେବା ବୁଝିହେଉଛି। ଅନ୍ୟପକ୍ଷରେ ଲଦାଖ ଅଞ୍ଚଳରେ ଚାଇନାର ବିସ୍ତାରବାଦୀ ଆଭିମୁଖ୍ୟକୁ ଭାରତ ସମ୍ମୁଖୀନ ହେବା ପାଇଁ ଆମେରିକାର ସହଯୋଗ ଆଶା କରୁଛି, କିନ୍ତୁ ବାଇଡେନ ଏହି ସଂଘର୍ଷ ସମ୍ପର୍କରେ ଏଯାବତ ମୁହଁ ଖୋଲିନାହାନ୍ତି। ସାମରିକ ମେଣ୍ଟ ଦୃଷ୍ଟିକୋଣରୁ ଦେଖିଲେ କ୍ୱାଡ୍‌ ମେଣ୍ଟରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହ ଭାରତ ସାମିଲ ହୋଇଛି ଏବଂ ଆମେରିକା ସହିତ ଅଧିକ ଯୁଦ୍ଧାଭ୍ୟାସ କରିସାରିଛି। କିନ୍ତୁ ଭାରତ ସହ ରଣନୀତିକ ସମ୍ପର୍କ ଦୃଢ କରିବାରେ ଆମେରିକାର ଉକ୍ତ ପ୍ରୟାସ ଭାରତକୁ ନିରାଶ କରିବ ବୋଲି ବହୁ ପର୍ଯ୍ୟବେକ୍ଷକ ବିଶ୍ୱାସ କରୁଛନ୍ତି। ଆମେରିକାର ଦୋଧାରିଆ ନୀତି ଯୋଗୁ ଭାରତ କେବେ ତା’ର ଏକ ଭଲ ବନ୍ଧୁ ହୋଇପାରିବ ନାହିଁ ବୋଲି ଏହି ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି। ପାକିସ୍ତାନ କ୍ଷେତ୍ରରେ ଏଭଳି ନୀତି ମଧ୍ୟ ସ୍ପଷ୍ଟ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ସନ୍ତ୍ରାସବାଦ କାର୍ଯ୍ୟକଳାପ ଯୋଗୁ ପାକିସ୍ତାନ ଉପରେ କଟକଣା ଲଗାଇଥିଲେ। କିନ୍ତୁ ବାଇଡେନ ପ୍ରଶାସନ ତାହା ଦୂରକରି ପାକିସ୍ତାନର ଋଣ ଖିଲାପୀ କେତେକାଂଶରେ ଦୂର କରିବା ସହ ତାଙ୍କୁ ଏଫ୍‌-୧୬ ଯୁଦ୍ଧ ବିମାନର ଅତ୍ୟାଧୁନିକୀକରଣ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। ଏଣୁ ପାକିସ୍ତାନ ହେଉ କି ଚାଇନା, ଏମାନଙ୍କ ସହ ଯୁଦ୍ଧ ପରିସ୍ଥିତି ଉପୁଜିଲେ ଆମେରିକାର ସାହାଯ୍ୟ ଭାରତ ପାଇବା ଆଶା କ୍ଷୀଣ।
ସବୁଠୁ ବଡ଼ କଥା ହେଉଛି ଭାରତର ପାରମ୍ପରିକ ବନ୍ଧୁ ଭାବେ ରୁଷିଆ ବେଶ୍‌ ଜଣାଶୁଣା। କିନ୍ତୁ ରୁଷିଆ ସହ ଭାରତର ସମ୍ପର୍କ ନିକଟ ଅତୀତରୁ ବିପରୀତ ଦିଗରେ ଗତି କରୁଥିବା ମନେହେଉଛି। ରୁଷିଆ ସହିତ ସମ୍ପର୍କକୁ ପ୍ରତିରକ୍ଷା ଓ ଶକ୍ତି ମଧ୍ୟରେ ସୀମିତ ରଖି ଆମେରିକା ସହ ଭାରତ ହୁଏତ ଏକ ବହୁମୁଖୀ ବ୍ୟବସାୟିକ ଢାଞ୍ଚା ଗଢିବାକୁ ଚେଷ୍ଟା କରୁଛି। ତେବେ ଆମେରିକା ସହିତ ବାଣିଜ୍ୟ ବେପାରର ସମ୍ପର୍କ କେବେହେଲେ ଭାରତ ପାଇଁ ପ୍ରତିରକ୍ଷା ଦିଗରେ ସହାୟକ ହେବ ନାହିଁ। ଏହା ଆଜିର କଥା ନୁହେଁ, ଅର୍ଦ୍ଧଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି ଏହି ବିଷୟରେ ଭାରତୀୟମାନେ ସଜାଗ ଅଛନ୍ତି। ଆଜିର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଭାରତ ତାହାର ଗୋଷ୍ଠୀ ନିରପେକ୍ଷ ଭୂମିକା ଛାଡ଼ି ଯେଉଁଭଳି ଭାବେ କାର୍ଯ୍ୟ କରିବାକୁ ଚାହୁଁଛି ସେଥିରେ ସମ୍ଭବତଃ ଉଭୟ ରୁଷିଆ ଓ ଆମେରିକା ତାହାଠାରୁ ଦୂରେଇଯିବେ। ଅବଶ୍ୟ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ରେ ନିଜର ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟଙ୍କ ପାଇଁ ପୁନର୍ବାର ଜିତିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଥିବାରୁ ଉଭୟ ନେତା ଏବେ ଦୁଇଦେଶ ମଧ୍ୟରେ ସୁସମ୍ପର୍କର ନାଟକ ରଚାଇବା ମଧ୍ୟ ସ୍ବାଭାବିକ। ଅର୍ଥାତ୍‌ ଏହି ଗସ୍ତରୁ କୌଣସି ପ୍ରକାର ଆଖିଦୃଶିଆ ଲାଭ ପାଇଁ ଭାରତ ଅପେକ୍ଷା କରିବା ଅନୁଚିତ।