ନୂଆଦିଲ୍ଲୀ,୨୭ା୮: ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଂ ସ୍ଥାନର ନାଁ ‘ଶିବଶକ୍ତି’କୁ ନେଇ କୌଣସି ବିବାଦ ନାହିଁ ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଏସ୍. ସୋମନାଥ ରବିବାର ପ୍ରକାଶ କରିଛନ୍ତି। ଶିବଶକ୍ତି ନାଁ ରଖିବାରେ କୌଣସି ଭୁଲ୍ ନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ କାର୍ଯ୍ୟାଳୟକୁ ଯାଇ ଶନିବାର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ସ୍ଥାନର ନାଁ ଶିବଶକ୍ତି ରଖିଥିଲେ। ଏପରିକି ଚନ୍ଦ୍ରୟାନ-୨ ଲ୍ୟାଣ୍ଡର ଖସିଥିବା ସ୍ଥାନକୁ ମଧ୍ୟ ‘ତ୍ରିରଙ୍ଗା’ ନାମରେ ନାମିତ କରିଥିଲେ। ଦେଶର ପ୍ରଧାନମନ୍ତ୍ରୀ ଭାବେ ନାମକରଣ କରିବା ଅଧିକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ରହିଥିବା ସୋମନାଥ କହିଛନ୍ତି। କେରଳର ଥିରୁଭାନନ୍ତପୁରମ୍ସ୍ଥିତ ପୌର୍ଣ୍ଣମିକାଭୁ-ଭଦ୍ରକାଳୀ ମନ୍ଦିରରେ ପୂଜା କରି ଫେରିବା ଅବସରରେ ସୋମନାଥ ଏହା କହିଛନ୍ତି।