Categories: ଜାତୀୟ

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ, ୧୫।୧୨(ପି.ଟି.): ଭାରତରେ ୧୯୭୫ରେ ଜାରି ହୋଇଥିବା ଜରୁରୀ ପରିସ୍ଥିତି (ଏମର୍ଜେନ୍ସି)କୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିବା ଲାଗି ଜଣେ ୯୪ ବର୍ଷୀୟ ମହିଳା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ ଏସ୍‌.କେ. କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉକ୍ତ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି। ୪୫ ବର୍ଷ ପରେ ଜରୁରୀ ପରିସ୍ଥିତି ଜାରିର ବୈଧତା ଯାଞ୍ଚ କଲାବେଳେ ଏହା ଲାଗୁ ହେବା ଯୋଗ୍ୟ ଥିଲା କି ବାଞ୍ଛନୀୟ ଥିଲା ତାହା ଅନୁଧ୍ୟାନ କରିବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ଏମର୍ଜେନ୍ସି ଲାଗୁ ହେବା ଉଚିତ ନ ଥିଲା ବୋଲି ସର୍ବୋଚ୍ଚ ଅଦାଲତ ମତ ଦେବା ସହ ଦୀର୍ଘଦିନ ପରେ ଏହା ଉପରେ କ’ଣ ସହାୟତା ଦିଆଯାଇପାରିବ ବୋଲି ପ୍ରଶ୍ନ କରିଛନ୍ତି।
ଏମର୍ଜେନ୍ସି ନାମରେ ଦୀର୍ଘସମୟ ପର୍ଯ୍ୟନ୍ତ ଲୋକଙ୍କ ଅଧିକାର ଛଡ଼ାଇନିଆଗଲା। ଏହା ଜାଲିଆତି ଓ ସମ୍ବିଧାନ ଉପରେ ସବୁଠୁ ବଡ଼ ଆକ୍ରମଣ ବୋଲି ଆବେଦନକାରୀ ବୀରା ସରିନ୍‌ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲଭେ ଖଣ୍ଡପୀଠଙ୍କୁ କହିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁପାରିସକ୍ରମେ ରାଷ୍ଟ୍ରପତି ଫକ୍‌ରୁଦ୍ଦିନ ଅଲି ଅହମଦ ୧୯୭୫ ଜୁନ୍‌ ୨୫ ମଧ୍ୟରାତ୍ରର କିଛି ସମୟ ପୂର୍ବରୁ ଏମର୍ଜେନ୍ସି ଜାରି କରିଥିଲେ ଓ ଏହାକୁ ୧୯୭୭ ମାର୍ଚ୍ଚରେ ରଦ୍ଦ କରାଯାଇଥିଲା। ଜରୁରୀ ସ୍ଥିତି ଯୋଗୁ ଆବେଦନକାରୀ କିଭଳି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ତାଙ୍କୁ କିପରି ବ୍ୟବହାର କରାଯାଇଥିଲା, ତାହା କୋର୍ଟ ଅନୁଧ୍ୟାନ କରିବା ଉଚିତ ବୋଲି ସାଲ୍‌ଭେ କହିଥିଲେ।

Share