ରୟାଲ୍‌ଟି ଅନିୟମିତତା: ୩ ଖଣିକୁ ନୋଟିସ

ଯୋଡ଼ା, ୨୦ା୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ୩ ଖଣିକୁ ଷ୍ଟାକ୍‌(ମାନ ନିର୍ଦ୍ଧାରଣ କରାଯାଇଥିବା ଗଚ୍ଛିତ ଖଣିଜ)ରେ ରୟାଲ୍‌ଟି ଅନିୟମିତତା ଅଭିଯୋଗରେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜରିବାହାଲସ୍ଥିତ କାଶ୍‌ଭି ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍‌ ଲିମିଟେଡ, ଦେଓଝରସ୍ଥିତ ତାରିଣୀ ମିନେରାଲ ଓ ମୁର୍ଗାବେଡା ଆଇରନ ଓର ମାଇନ୍ସକୁ ଶୁକ୍ରବାର ଏହି ନୋଟିସ୍‌ ଜାରି କରାଯାଇଛି। ଉକ୍ତ ୩ ଖଣିରେ ଖଣିଜର ମାନ (ଗ୍ରେଡ୍‌)ରେ ଅନିୟମିତତା ହୋଇଥିବା ଖଣି ବିଭାଗ ଜାଣିବା ପରେ ଖଣିକାର୍ଯ୍ୟ ଉପରେ ଅଙ୍କୁଶ ଲଗାଇ ସାମୟିକ ନିଲମ୍ବନ କରାଯାଇଛି।

ପ୍ରକାଶ ଯେ, ଲିଜ୍‌ଧାରୀମାନେ ପରିବହନ ନିମନ୍ତେ ଖଣିଜର ମାନ ନିର୍ଦ୍ଧାରଣ କରି ଏହାକୁ ନିର୍ଦ୍ଦିଷ୍ଟ ଷ୍ଟାକରେ ଗଚ୍ଛିତ ରଖିଥାନ୍ତି। ଖଣିଜର ମାନ ଅନୁଯାୟୀ ଖଣି ବିଭାଗ ପକ୍ଷରୁ ରାଜସ୍ବ(ରୟାଲଟି) ଧାର୍ଯ୍ୟ କରାଯାଇଥାଏ। ରାଜସ୍ବ ପ୍ରାପ୍ତିପରେ ଏହି ଖଣିଜକୁ ପରିବହନ ଅନୁମୋଦନ ଖଣିବିଭାଗ ପକ୍ଷରୁ ଦିଆଯାଇଥାଏ। ତେବେ ଲିଜ୍‌ଧାରୀମାନେ ସମୟ ସମୟରେ ଷ୍ଟାକ୍‌ରେ ଗଚ୍ଛିତ ଥିବା ନିର୍ଦ୍ଦିଷ୍ଟ ଖଣିଜ ପରିବର୍ତ୍ତେ ଉନ୍ନତମାନ ଥିବା ଖଣିଜକୁ ପରିବହନ କରିଥାନ୍ତି। ଅର୍ଥାତ୍‌ ନିମ୍ନମାନର ଖଣିଜ ପାଇଁ ରୟାଲ୍‌ଟି ଦେଇ ଉନ୍ନତମାନର ଲୁହାପଥରକୁ ବିକ୍ରୟ କରିଥାନ୍ତି। ଫଳରେ ସରକାର ବିପୁଳ ରାଜସ୍ବ ହରାଇଥାନ୍ତି। ଗତ ଅକ୍ଟୋବରରେ ଯୋଡ଼ା ଖଣିମଣ୍ଡଳସ୍ଥିତ ଏକ ଖଣିରେ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ପରେ ସେଠାରେ ଖଣିଜ ଷ୍ଟାକ୍‌ରେ ଅନିୟମିତତା ହୋଇଥିବା ଜଣାପଡିଥିଲା। ଉକ୍ତ ଖଣିକୁ ସାମୟିକ ଭାବେ ବନ୍ଦ ନୋଟିସ୍‌ କରାଯାଇଥିଲା ଏବଂ ଏଥିରେ ଅବହେଳା ପାଇଁ ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶାଳୟର ୨ ଖଣି ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ଖଣି ନିର୍ଦ୍ଦେଶାଳୟର ବରିଷ୍ଠ ଖଣି ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା କହିଛନ୍ତି, ଯୋଡ଼ା ଖଣିମଣ୍ଡଳର ୩ଟି ଖଣିକୁ ଷ୍ଟାକ୍‌ରେ ଅନିୟମିତତା କରିଥିବା ଯୋଗୁ ନୋଟିସ୍‌ ଜାରି କରାଯାଇଛି। ରାଜସ୍ବ ଫାଙ୍କି, ଟିକସ ଫାଙ୍କି ଏବଂ ବେଆଇନ ଖଣି ଖନନ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି। ଖଣିଜ ପଦାର୍ଥ ସମ୍ପର୍କିତ ଅନିୟମିତତାକୁ ଦୃଢ଼ହସ୍ତରେ ଦମନ କରାଯିବା ସହ ଆବଶ୍ୟକ ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଜେନା କହିଛନ୍ତି।