ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ, ପୋଲିସ କମିଶନରଙ୍କୁ ନୋଟିସ

କଟକ ଅଫିସ,୨୬।୪: କଟକ, ଭୁବନେଶ୍ୱର ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଅଧିକାଂଶ ବାୟୁ ପ୍ରଦୂଷଣ ଗାଡ଼ି ଚଳାଚଳ ଯୋଗୁ ହେଉଥିବା ନେଇ ଆଇନଜୀବୀ ଶିବଶଙ୍କର ମହାନ୍ତି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆରସି)ରେ ଏକ ମାମଲା ରୁଜୁ କରିଥିଲେ। ଓଏଚ୍‌ଆର୍‌ସିରେ ମାମଲାର ଶୁଣାଣି ହୋଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୋଲିସ କମିଶନର୍‌ଙ୍କୁ ନୋଟିସ ଜାରି କରାଯାଇଛି। ଏଥିସହ ପ୍ରଦୂଷଣ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଜୁନ୍‌ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହା ପୂର୍ବରୁ ରିପୋର୍ଟ ପ୍ରଦାନ କରିବାକୁ କମିଶନ୍‌ ଅଧ୍ୟକ୍ଷ ବିଚାରପତି ଶତ୍ରୁଘ୍ନ ପୂଜାହାରୀ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, କଟକ, ଭୁବନେଶ୍ବର, ଅନୁଗୋଳ, ରାଉରକେଲା ସମେତ ୭ ପ୍ରମୁଖ ସହରରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ବିଭାଗୀୟ ମନ୍ତ୍ରୀ ଗତ ବିଧାନସଭାରେ ଏନେଇ ତଥ୍ୟ ଉପସ୍ଥାପନ କରିଥିଲେ। ଜାତୀୟ ସ୍ବଚ୍ଛ ବାୟୁ ମିଶନ ଜରିଆରେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବହୁ ପରିମାଣର ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ପ୍ରଦୂଷଣ ମାତ୍ରା କମିବା ବଦଳରେ ବଢିବାରେ ଲାଗିଛି।

Share