Categories: ଜାତୀୟ

କେନ୍ଦ୍ର, ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ, ୧୯।୮(ପି.ଟି.): ପେଗାସସ୍‌ ଗୁପ୍ତଚରଗିରି ଅଭିଯୋଗର ତଦନ୍ତ ପାଇଁ ପଶ୍ଚିମବଙ୍ଗ ସରକାର ତଦନ୍ତ କମିଶନ ଗଠନ କରିଥିବାରୁ ସୁପ୍ରିମକୋର୍ଟ ବୁଧବାର ଏନେଇ କେନ୍ଦ୍ର ଓ ଉକ୍ତ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫କୁ ଧାର୍ଯ୍ୟ କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ତଦନ୍ତ କମିଶନ ଗଠନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ବିଚାର ଶେଷ ନ ହେବା ପର୍ଯ୍ୟନ୍ତ କମିଶନ ତଦନ୍ତ ନ କରିବାକୁ ଆବେଦନକାରୀଙ୍କ ଓକିଲ ସୌରଭ ମିଶ୍ର କୋର୍ଟଙ୍କୁ କହିଥିଲେ। ତେବେ ଆବେଦନକାରୀଙ୍କ ସତ୍ୟପାଠରେ ଅସଙ୍ଗତି ରହିଥିବା ଖଣ୍ଡପୀଠ କହିଥିଲେ। ଗୋଟିଏ ପଟେ ଆବେଦନକାରୀ ପେଗାସସ୍‌ ବିବାଦର ତଦନ୍ତ ଚାହୁଁଥିବାବେଳେ ଅନ୍ୟପଟେ ତଦନ୍ତ କମିଶନକୁ ବିରୋଧ କରୁଛନ୍ତି। ପିଟିଶନ ଏବଂ ସତ୍ୟପାଠରେ ସମାନତା ରହିବା ଜରୁରୀ ବୋଲି ଖଣ୍ଡପୀଠ କହିଥିଲେ। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉପସ୍ଥିତ ରହି ମାମଲା ସହ ଜଡ଼ିତ ସାମ୍ବିଧାନିକ ପ୍ରଶ୍ନ ଉପରେ ଅଦାଲତକୁ ସହାୟତା କରିବେ ବୋଲି କହିଥିଲେ। ତେବେ ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ଖଣ୍ଡପୀଠ ମତ ଦେଇଥିଲେ।
ପେଗାସସ୍‌ ସ୍ପାଏଓ୍ବେର ବ୍ୟବହାର କରାଯାଇ ଭାରତର ୩୦୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତିଙ୍କ ମୋବାଇଲ ଫୋନ୍‌ ନମ୍ବରକୁ ଟାର୍ଗେଟ କରାଯାଇଥିବା ନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାର ତଦନ୍ତ ପାଇଁ ଗତ ମାସରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ବି. ଲୋକୁର ଏବଂ କାଲକାଟା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ତଦନ୍ତ କମିଶନ ଗଠନ କରିଥିଲେ।

Share