ନୂଆଦିଲ୍ଲୀ, ୧୬।୯(ପି.ଟି.): ନିର୍ବାଚନୀ ଗାଇଡ୍ଲାଇନର ଉଲ୍ଲଂଘନ କରୁଥିବା ରାଜନୈତିକ ଦଳଗୁଡ଼ିକ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହିତ ବିଭିନ୍ନ ଦଳ ନିର୍ବାଚନୀ ଇସ୍ତାହାରରେ କ୍ୟାଶ୍ ଟ୍ରାନ୍ସଫର କଥା କହୁଥିବାରୁ ଏହାକୁ ଦୁର୍ନୀତି ଭାବେ ଘୋଷଣା କରିବା ପାଇଁ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣରେ କୁଣ୍ଠା କାହିଁକି? କେବଳ ନୋଟିସ୍ ଏବଂ ପତ୍ର ନ ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ବିଚାରପତି ଡି.ଏନ୍. ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଖଣ୍ଡପୀଠ କହିଛନ୍ତି। ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକୁ ନେଇ ନିର୍ବାଚନ କମିଶନ ଗାଇଡ୍ଲାଇନ ଜାରି କରିବା ସହ ରାଜନୈତିକ ଦଳଗୁଡ଼ିକ ନିକଟକୁ ତାହା ପଠାଯାଇଥିବା ଇସିଙ୍କ ଓକିଲ କହିଥିଲେ। ତେବେ ଗାଇଡ୍ଲାଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ‘ଭୋଟ ପାଇଁ ନୋଟ୍’ ପ୍ରତିଶ୍ରୁତି ଜନପ୍ରତିନିଧି ଆଇନର ଧାରା ୧୨୩ର ଉଲ୍ଲଂଘନ ହୋଇଥିବାରୁ ହାଇକୋର୍ଟ ଏହା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ବେଳେ ସମାଜର ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଆର୍ଥତ୍କ ସହାୟତା ଯୋଗାଇ ଦେବା ଲାଗି ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍ସି) ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲେ। ନୂ୍ୟନତମ ଆୟ ଯୋଜନା (ନ୍ୟାୟ)ରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରକୁ ବର୍ଷକୁ ୭୨,୦୦୦ ଟଙ୍କା ଯୋଗାଇ ଦିଆଯିବ ବୋଲି କଂଗ୍ରେସ କହିଥିଲା। ଏନେଇ ଖଣ୍ଡପୀଠ କଂଗ୍ରେସ ଏବଂ ଟିଡିପିକୁ ଜବାବ ମାଗିଛନ୍ତି। ଆଇନଜୀବୀ ପରାଶର ନାରାୟଣ ଶର୍ମା ଏବଂ କ୍ୟାପ୍ଟେନ୍ ଗୁର୍ବିନ୍ଦର ସଂଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଥିଲା। ବିନା କାମରେ ନିର୍ବାଚନୀ ଇସ୍ତାହାରରେ ଟଙ୍କା ଯଚାଯିବାକୁ ବେଆଇନ ଘୋଷଣା କରାଯିବା ନିମନ୍ତେ ସେମାନଙ୍କ ଓକିଲ ଦାବି କରିଥିଲେ। ବିନା କାର୍ଯ୍ୟରେ ଲୋକଙ୍କୁ ଟଙ୍କା ଦେଲେ ଦେଶର ଶିଳ୍ପ, କୃଷି ସବୁ ବରବାଦ ହୋଇଯିବ। ଦୁର୍ନୀତି ଉପାୟରେ ନୁହେଁ, ସ୍ବଚ୍ଛ ଓ ନିରପେକ୍ଷତାର ସହ ନିର୍ବାଚିତ ସରକାର ଉପରେ ଗଣତନ୍ତ୍ରର ସଫଳତା ନିର୍ଭର କରେ ବୋଲି ଆଇନଜୀବୀ ଅମରଦୀପ ମାଇନି କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୪କୁ ଧାର୍ଯ୍ୟ ହୋଇଛି।