ରାଜ୍ୟ ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ

କଟକ ଅଫିସ, ୨୮।୧୦: ହାଇକୋର୍ଟରେ ବାଣ ବିକ୍ରି ମାମଲାର ଶୁଣାଣି ବୁଧବାର ହୋଇଥିଲା। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ ତାରିଖକୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ, ଦୀପାବଳିରେ ବାଣବିକ୍ରି ଓ ଫୁଟା ଉପରେ ରାଜ୍ୟ ସରକାର ଗତ ସେପ୍ଟେମ୍ବର ୩୦ ତାରିଖରେ ରୋକ ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅଲ୍‌ ଓଡ଼ିଶା ଫାୟାର ୱାର୍କସ ଡିଲର୍ସ ଆସୋସିଏଶନ ପକ୍ଷରୁ ହାଇକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା। ଜନଜୀବନ ସୁରକ୍ଷା ଓ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଉକ୍ତ ପିଟିଶନକୁ ଖାରଜ କରିଦେଇଥିଲେ। ଏହି ଆସୋସିଏଶନ ଏକ ପଞ୍ଜୀକୃତ ସଂସ୍ଥା ନୁହେଁ ଓ ଏହି ପ୍ରସଙ୍ଗରେ ସାନି ଆବେଦନ କରାଯାଇପାରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ମହେଶ ଷ୍ଟୋର, ପ୍ରମିଳା ଏଣ୍ଟରପ୍ରାଇଜେସ୍‌ ଓ କେତେଜଣ ବାଣ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share