କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ବିଜ୍ଞପ୍ତି

ନୟାଗଡ଼,୨ା୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିପାରିିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମାନ୍ୟତା ପାଇଁ ଅଗଷ୍ଟ ୩୧ ଗୁରୁବାର ଜର୍ନାଲ ନଂ. ୧୭୮ରେ ପବ୍ଲିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୟାଗଡ଼ ଜିଲାର ଦାବି ବହୁ ଦିନ ପରେ ସଫଳ ହେବାକୁ ଯାଉଛି। କେହି ଦାବିଦାର ନ ରହିଲେ ୩ ମାସ ପରେ କେନ୍ଦ୍ର ସରକାର କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରିବେ।
କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ୭୩୯ ନଂ. ଦରଖାସ୍ତରେ ବାଣପୁର ଗଁାର ନୀଳମାଧବ କୃଷି ସଙ୍ଗଠନ ପକ୍ଷରୁ ଆବେଦନ କରାଯାଇଥିଲା। ଜିଲା କୃଷି ବିଜ୍ଞାନ ପକ୍ଷରୁ ଏଥିପାଇଁ ଆବଶ୍ୟକ କାଗଜାତ ଓୟୁଏଟି ମାଧ୍ୟମରେ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନସ୍‌ ରେଜିଷ୍ଟ୍ର ଚେନ୍ନାଇରେ ୨୦୨୧ରେ ଆବେଦନ ହୋଇଥିଲା। ଏନେଇ ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁ କୁହନ୍ତି, କଣ୍ଟେଇମୁଣ୍ଡି ବାଇଗଣ ପ୍ରଥମେ କଣ୍ଟିଲୋରେ ହୋଇଥିଲା। ପରେ ଏହା ମହାନଦୀ ପଠା ବଡ଼ବାଣପୁର, ରତନପୁର, ଧାନଚାଙ୍ଗଡ଼ା, ଲକ୍ଷ୍ମୀପ୍ରସାଦ, କୁମୁଣ୍ଡି, ଫତେଗଡ଼ରେ ଚାଷ କରାଯାଇଥିଲା। ଧୀରେ ଧୀରେ ଜିଲାର ବିଭିନ୍ନ ଅଞ୍ଚଳରେ କଣ୍ଟେଇମୁଣ୍ଡି ବାଇଗଣ ଚାଷ ହେଉଛି। ଏହାର ଗଛ, ପତ୍ର, ଫଳରେ କଣ୍ଟା ଥାଏ। ବାଇଗଣ ଦେଖିବାକୁ ନୀଳରଙ୍ଗର ଓ ଗୋଲାକାର। ଏହାର ଲମ୍ବା ୩.୮୧ ଓ ଓସାର ୧୫ ସେମି.। ଗଛର ଉଚ୍ଚତା ୬୧ରୁ ୬୫ ସେମି.। ବାଇଗଣ ଛୋଟ ଛୋଟ ହୋଇଥିଲେ ହେଁ ଅଧିକ ମଞ୍ଜି ଥାଏ। କିନ୍ତୁ ଅଧିକ ସ୍ବାଦିଷ୍ଟ। ବାଇଗଣ ଗଛରେ ୩୦ରୁ ୩୫ ଦିନ ମଧ୍ୟରେ ଫଳ ଆସିଥାଏ। ଗୋଟିଏ ଗୋଟିଏ ବାଇଗଣ ୪୦ରୁ ୧୦୦ ଗ୍ରାମ ମଧ୍ୟରେ ହୋଇଥାଏ। ବାଇଗଣ ଗଛର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ଥାଏ। ୧୦୦ ବର୍ଷ ତଳୁ ଜିଲାରେ କଣ୍ଟେଇମୁଣ୍ଡି ବାଇଗଣ ଚାଷ ହୋଇ ଆସୁଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୩ ମାସ ପରେ କେହି ଦାବିଦାର ନ ହେଲେ ନୟାଗଡ଼ ଜିଲାର କଣ୍ଟେଇମୁଣ୍ଡି ବାଇଗଣ ଜିଆଇ ଟ୍ୟାଗ୍‌ ମାନ୍ୟତା ସୁବିଧାରେ ପାଇବ।
ଏ ସଂକ୍ରାନ୍ତରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହନ୍ତି, କଣ୍ଟିଲୋର କଣ୍ଟେଇମୁଣ୍ଟି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୨୦୨୧ରେ ଆବେଦନ କରାଯାଇଥିଲା। କଣ୍ଟେଇମୁଣ୍ଟି ବାଇଗଣ ନୟାଗଡ଼ ଜିଲାର ୟୁନିକ ପ୍ରଡକ୍ଟ। ଏହି ବାଇଗଣ ଉପରେ ଭୁବନେଶ୍ୱରରେ ୩ ଥର ସର୍ଭେ ହୋଇଛି। କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ଆବଶ୍ୟକ କାଗଜାତ ଉପସ୍ଥାପନ କରାଯାଇଥିଲା। ଜିଆଇ ଟ୍ୟାଗ୍‌ର ବିଜ୍ଞପ୍ତି ପରେ ବାଣପୁର ଗଁାର ନୀଳମାଧବ କୃଷି ସଙ୍ଗଠନର ଆବେଦନ ଓ ନୟାଗଡ଼ ଜିଲା ପ୍ରଶାସନର ୨ ବର୍ଷର ଚେଷ୍ଟା ସଫଳ ହୋଇଛି। କଣ୍ଟେଇମୁଣ୍ଡି ବାଇଗଣର ସଫଳତା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ସଫଳତାର ବାଟ ଦେଖାଇଛି ବୋଲି କହି ଜିଲାପାଳ ଖୁସି ବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ଶିମିଳପାଳ କାଇ ଚଟଣୀ, କପଡ଼ାଗଣ୍ଡର ଡଙ୍ଗରିଆ କନ୍ଧ ଶାଲ୍‌, କୋରାପୁଟର କଳାଜିରା ଚାଉଳ, ଲାଞ୍ଜିଆସଉରା ଚିତ୍ରକଳା ପ୍ରମୁଖ ମଧ୍ୟ ଏହି ଜିଆଇ ଜର୍ଣ୍ଣାଲରେ ସ୍ଥାନ ପାଇଛି।

Share