ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ମଇ ୧୪ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଘୋଷଣା କରାଯାଇଛି। ମଇ ୧୫ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ମଇ ୧୭ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ଜୁନ୍‌ ୧ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ। ସାଲେପୁର ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୪୮ ହଜାର ୫୪୧ ଜଣ, ମାହାଙ୍ଗାରେ ୨ ଲକ୍ଷ ୭୧ ହଜାର ୪୭ ଜଣ ଏବଂ ନିଆଳି ୨ ଲକ୍ଷ ୪୮ ହଜାର ୩୨୮ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ। ହେଲେ ପ୍ରଥମ ଦିନରେ ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକରୁ କେହି ପ୍ରାର୍ଥିପତ୍ର ଦାଖଲ କରିନଥିବା ଜଣାଯାଇଛି।
ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରଦତ୍ତ ସୂଚନା ଅନୁସାରେ, ପ୍ରାର୍ଥୀମାନେ ସକାଳ ଏଗାରଟାରୁ ଦିନ ତିନିଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲର ଶେଷଦିନରେ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ମାହାଙ୍ଗା ଓ ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାର ୧୪ ନମ୍ବର କକ୍ଷରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ। ସେହିପରି ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ପ୍ରାର୍ଥୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟର ପ୍ରଥମ ମହଲାର ୨୭ ନମ୍ବର କକ୍ଷରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ନିର୍ବାଚନକୁ ସ୍ବଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ ଜିଲାର ୬୦% ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ବୁଥରେ ସିସିଟିଭି ଲଗାଯାଇଛି ଓ ମାଇକ୍ରୋ ଅବଜରଭରମାନଙ୍କୁ ନିୟୋଜିତ କରାଯାଇଛି। କଟକ ଜିଲା ପାଇଁ ଦୁଇ ଜଣ ସାଧାରଣ ପର୍ଯ୍ୟବେକ୍ଷକ ଓ ଜଣେ ପୋଲିସ୍‌ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ଏଥିସହ କେନ୍ଦ୍ରୀୟ ସୁରକ୍ଷା ବଳ, ଫ୍ଲାଇଂ ସ୍କ୍ବାର୍ଡ ଓ ଷ୍ଟାଟିକ ସର୍ଭିଲାନ୍ସ ଟିମ୍‌ ମଧ୍ୟ ନିୟୋଜିତ କରାଯାଇଛି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ୍‌, ସହକାରୀ ଉପଜିଲାପାଳ ଦେବାଶିଷ ମହାପାତ୍ର, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଏବଂ ସହକାରୀ ରିଟର୍ଣ୍ଣିଂ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଖଗେଶ୍ୱର ପାତ୍ର ଓ ଜୟନ୍ତ କୁମାର ଜୟସିଂହ ପ୍ରମୁଖ ଉପସ୍ଥିତ ଥିଲେ।
Share