Categories: ଜାତୀୟ

ତିହାରରୁ ଫୋନ୍‌ କରିପାରିବେନି କୁଖ୍ୟାତ ଅପରାଧି, ହାଇ ରିସ୍କ୍‌ ଓ୍ବାର୍ଡରେ ଲାଗିବ ଜାମର…

ନୂଆଦିଲ୍ଲୀ, ୨୪।୬ : ତିହାରରେ ଅପରାଧିଙ୍କ ପାଖରେ ମୋବାଇଲ ଫୋନର ନିରନ୍ତର ଉପଲବ୍ଧତା ଯୋଗୁଁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ସମ୍ପ୍ରତି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କ ଉପରେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସୱାଲାଙ୍କୁ ଜେଲରୁ ହତ୍ୟା କରିବାର ଷଡଯନ୍ତ୍ର ଫୋନ ମାଧ୍ୟମରେ ଜଣାପଡିବା ମାତ୍ରେ ଜେଲ ପ୍ରଶାସନ  କୌଣସି ପରିସ୍ଥିତିରେ ବନ୍ଦୀମାନଙ୍କ ଦ୍ୱାରା ମୋବାଇଲ ବ୍ୟବହାର ବନ୍ଦ କରିବାକୁ ଆରମ୍ଭ କରିଛି। ଏଥିପାଇଁ ତିହାର ପ୍ରଶାସନ ବର୍ତ୍ତମାନ ଜେଲ ୱାର୍ଡରେ ଜାମର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ଜାମରଗୁଡିକ ଜେଲର ହାଇ ରିସ୍କ୍‌ ୱାର୍ଡରେ ସ୍ଥାପନ କରାଯିବ। ଯାହାଫଳରେ ଏହି ୱାର୍ଡରେ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏବଂ ଆତଙ୍କବାଦୀମାନେ ମୋବାଇଲ ବ୍ୟବହାର କରିପାରିବେ ନାହିଁ ।

ତିହାର ଜେଲର ଡିଜି ସନ୍ଦୀପ ଗୋଏଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତିହାରର ଏହି ବନ୍ଦୀମାନଙ୍କ ମୋବାଇଲ ବ୍ୟବହାର ଉପରେ ବର୍ତ୍ତମାନ ଟେକ୍ନୋଲୋଜିର ପ୍ରୟୋଗ କରାଯିବ। ମୋବାଇଲ କନେକ୍ଟିଭିଟି ସିଷ୍ଟମ ବନ୍ଦ ହେବା ସହିତ ଜେଲ ବନ୍ଦୀମାନଙ୍କୁ ଜେଲରୁ କଲ୍‌ କରିବା ବନ୍ଦ ହେବ। ଏହାର କାର୍ଯ୍ୟ ଜୋରସୋରରେ ଚାଲିଛି। ହାଇ ରିସ୍କ ୱାର୍ଡରେ ଜାମର ଲଗାଇବା ପରେ ମୋବାଇଲ ବ୍ୟବହାର କରି ହେବ ନାହିଁ ବୋଲି ଡିଜି ସୂଚନା ଦେଇଛନ୍ତି।

ବର୍ତ୍ତମାନ ବନ୍ଦୀମାନଙ୍କ ମଧ୍ୟରେ ମୋବାଇଲ ସଂଯୋଗକୁ ବନ୍ଦ କରିବା ପାଇଁ ସମଗ୍ର ତିହାର ଜେଲରେ କେବଳ ୩ଟି କଲ ଜାମିଂ ଟାୱାର ସ୍ଥାପନ କରାଯାଇଛି। ବନ୍ଦୀମାନେ ଜାମରର ତାର କାଟଦେଉଛନ୍ତି। ଜେଲର କେଉଁ ଅଞ୍ଚଳରେ
ଜାମରର କୌଣସି ପ୍ରଭାବ ନାହିଁ ତାହା ବନ୍ଦୀମାନେ ଜାଣିଛନ୍ତି। ବେଳେବେଳେ ସେମାନେ ଅନ୍ୟମାନଙ୍କ ନେଟ୍‌ ମଧ୍ୟ ବ୍ୟବହାର କରୁଛନ୍ତି। ତେଣୁ ଏଭଳି କାର୍ଯ୍ୟ ରୋକ ଲଗାଇବା ପାଇଁ ଜେଲ୍‌ ପ୍ରଶାସନ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି।

Share