Categories: ଖେଳ

ଜୋକୋଭିଚ୍‌ଙ୍କୁ ୭ମ ଓ୍ବିମ୍ବେଲଡନ ଟାଇଟଲ

ଓ୍ବିମ୍ବେଲଡନ, ୧୧ା୭: ଓ୍ବମ୍ବେଲଡନ ଓପନ ଟେନିସ୍‌ ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ୍‌ ହୋଇଛନ୍ତି ସର୍ବୀୟ ଟେନିସ୍‌ ଷ୍ଟାର ନୋଭାକ୍‌ ଜୋକୋଭିଚ୍‌। ରବିବାର ଫାଇନାଲରେ ସେ ଅଷ୍ଟ୍ରେଲିଆର ନିକ୍‌ କିର୍ଗିଓସ୍‌ଙ୍କୁ ୪-୬, ୬-୩, ୬-୪, ୭-୬ (୩) ସେଟ୍‌ରେ ହରାଇ ଦେଇଛନ୍ତି। ଫଳରେ ସେ ଅଲ୍‌ ଇଂଲଣ୍ଡ କ୍ଲବରେ କ୍ରମାଗତ ୪ର୍ଥ ଓ ମୋଟ୍‌ ଉପରେ ୭ମ ଟାଇଟଲ ଜିତିଛନ୍ତି। ଟପ୍‌ ସିଡ୍‌ ଜୋକୋଭିଚ୍‌ଙ୍କର ଆହୁରି ମଧ୍ୟ ଏହି ଗ୍ରାସ୍‌କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ କ୍ରମାଗତ ୨୮ ମ୍ୟାଚ୍‌ ବିଜୟ। ତାଙ୍କର ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ବର୍ତ୍ତମାନ ୨୧କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସେ ପୁରୁଷ ଟେନିସ୍‌ ଇତିହାସରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ବିଜୟୀ ରାଫାଲ ନାଡାଲଙ୍କଠାରୁ ଗୋଟିଏ ଟାଇଟଲ ପଛରେ ରହିଛନ୍ତି। ପୂର୍ବରୁ ଜୋକୋଭିଚ୍‌ ଓ ରୋଜର ଫେଡେରରଙ୍କ ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ସମାନ ୨୦ ରହିଥିଲା। ପ୍ରଫେସନାଲ ଯୁଗରେ ପୁରୁଷଙ୍କ ମଧ୍ୟରେ ଜୋକୋଭିଚ୍‌ଙ୍କଠାରୁ କେବଳ ଫେଡେରର ଓ୍ବିମ୍ବେଲଡନରେ ସର୍ବାଧିକ ୮ଥର ଟାଇଟଲ ଜିତିଛନ୍ତି। ୨୦୦୧ରେ ଗୋରାନ ଇଭାନିସେଭିଚ୍‌ଙ୍କ ପରେ ପ୍ରଥମ ଅଣସିଡ୍‌ ଖେଳାଳି ହିସାବରେ ଓ୍ବିମ୍ବେଲଡନ ପୁରୁଷ ଚାମ୍ପିୟନ ହେବା ଲାଗି ୪୦ତମ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ କିର୍ଗିଓ ପ୍ରଚେଷ୍ଟା କରିଥିଲେ। ଘଟଣାକ୍ରମେ ଇଭାନିସେଭିଚ୍‌ ବର୍ତ୍ତମାନ ଜୋକୋଭିଚ୍‌ଙ୍କ କୋଚ୍‌ ରହିଛନ୍ତି। ସେଣ୍ଟର କୋର୍ଟର ଗେଷ୍ଟ ବକ୍ସରେ ସେ ମ୍ୟାଚ୍‌ ଉପଭୋଗ କରୁଥିଲେ। ୨୭ ବର୍ଷୀୟ କିର୍ଗିଓସ ପୂର୍ବରୁ ୨୯ ଗ୍ରାଣ୍ଡସ୍ଲାମରେ ଭାଗ ନେଇ ଥରେ ହେଲେ କ୍ୱାର୍ଟର ଫାଇନାଲ ଅତିକ୍ରମ କରିପାରି ନ ଥିଲେ। ରବିବାର କିନ୍ତୁ ତାଙ୍କ ଖେଳିବା ଷ୍ଟାଇଲ ଦୃଷ୍ଟି ଆକର୍ଷଣକାରୀ ଥିଲା। ସେ ତାଙ୍କ ଦୁଇ ଗୋଡ଼ ମଧ୍ୟ ଦେଇ ଶର୍ଟ ଖେଳିବାକୁ ଚେଷ୍ଟା କରିଥିଲେ। ଘଣ୍ଟା ପ୍ରତି ୧୩୬ ମାଇଲ ବେଗରେ ସର୍ଭିସ୍‌ କରିଥିଲେ। ସେ ଏକ ଅଣ୍ଡରଆର୍ମ ସର୍ଭିସ ମଧ୍ୟ କରିଥିଲେ।

Share