Categories: ଖେଳ

ଭିଜା ବାତିଲ ସହ ୩ ବର୍ଷ ପାଇଁ ବାସନ୍ଦ

ମେଲବୋର୍ନ,୧୪।୧: ଟେନିସ ତାରକା ନୋଭାକ୍‌ ଜୋକୋଭିଚ୍‌ଙ୍କ ଭିଜାକୁ ଶୁକ୍ରବାର ଦ୍ୱିତୀୟ ଥର ଲାଗି ବାତିଲ କରି ଦେଇଛନ୍ତି ଅଷ୍ଟ୍ରେଲିଆ ସରକାର। କୋଭିଡ୍‌-୧୯ ଟିକା ନ ନେଇ ଅଷ୍ଟ୍ରେଲିଆ ଆସିଥିବା ସର୍ବିଆ ଖେଳାଳିଙ୍କୁ ଦେଶରୁ ଡିପୋର୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଇମିଗ୍ରେଶନ ମନ୍ତ୍ରୀ ଆଲେକ୍ସ ହକେ କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସରକାର ଅଷ୍ଟ୍ରେଲିଆର ସୀମାକୁ ସୁରକ୍ଷା କରିବା ପାଇଁ ବଦ୍ଧ ପରିକର। ଭିଜା ବାତିଲ ହେବା କାରଣରୁ ଜୋକୋଭିଚ୍‌ ଆଗାମୀ ୩ ବର୍ଷ ପାଇଁ ନୂଆ ଅଷ୍ଟେଲିଆନ ଭିଜା ମିଳିବ ନାହିଁ।

ଭିଜା ନିଷ୍ପତ୍ତି ଯୋଗୁ ନମ୍ବର ଓ୍ବାନ ପୁରୁଷ ସିଙ୍ଗଲ୍ସ ଖେଳାଳିଙ୍କ ୧୦ମ ଅଷ୍ଟ୍ରେଲିଆନ ଓପନ ଓ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇବାର ସ୍ବପ୍ନକୁ ଅଧରୁ ରହିଯାଇଛି।

ଟୁର୍ନାମେଣ୍ଟ ଲାଗି ଟପ୍‌ ସିଡ୍‌ ମାନ୍ୟତା ପାଇଥିବା ଜୋକୋଭିଚ୍‌ ମେଲବୋର୍ନ ପାର୍କ କୋର୍ଟରେ ଶୁକ୍ରବାର କିଛି ଘଣ୍ଟା ଧରି ଅଭ୍ୟାସ କରିଥିଲେ। ଏହି ଷ୍ଟାର ଖେଳାଳି ଜାନୁୟାରୀ ୫ ତାରିଖରେ ମେଲବୋର୍ନ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ଅଷ୍ଟ୍ରେଲିଆରେ ଏଣ୍ଟ୍ରି କରିବା ପାଇଁ ତାଙ୍କୁ ଆବଶ୍ୟକ ଥିବା ଭାକ୍ସିନ ସାର୍ଟିଫିକେଟ ସେ ଦାଖଲ କରିପାରି ନ ଥିଲେ।

Share