ବେଲଗ୍ରେଡ୍, ୨ା୭ (ଏପି)-ଦଶ ଦିନ ପୂର୍ବେ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ଷ୍ଟାର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚ୍ ଏବଂ ତାଙ୍କ ସ୍ତ୍ରୀ ଜେଲେନା ରୋଗମୁକ୍ତ ହୋଇଛନ୍ତି। କୋଭିଡ୍-୧୯ ଟେଷ୍ଟରେ ସେମାନଙ୍କର ନେଗେଟିଭ୍ ଆସିଥିବା ଜୋକୋଭିଚ୍ଙ୍କ ମିଡିଆ ଟିମ୍ କହିିଛି। ସର୍ବିୟା ଓ କ୍ରୋଏସିଆରେ ଅନୁଷ୍ଠିତ ଏକ ପ୍ରଦର୍ଶନୀ ସିରିଜରେ ଖେଳିବା ପରେ ଏହି ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ବେଲ୍ଗ୍ରେଡ୍ ଏବଂ କ୍ରୋଏସିଆର ଜାଡାରଠାରେ ମ୍ୟାଚ ଖେଳାଯାଉଥିବାବେଳେ ସାମାଜିକ ଦୂରତ୍ୱ ନିୟମକୁ କେହି ମାନୁ ନ ଥିବା ଲକ୍ଷ୍ୟ କରାଯାଇଥିଲା। ଜୋକୋଭିଚ୍ ଓ ତାଙ୍କ ସ୍ତ୍ରୀ ଜେଲେନାଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲେ ମଧ୍ୟ କୋଭିଡ୍-୧୯ ଟେଷ୍ଟରେ ପିଜିଟିଭ୍ ଆସିଥିଲା। ଉଭୟେ ସର୍ବୀୟ ରାଜଧାନୀରେ ସେଲ୍ଫ ଆଇସୋଲେଶନରେ ରହିଥିଲେ। ବେଲଗ୍ରେଡ୍ ଓ ଜାଦାରଠାରେ ମ୍ୟାଚ ଖେଳି କେବଳ ଜୋକୋଭିଚ୍ ନୁହନ୍ତି ଅନ୍ୟ ୩ ଖେଳାଳି ୩ ଥର ଗ୍ରାଣ୍ଡସ୍ଲାମ୍ ସେମିଫାଇନାଲିଷ୍ଟ ଗ୍ରିଗୋର ଦିମିତ୍ରୋଭ୍, ବୋର୍ନା କୋରିକ୍ ଏବଂ ଭିକ୍ଟର ତ୍ରୋଇସିକ୍ କରୋନା ଭାଇରସ୍ର ଶିକାର ହୋଇଥିଲେ। ଏପରିକି ଜୋକୋଭିଚ୍ଙ୍କ କୋଚ୍ ଗୋରାନ୍ ଇଭାନିସେଭିଚ୍ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି।