Categories: ଜାତୀୟ

ଜେଲରେ ସିଦ୍ଧୁଙ୍କ ଡାଏଟ ପ୍ଲାନ

ପଟିଆଲା,୨୫ ।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏବେ ଜେଲର ଚାରିକାନ୍ଥ ଭିତରେ । ରୋଡ ରେଜ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ ସଜା ଶୁଣାଇଥିବା ବେଳେ ଏବେ ସେ ପଞ୍ଜାବର ପଟିଆଲା ଜେଲରେ ଏହି ସଜା କାଟୁଛନ୍ତି । ଏହାରି ଭିତରେ ବଦଳି ଯାଇଛି ତାଙ୍କ ପରିଚୟ । ଏବେ କ୍ରିକେଟର, କମେଣ୍ଟେଟର ସିଦ୍ଧୁ ଜେଲର କିରାଣି ହୋଇଯାଇଛନ୍ତି । ସେଠାରେ ତାଙ୍କୁ ଜେଲର କ୍ଲରିକାଲ କାମ ଦିଆଯାଇଥିବା ସୂଚନା ମିଳିଛି ।
ଏହି ସମୟରେ ସିଦ୍ଧୁଙ୍କ ଡାଏଟ ପ୍ଲାନ କିଛି ଭିନ୍ନ ରହିଛି । ଯଦିଓ ଏବେ ସେ ଜେଲର ରୁଟି ନ ଖାଇ ସେଠାକାର କ୍ୟାଣ୍ଟିନରେ ମିଳୁଥିବା ଖାଦ୍ୟ କିଣି ଖାଉଛନ୍ତି ତଥାପି ତାଙ୍କ ଡାଏଟ ଚାଟ ବି ପ୍ରସ୍ତୁତ ରହିଛି । ସକାଳେ ସେ ୧ ଗ୍ଲାସ ନଡ଼ିଆ ପାଣି କିମ୍ବା ଏକ କପ ଗୋଲମରିଚ ପକା ଚା’ ପିଇବେ । ଜଳଖିଆରେ ଏକ କପ କମ ଚର୍ବିଯୁକ୍ତ କ୍ଷୀର, ୧ ଚାମଚ ଫ୍ଲାକ୍‌(ଫେଶି) ବା ଚିଆ ମଞ୍ଜି, ୫-୬ଟି ବାଦାମ, ଗୋଟିଏ ଅଖରୋଟ, ତା’ପରେ ଲାଉ/ବିଟ/ମୌସୁମୀ/ବାଦମ/କାକୁଡି ବା ଆଲୋଭେରା ଜୁସ ଏକ ଗ୍ଲାସ ପିଇବେ । ଜୁସ ବଦଳରେ ପିଜୁଳି, କିୱି ବା ଷ୍ଟ୍ରବେରୀ ଖାଇପାରିବେ । ସେହିପରି ମଧ୍ୟାହ୍ନ ଭୋଜନରେ ବାଜରା ବା ମାଣ୍ଡିଆ ଅଟାର ରୁଟି ଗୋଟିଏ, ସାଲାଡ ୧ ଗିନା ଓ ଲାଉ ରାଇ ଖାଇବେ । ସନ୍ଧ୍ୟାରେ କମ୍ ଚର୍ବିଥିବା କ୍ଷୀରର ଚା ଓ ଛୋଟ ଖଣ୍ଡେ ପନିର । ସେମିତି ରାତ୍ରି ଭୋଜନରେ ମିକ୍ସ ସବଜି ଓ ଡାଲି ସୁପ/କଳାଚଣା ସୁପ ଓ ସାଲାଡ ଖାଇବେ । ଦିନକୁ ସେ ୧୦-୧୫ ଗ୍ଲାସ ପାଣି ପିଇବା ସହ ୩୦-୪୫ ମିନିଟ ବ୍ୟାୟାମ କରିବେ ।

Share