ଜାଣନ୍ତୁ ଛୋଟ ବଡ଼ ପରଦାର ’କତେଜଣ ଦାଦି ମା’ଙ୍କ ସମ୍ପର୍କରେ…

କାହାଣୀର ପେଡ଼ି ସେ। ସେ ହିଁ ଶୁଣନ୍ତି ପିଲାଙ୍କ ସବୁ ଅଳି ଅର୍ଦ୍ଦଳି। ତାଙ୍କରି ପଣତ ପୁଣି କେବେ ସାଜେ ବାପାମା’ଙ୍କ ଗାଳିମାଡ଼ଠୁ ବଞ୍ଚତ୍ବାର ଆଶ୍ରୟସ୍ଥଳୀ। ସେଇ ସ୍ନେହମୟୀ ମଣିଷ ଜଣକ ହେଉଛନ୍ତି ସମସ୍ତଙ୍କ ପ୍ରିୟ ଜେଜେମା’। ବାସ୍ତବିକ ଜୀବନରେ ଯେମିତି ଜେଜେମା’ ବା ଦାଦିଙ୍କ ମହତ୍ୱ ଢେର୍‌ ବେଶି, ସେମିତି ରିଲ୍‌ ବା ପରଦାରେ ବି ଜେଜେମା’ ବା ଦାଦି ମା’ ଚରିତ୍ର ବିନା କାହାଣୀ ଲାଗେ ଫିକା। ପରଦା ଉପରେ ଜେଜେ ମା’ ଚରିତ୍ରକୁ ଜୀବନ୍ତ ଭାବେ ଫୁଟାଇ ସମସ୍ତଙ୍କ ହୃଦୟରେ ଘର କରିଥିବା କେତେଜଣ ଦାଦି ଏଥରର ପ୍ରଚ୍ଛଦରେ..
ଜେଜେମା’ ଚରିତ୍ରରେ ଅଭିନୟ ଭିନ୍ନ ଖୁସି ଦେଉଛି : ଜୟା ସ୍ବାମୀ- ଦିନେ ଚୁଲ୍‌ବୁଲି ନାୟିକା ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବେଶ୍‌ ନାଁ କମେଇଥିଲେ ଜୟା ସ୍ବାମୀ। ପାର୍ଶ୍ୱ ନାୟିକା ହେଉ ଅଥବା ମୁଖ୍ୟ ନାୟିକା; ଯାହାବି ଚରିତ୍ର ମିଳୁଥିଲା ତାକୁ ନିଖୁଣ ଭାବେ ପରଦା ଉପରେ ଫୁଟାଇବାକୁ ସେ ଚେଷ୍ଟା କରୁଥିଲେ। ‘ହାକିମ ବାବୁ’, ‘ପୂଜା ଫୁଲ’, ‘ଜାଇଫୁଲ’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ଜୟାଙ୍କ ଅଭିନୟ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁଯାଇଥିଲା। ଏପରିକି ‘ହାକିମ ବାବୁ’ରେ ତାଙ୍କ ଅଭିନୟ ଓ ନୃତ୍ୟ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା। ପ୍ରଥମ ଓଡ଼ିଆ ରଙ୍ଗିନ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’କୁ ଦେଖି ଅଭିନୟକୁ କ୍ୟାରିୟର୍‌ କରିବାକୁ ଚାହୁଁଥିବା ଜୟାଙ୍କୁ ପରିବାରରେ ସମସ୍ତେ ସପୋର୍ଟ କରୁଥିଲେ ବି ତାଙ୍କ ମା’ କିନ୍ତୁ ପ୍ରଥମେ ରାଜି ନ ଥିଲେ। ଜୟା ଓଡ଼ିଶୀ ନୃତ୍ୟ ଶିଖିଥିଲେ ତେଣୁ ସେଥିରେ କ୍ୟାରିୟର୍‌ କରୁ ବୋଲି ତାଙ୍କ ମା’ ଚାହୁଁଥିଲେ। ହେଲେ ଜୟାଙ୍କର ଅଭିନୟ ପ୍ରତି ଆକର୍ଷଣ ଥିବା ଦେଖି ପୂରା ପରିବାର ଜୟାଙ୍କ ମା’ଙ୍କୁ ବୁଝାଇବାକୁ ଲାଗିପଡିଲେ। ଶେଷରେ ସମସ୍ତଙ୍କର କଥା ରହିଲା ଆଉ ଜୟା ଓଡ଼ିଆ ଚଳଚ୍ଚିତ୍ର ‘ଝିଲ୍‌ମିଲ୍‌’ରୁ ନିଜର ଅଭିନୟ କ୍ୟାରିୟର୍‌ ଆରମ୍ଭ କଲେ। ଏଥିରେ ସେ ଶ୍ରୀରାମ ପଣ୍ଡାଙ୍କର ଭଉଣୀ ଚରିତ୍ରରେ ଅଭିନୟ କରିଥିଲେ। କ୍ରମେ ପାର୍ଶ୍ୱ ନାୟିକା, ନାୟିକା ଏହିପରି ସେ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ିଚାଲିଲେ। ମଝିରେ ଅବଶ୍ୟ କିଛି ବର୍ଷ ସେ ଅଭିନୟରୁ ଦୂରେଇ ଯାଇଥିଲେ। ଏବେ କିନ୍ତୁ ସେ ପୁଣିଥରେ ଫେରିଛନ୍ତି ଅଭିନୟ ଜଗତକୁ। ତାଙ୍କର ଏହି ଲେଉଟାଣି ପର୍ବରେ ଅନ୍ୟାନ୍ୟ ଚରିତ୍ର ସହ ଜେଜେମା’ ଚରିତ୍ର ଏବେ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ବିଶେଷକରି ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ରେ ମିଳିଥିବା ଜେଜେମା’ କ୍ୟାରେକ୍ଟରଟି ତାଙ୍କୁ ବେଶ୍‌ ମାଇଲେଜ୍‌ ଦେଇଛି। ଏଥିରେ ସେ ‘ଭୈରବୀ ଦେବୀ’ ଚରିତ୍ରରେ ଅଭିନୟ କରୁଛନ୍ତି। ୟା’ପୂର୍ବରୁ ‘କାହାର ହେବି ମୁଁ କଣ୍ଢେଇ’ ଧାରାବାହିକରେ କଣ୍ଢେଇ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀଙ୍କର ଜେଜେମା’ କୌଶଲ୍ୟା କ୍ୟାରେକ୍ଟରରେ ଜୟା ଅଭିନୟ କରି ଦର୍ଶକଙ୍କର ମନ ଜିଣିଥିଲେ। ତା’ଛଡ଼ା ‘ଅପରାହ୍ନର ସୂର୍ଯ୍ୟ’ ଚଳଚ୍ଚିତ୍ରରେ ବି ଜୟା ଜେଜେମା’ର ଚରିତ୍ରରେ ଅଭିନୟ କରିଛନ୍ତି। ଏ ନେଇ ଜୟା କୁହନ୍ତି, ‘ମୁଁ ସବୁବେଳେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଭଲପାଏ। ବୟସ ଥିଲା ନାୟିକା ହେଉଥିଲି ଆଉ ଏବେ ମା’ ହେଉ କି ଜେଜେ ମା’; ଯାହାବି ଚରିତ୍ର ମିଳୁଛି ସେଥିରେ ଶତ ପ୍ରତିଶତ ଦେବାକୁ ଚେଷ୍ଟା କରୁଛି। ତେବେ ଜେଜେମା’ ଚରିତ୍ରରେ ଅଭିନୟ ମୋତେ ଭିନ୍ନ ଖୁସି ଦେଉଛି। ’
ଜେଜେମା’ ଚରିତ୍ରରେ ଅଭିନୟ ମୋ
ବ୍ୟକ୍ତିତ୍ୱକୁ ବଦଳାଇଦେଲା: ଈଶା ବେବର୍ତ୍ତା
ବ୍ୟକ୍ତିଗତ ଜୀବନରେ ଜଣେ ଅବିବାହିତା ମହିଳା ହେଲେ ବି ପରଦା ଉପରେ ମା’ ଓ ଜେଜେମା’ ଚରିତ୍ରରେ ଅଭିନୟ କରିବାରେ ଈଶା ବେବର୍ତ୍ତା ବେଶ୍‌ ମାହିର। ଦିନ ଥିଲା ସିଏ ଅଭିନୟ କ’ଣ ଜାଣି ନ ଥିଲେ,କିନ୍ତୁ ଗୀତ ଭଲ ଗାଉଥିଲେ। ହିନ୍ଦୁସ୍ତାନୀ କ୍ଲାସିକାଲରେ ସେ ବିଶାରଦ ପାସ୍‌ କରିଥିଲେ। ସଙ୍ଗୀତ କ୍ଷେତ୍ରରେ ନାଁ କରିବାକୁ ସେ ଥରେ କଟକ ଅଲ୍‌ ଇଣ୍ଡିଆ ରେଡିଓକୁ ଅଡିଶନ ଦେବାକୁ ଆସିଥିଲେ। ସମୟକ୍ରମେ ତାଙ୍କର ଅକ୍ଷୟ ମହାନ୍ତିଙ୍କ ସହ ଦେଖା ହେଲା ଆଉ ସିଏ ତାଙ୍କ ମ୍ୟୁଜିକାଲ ଟ୍ରୁପ୍‌ରେ କାମ କରିବାକୁ ଲାଗିଲେ। ଅକ୍ଷୟ ମହାନ୍ତିଙ୍କ ସହ ମିଶି ବିଭିନ୍ନ ଷ୍ଟେଜ୍‌ ଶୋ’ରେ ଗୀତ ଗାଇବା ପରେ ତାଙ୍କୁ କ୍ରମେ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ମିଳିଥିଲା। ‘କସ୍ତୁରି’, ‘ଘର ମୋର ସ୍ବର୍ଗ’ ଆଦି କେତେକ ଚଳଚ୍ଚିତ୍ରରେ ସେ କଣ୍ଠଦାନ କଲେ। ଏଇ ଗୀତ ଗାଇବା ଭିତରେ ତାଙ୍କୁ କଳା ବିକାଶ କେନ୍ଦ୍ର ତରଫରୁ ପ୍ରସ୍ତୁତ ଏକ ନାଟକ ‘ଅନୁବନ୍ଧନ’ରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଅଭିନୟର ‘ଅ’ ଅକ୍ଷର ଜାଣି ନ ଥିବା ଈଶା କିନ୍ତୁ ସେଥିରେ ଏତେ ସୁନ୍ଦର ଅଭିନୟ କଲେ ଯେ, ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା। ଏଇଟା ହିଁ ଥିଲା ତାଙ୍କ ଅଭିନୀତ ପ୍ରଥମ ଓ ଶେଷ ନାଟକ। ତା’ପରେ ଈଶା ‘ଜାଇଫୁଲ’ ଚଳଚ୍ଚିତ୍ରରେ ଜୟା ସ୍ବାମୀଙ୍କର ମା’ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଲେ। ବାସ୍‌ ତା’ପରଠୁ ତାଙ୍କୁ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ରର ଅଫର୍‌ ମିଳିଚାଲିଲା। ବିଶେଷକରି ତାଙ୍କର ନେଗେଟିଭ୍‌ ଚରିତ୍ରରେ ଅଭିନୟକୁ ଦର୍ଶକେ ଖୁବ୍‌ ପସନ୍ଦ କଲେ। ‘ଆମ ଘର ଆମ ସଂସାରରେ’ ଈଶାଙ୍କର ଦମଦାର୍‌ ଅଭିନୟକୁ ଦର୍ଶକେ ଖୁବ୍‌ ପ୍ରଶଂସା କରିବା ସହ ତାଙ୍କୁ ଏଥିପାଇଁ ବେଷ୍ଟ ସର୍ପୋଟିଂ ଆକ୍ଟ୍ରେସ୍‌ର ଆଓ୍ବାର୍ଡ ମିଳିଥିଲା। ବେଶ୍‌ କିଛି ବର୍ଷ ନେଗେଟିଭ୍‌ ଚରିତ୍ରରେ ମା’ କିମ୍ବା ଶାଶୁ ଭୂମିକାରେ ଅଭିନୟ କରିବା ପରେ ଈଶାଙ୍କୁ ‘ମହାଯଜ୍ଞ’ ଧାରାବାହିକରେ ପ୍ରଥମେ ଜଣେ ଦାୟିତ୍ୱସମ୍ପନ୍ନ ସ୍ନେହୀ ଜେଜେମା’ର ଭୂମିକା ମିଳିଥିଲା; ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ତା’ପରେ ଡିଡି ଓଡ଼ିଆ ତରଫରୁ ‘କଥା ସରିତା’ ଶୀର୍ଷକ ଗୋଟିଏ ଆଈମା’ ତା’ର ନାତିନାତୁଣୀଙ୍କୁ ବିଭିନ୍ନ ହିତୋପଦେଶ କାହାଣୀ କହୁଥିବାର ସିରିଜ୍‌ରେ ଈଶାଙ୍କୁ ଆଈମା’ ଭୂମିକାରେ ଦେଖିବାକୁ ମିଳିଥିଲା; ଯାହାକୁ ବି ଖୁବ୍‌ ଲୋକପ୍ରିୟତା ମିଳିଲା। ସେହିପରି ‘ସୌଭାଗ୍ୟବତୀ’, ‘ସୁହାଗ ସିନ୍ଦୂର’, ‘ଖୁସିର ଛୁଙ୍କ’ ଆଦି ଧାରାବାହିକ ଏବଂ ‘ପ୍ରିୟେ ତୁ ମୋ ସିଏ’ ଫିଲ୍ମରେ ଜେଜେମା’ ଭୂମିକାରେ ଅଭିନୟ ଈଶାଙ୍କୁ ନିଆରା ଆନନ୍ଦ ପ୍ରଦାନ କରିଥିଲା। ଏ ନେଇ ଈଶା କୁହନ୍ତି, ‘ପ୍ରାୟତଃ ରାଗି ମା’ କିମ୍ବା ଖଳ ଶାଶୁ ଭୂମିକାରେ ମୋ ଅଭିନୟକୁ ଦେଖିଦେଖି ଦର୍ଶକଙ୍କ ମନରେ ମୋ ବ୍ୟକ୍ତିତ୍ୱକୁ ନେଇ ଗୋଟେ ଖରାପ ଛାପ ରହିଯାଇଥିଲା। କିନ୍ତୁ ଏଇ ଯେଉଁ କେତୋଟି ସ୍ନେହୀ ଜେଜେମା’ର କ୍ୟାରେକ୍ଟର ମୁଁ କଲି ତାହା ମୋ ଇମେଜ୍‌କୁ ବଦଳାଇଦେଲା। ନଚେତ୍‌ ଲୋକଙ୍କ ମନରେ ମୁଁ ସବୁବେଳ ପାଇଁ ସେମିତି ଖଳନାୟିକା ହୋଇ ରହିଯାଇଥାନ୍ତି।’
ବଲିଉଡ୍‌ର ପ୍ରିୟ ଦାଦି ଜୋହରା ସେହଗଲ
ଜୋହରା ସେହଗଲଙ୍କର ପ୍ରକୃତ ନାମ ସାହିବଜାଦି ଜୋହରା ମୁମତାଜ ଉଲ୍ଲାହ ଖାନ ବେଗମ୍‌। ସେ ହେଲେ ଜଣେ ଲୋକପ୍ରିୟ ଅଭିନେତ୍ରୀ, ନୃତ୍ୟାଙ୍ଗନା ତଥା କୋରିଓଗ୍ରାଫର୍‌। କିନ୍ତୁ ଛୋଟବେଳୁ ଟମ୍‌ବୟ ସ୍ବଭାବର ଥିଲେ ଜୋହରା। ଗଛ ଚଢିବା, ବିଭିନ୍ନ ପ୍ରକାରର ଆଉଟ୍‌ଡୋର୍‌ ଗେମ୍‌ ଖେଳିବାରେ ତାଙ୍କର ରୁଚି ରହୁଥିଲା। କମ୍‌ ବୟସର ଥିବାବେଳେ ଗ୍ଲୁକୋମା ଯୋଗୁ ଜୋହରାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା। ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଥିବା ଯୋଗୁ ପରିବାର ଲୋକେ ବହୁ ଅର୍ଥ ଖର୍ଚ୍ଚ କରି ତାଙ୍କ ଆଖିକୁ ପୁଣିଥରେ ଠିକ୍‌ କରାଇଥିଲେ। ତା’ପରେ ତାଙ୍କର ପାଠପଢା ଚାଲିଲା। ନୃତ୍ୟ ପ୍ରତି ରୁଚି ଥିବା ଯୋଗୁ ପରେ ଜର୍ମାନର ଲୋକପ୍ରିୟ ଡ୍ୟାନ୍ସର ତଥା କୋରିଓଗ୍ରାଫର୍‌ ମାରି ଓ୍ବିଗମାନଙ୍କ ତତ୍ତ୍ୱାବଧାନରେ ତିନିବର୍ଷ ମଡର୍ନ ଡ୍ୟାନ୍ସ ଉପରେ ସେ କୋର୍ସ କଲେ। ସମୟକ୍ରମେ ତାଙ୍କର ଭାରତର ଲୋକପ୍ରିୟ ଡ୍ୟାନ୍ସର ତଥା କୋରିଓଗ୍ରାଫର୍‌ ଉଦୟ ଶଙ୍କରଙ୍କ ସହ ପରିଚୟ ହେଲା। ତାଙ୍କ ଡ୍ୟାନ୍ସିଂ ଟ୍ରୁପ୍‌ରେ ମିଶି ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ନୃତ୍ୟ ପରିବେଷଣ କରିବା ଦ୍ୱାରା ଜୋହରାଙ୍କର କ୍ରମେ ପରିଚିତି ବଢିଲା। ଏଇ ଭିତରେ ଜୋହରା ନିଜଠାରୁ ୮ ବର୍ଷ ସାନ ଇନ୍ଦୋରର ଜଣେ ଯୁବ ବୈଜ୍ଞାନିକ, ପେଣ୍ଟର ତଥା ଡ୍ୟାନ୍ସର କାମେଶ୍ୱର ସେହଗଲଙ୍କୁ ପ୍ରେମ ବିବାହ କଲେ ଏବଂ ଲାହୋର ଯାଇ ସେଠାରେ ନିଜର ଏକ ଡ୍ୟାନ୍ସ ଏକାଡେମୀ ଖୋଲିଲେ। ହେଲେ ଭାରତ ବିଭାଜନ କଥା ଉଠିବାରୁ ସେମାନେ ଲାହୋର ଛାଡି ବମ୍ବେ ଆସିଲେ ଆଉ ଏଠି ଜୋହରା ଥିଏଟର୍‌ରେ ଅଭିନୟ କରିବାକୁ ଲାଗିଲେ। ଏହି ସମୟରେ ତାଙ୍କୁ ‘ଧର୍‌ତି କେ ଲାଲ୍‌’ ଓ ‘ନିଚା ନଗର’ ଶୀର୍ଷକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଲା। ନିଜ କ୍ୟାରିୟରକୁ ଟିକେ ସଜାଡିବାକୁ ଚେଷ୍ଟା କରୁଥିବାବେଳେ ହଠାତ୍‌ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହେଲା। ଦୁଃଖର କଳାବାଦଲ ଘନେଇଗଲା ତାଙ୍କ ଜୀବନରେ। ନିଜକୁ ସମ୍ଭାଳି ପୁଣିଥରେ ନିଜ କ୍ୟାରିୟରକୁ ସଜାଡିବାକୁ ସେ ଚେଷ୍ଟା କଲେ। ଏଥିପାଇଁ ତାଙ୍କୁ ବହୁ କଷ୍ଟ କରିବାକୁ ମଧ୍ୟ ପଡିଥିଲା। ଶେଷରେ ସେ ସଫଳ ମଧ୍ୟ ହେଲେ। କେବଳ ବଲିଉଡ୍‌ ନୁହେଁ ନିଜ ଚେଷ୍ଟା ବଳରେ ସେ ଅନେକ ବ୍ରିଟିଶ ଫିଲ୍ମ ଓ ଟେଲିଭିଜନ୍‌ ସିରିଏଲ୍‌ରେ ମଧ୍ୟ ଅଭିନୟ କଲେ। ତା’ସହିତ କୋରିଓଗ୍ରାଫ ବି କରିବାକୁ ଲାଗିଲେ। ତେବେ ହିନ୍ଦୀ ସିନେମା ଜଗତରେ ବିଭିନ୍ନ ଚରିତ୍ରରେ ନିଖୁଣ ଭାବେ ଅଭିନୟ କରି ଖୁବ୍‌ ଲୋକପ୍ରିୟତା ହାସଲ କରିବା ପରେ ଜୋହରା କ୍ରମେ ଦାଦୀ (ଜେଜେମା’)/ନାନୀ (ଆଈ) ଭୂମିକାରେ ଅଭିନୟ କରିବାକୁ ଲାଗିଲେ। ସୂଚନାନୁଯାୟୀ, ଜୋହରା ଏବଂ ତାଙ୍କର ଜଣେ ଭଉଣୀ ଉଜରା ବୁତ୍ତଙ୍କ ଉପରେ ପର୍ଯ୍ୟବସିତ ଏକ ଲୋକପ୍ରିୟ ନାଟକ ‘ଏକ ଥି ନାନୀ’ ଲାହୋରରେ ଥରେ ପରିବେଷଣ କରାଯାଇଥିଲା; ଯାହାକି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ପରେ ଏହାର ଇଂଲିଶ ଭର୍ସନ ‘ଏ ଗ୍ରାନୀ ଫର୍‌ ଅଲ୍‌ ସିଜନ୍ସ’ ବି ପ୍ରସ୍ତୁତ ହୋଇଥିଲା; ଯାହାକୁ ମଧ୍ୟ ଦର୍ଶକଙ୍କର ପ୍ରଶଂସା ମିଳିଥିଲା। ସେହିପରି ବଲିଉଡ୍‌ ଫିଲ୍ମ ‘ଦିଲ୍‌ ସେ’, ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’, ‘ଭିର୍‌ ଜାରା’, ‘ଚଲୋ ଇସ୍କ ଲଡାୟେ’ ଇତ୍ୟାଦିରେ ଜୋହରା ସେହଗଲଙ୍କ ଦ୍ୱାରା ଅଭିନୟ କରାଯାଇଥିବା ଦାଦୀ ଚରିତ୍ରଗୁଡ଼ିକ ଦର୍ଶକଙ୍କ ମନକୁ ବେଶ୍‌ ଛୁଇଁ ଯାଇଥିଲା। ସେଥିପାଇଁ ଜୋହରା ସେହଗଲ୍‌ଙ୍କୁ ବଲିଉଡ୍‌ର ପ୍ରିୟ ଦାଦୀ ବୋଲି ଅନେକେ ସମ୍ବୋଧନ କରିଥାନ୍ତି। କିନ୍ତୁ ଏହି ଦାଦୀ ଆଉ ନାହାନ୍ତି, ୨୦୧୪ରୁ ତାଙ୍କର ମୃତ୍ୟୁ ହୋଇସାରିଛି।
ପ୍ରିୟ ବଲିଉଡ୍‌ ଦାଦୀ ଡିନା ପାଠକ
ଉଭୟ ହିନ୍ଦୀ ଓ ଗୁଜୁରାଟୀ ଫିଲ୍ମ ଜଗତର ଜଣେ ନାମକରା ଅଭିନେତ୍ରୀ ହେଲେ ଡିନା ପାଠକ। ତା’ସହିତ ସିଏ ଜଣେ ଥିଏଟର୍‌ ଆର୍ଟିଷ୍ଟ ମଧ୍ୟ। ପ୍ରାୟ ୬୦ ବର୍ଷର ଅଭିନୟ କ୍ୟାରିୟର୍‌ ମଧ୍ୟରେ ଡିନା ପ୍ରାୟ ୧୨୦ଟି ଉଭୟ ହିନ୍ଦୀ ଓ ଗୁଜୁରାଟୀ ଫିଲ୍ମ ଅଭିନୟ କରିଥିବା ସୂଚନା ରହିଛି। ତାଙ୍କ ଅଭିନୀତ କେତୋଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ହେଲା ଗୋଲ୍‌ ମାଲ୍‌, ଖୁବ୍‌ସୁରତ୍‌, କୋସିଶ୍‌, ଉମାରାଓ ଜାନ, ମିର୍ଚ୍ଚ ମସାଲା, ମୋହନ ଜୋଶି ହାଜିର ହୋ ଇତ୍ୟାଦି। ଗୁଜରାଟରେ ଜନ୍ମିତ ଡିନାଙ୍କର ପିଲାଟି ଦିନରୁ ଫ୍ୟାଶନ ଓ ଫିଲ୍ମ ପ୍ରତି ଦୁର୍ବଳତା ରହିଆସିଥିଲା। ସେଥିପାଇଁ ପଢା ସହିତ ସେ ପ୍ରଥମେ ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଥିଏଟର୍‌ରେ ନିଜର ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ପରେ ପରେ ଗୁଜରାଟର ଏକ ଥିଏଟର୍‌ରେ ବି କାମ କରିବାକୁ ଲାଗିଲେ। ‘କରିୟାଓ୍ବାର୍‌’ ଶୀର୍ଷକ ଏକ ଗୁଜରାଟୀ ଫିଲ୍ମରୁ ସେ ନିଜର ଫିଲ୍ମ କ୍ୟାରିୟର୍‌ ଆରମ୍ଭ କରିଥିଲେ। ତାଙ୍କର ଦମ୍‌ଦାର ଅଭିନୟ ଯୋଗୁ ତାଙ୍କୁ ଗୋଟେ ପରେ ଗୋଟେ ଗୁଜରାଟୀ ଫିଲ୍ମର ଅଫର୍‌ ମିଳିଚାଲିଲା। ଖୁବ୍‌ କମ୍‌ ଦିନରେ ସେ ଗୁଜରାଟୀ ସିନେମା ଜଗତରେ ରାଜ୍‌ କରିବାକୁ ଲାଗିଲେ। ଏହି ଭିତରେ ସେ ଅହମଦାବାଦ୍‌ରେ ‘ନାଟମଣ୍ଡଳ’ ନିଜର ଏକ ଥିଏଟର୍‌ ଗ୍ରୁପ୍‌ ଖୋଲିଲେ। ଏହି ଗ୍ରୁପ୍‌ ତରଫରୁ ଖୁବ୍‌ ଭଲ ଭଲ ନାଟକ ପରିବେଷଣ ବି କରାଗଲା। ନାଟକ କଥା ବୁଝିବା ସହ ଏହି ସମୟରେ ଡିନା ସତ୍ୟକାମ, ସାତ ହିନ୍ଦୁସ୍ତାନୀ, ଦ ଗୁରୁ ନାମକ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିବାକୁ ଲାଗିଲେ। ବଲିଉଡ୍‌ରେ ବି ତାଙ୍କର ଭଲ ନାଁ ହେଲା। ବେଶ୍‌ କିଛି ଦିନ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ପରେ ତାଙ୍କୁ ମା’ ଓ ପରେ ପରେ ଜେଜେମା’ ବା ଦାବି ଭୂମିକାରେ ଅଭିନୟ କରିବାକୁ ସୁଯୋଗ ଦିଆଗଲା। ଏହି ଚରିତ୍ରକୁ ବି ଖୁବ୍‌ ନିଖୁଣ ଭାବେ ପରଦାରେ ଫୁଟାଇଲେ ଡିନା ପାଠକ ଆଉ ବନିଗଲେ ବଡିଉଡ୍‌ର ପ୍ରିୟ ଦାଦୀ। ସେହିପରି ପପୁଲାର୍‌ ଟିଭି ସିରିଜ୍‌ ‘ମାଲ୍‌ଗୁଡ଼ି ଡେଜ୍‌’ର କିଛି ଏପିସୋଡ୍‌ରେ ଅଭିନୟ କରି ଡିନା ନିଆରା ଲୋକପ୍ରିୟତା ମଧ୍ୟ ପାଇଥିଲେ। କିନ୍ତୁ ବଲିଉଡ୍‌ର ଏହି ଦାଦୀଙ୍କ ୨୦୦୨ରେ ମୃତ୍ୟୁ ହୋଇଥିଲା।
ବାଲିକା ବଧୂର ଦାଦିଶା ସୁରେଖା ସିକ୍ରି
ଥରେ ମନେ ପକାନ୍ତୁ ତ କଲର୍ସ ଓଡିଆର ସେଇ ଲୋକପ୍ରିୟ ଧାରାବାହିକ ‘ବାଲିକା ବଧୂ’ କଥା। ଏଥିରେ ଯିଏ ଦାଦିଶା ଭୂମିକାରେ ଦମ୍‌ଦାର ଅଭିନୟ କରୁଥିଲେ ସେ କିଏ ଜାଣନ୍ତି, ସେ ହେଲେ ସୁରେଖା ସିକ୍ରି। ଯିଏକି ଜଣେ ଲୋକପ୍ରିୟ ଥିଏଟର୍‌, ଫିଲ୍ମ ତଥା ଟେଲିଭିଜନ ଅଭିନେତ୍ରୀ। ଅଭିନୟରେ ପାରଦର୍ଶିତା ପାଇଁ ସିଏ ଫିଲ୍ମ ଫେୟାର୍‌ ଆଓ୍ବାର୍ଡ ଓ ନ୍ୟାଶନାଲ୍‌ ଫିଲ୍ମ ଆଓ୍ବାର୍ଡ ବି ପାଇଛନ୍ତି। ପଲିଟିକାଲ୍‌ ଡ୍ରାମା ଫିଲ୍ମ ‘କିସା କୁର୍ସି କା’ରୁ ସେ ପରଦାରେ ନିଜର ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଅଭିନୟରେ ଭଲ ଦକ୍ଷତା ଥିବା ଯୋଗୁ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମରେ ଅଭିନୟ କରିବାର ଅଫର୍‌ ମିଳିଚାଲିଲା। ପରେ ପରେ ଟିଭି ସିରିଏଲ୍‌ରେ ମଧ୍ୟ ସିଏ ଅଭିନୟ କରିବାକୁ ଲାଗିଲେ। ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରିବାରେ ତାଙ୍କର ବେଶ୍‌ ଦକ୍ଷତା ଥିଲା। କିନ୍ତୁ ତାଙ୍କର ନେଗେଟିଭ୍‌ ରୋଲ୍‌କୁ ଦର୍ଶକ ବେଶି ପସନ୍ଦ କରୁଥିଲେ। ଏହି ଭିତରେ ତାଙ୍କୁ ‘ବାଲିକା ବଧୂ’ ସିରିଏଲ୍‌ର ଦାଦିଶା ଭୂମିକା ମିଳିଲା। ମୁଖ୍ୟତଃ ଦାଦିଶା/ ଦାଦୀ ବା ଜେଜେମା’ କହିଲେ ଜଣେ ସ୍ନେହୀ ମହିଳାଙ୍କର ଛବି ଆଖି ଆଗରେ ନାଚିଯାଏ। କିନ୍ତୁ ବାଲିକା ବଧୂର ଦାଦିଶା ଥିଲେ ପୁରା ଓଲଟା। ନିୟମକାନୁନରେ ଟିକେ ଏପଟ ସେପଟ ହେଲେ ତାଙ୍କର ରାଗ ମୁଣ୍ଡ ଉପରକୁ ଚଢି ଯାଉଥିଲା; ଯାହାକୁ ସାମ୍ନା କରିବା କାଠିକରପାଠ ହୋଇଯାଉଥିଲା। ସତରେ ଏହି ଦାଦିଶା ଚରିତ୍ରଟିକୁ ବେଶ୍‌ ଭଲ ଭାବେ ପରଦା ଉପରେ ପରିବେଷଣ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ସୁରେଖା ସିକ୍ରିଙ୍କର କିନ୍ତୁ ୨୦୨୧ ମସିହାରେ ମୃତ୍ୟୁ ହେଲା।
ମା’ ଓ ଜେଜମା’ ଭୂମିକା ଫରିଦା ଜଲାଲଙ୍କୁ ଖୁବ୍‌ ମାନେ
ରୂପରେ ଯେମିତି ସୁନ୍ଦର ଅଭିନୟରେ ସେମିତି ପରିପକ୍ୱ ଫରିଦା ଜଲାଲ। ପାଖାପାଖି ୫୦ ବର୍ଷର ଅଭିନୟ କ୍ୟାରିୟର୍‌ ଭିତରେ ସେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିସାରିଥିବା ସୂଚନା ରହିଛି। ଖାସ୍‌ କରି ମା’ ଭୂମିକାରେ ତାଙ୍କର ଅଭିନୟ ବେଶ୍‌ ମନଛୁଆଁ ଲାଗେ। କେବଳ ମା’ କାହିଁକି ଜେଜେମା’ ବା ଦାଦୀ ଭୂମିକା ବି ସେ ଖୁବ୍‌ ନିଖୁଣ ଭାବେ କରିପାରନ୍ତି। ଥରେ ମନେ ପକାନ୍ତୁ ତ ‘କୁଛ୍‌ କୁଛ୍‌ ହୋତା ହୈ’ର ଫରିଦା ଜଲାଲଙ୍କର ସେଇ ଦାଦୀ ଚରିତ୍ରକୁ; ଯେଉଁଥିରେ ସେ ଶାହାରୁଖଙ୍କ ଝିଅର ଦାଦୀ ସାଜିଛନ୍ତି। ନିଜ ପୁଅର ଜୀବନରେ ପୁଣିଥରେ ଖୁସି ଫେରେଇ ଆଣିବା ପାଇଁ ନାତୁଣୀ ସହ ମିଶି ସେ କେମିତି ପ୍ଲାନିଂ କରିଛନ୍ତି ଆଉ ସେଥିରେ ସଫଳ ହୋଇଛନ୍ତି। କେବଳ ଏହି ଗୋଟିଏ ଫିଲ୍ମ ନୁହଁ ଆହୁରି ଅନେକ ଫିଲ୍ମରେ ବି ଫରିଦା ଦାଦୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କର ମନ ଜିଣିଛନ୍ତି।
କେବଳ ଏମାନେ ନୁହନ୍ତି, ଓଲିଉଡ୍‌ ହେଉକି ବଲିଉଡ୍‌ ଫିଲ୍ମ ଜଗତରେ ଆହୁରି ଏମିତି ଅନେକ ଉଚ୍ଚକୋଟୀର ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଜେଜେମା’ ବା ଦାଦୀ ଭୂମିକାରେ ଅଭିନୟ କରି ନିଜର ଏକ ନିଆରା ଛାପ ଛାଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

ଟିଭି ଇଣ୍ଡଷ୍ଟ୍ରିରେ ନିୟାଙ୍କ ୧୪ ବର୍ଷ

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଖୁଣ ଅଭିନୟ କରି ଲଗାତର ଭାବେ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ନିୟା ଶର୍ମା ଅନ୍ୟତମ। ବହୁ ସଂଘର୍ଷ...

ଇନ୍‌ଷ୍ଟାଗ୍ରାମ ବାୟୋ ପରିବର୍ତ୍ତନ କଲେ ଦୀପିକା, ପୋଷ୍ଟରେ ଲେଖିଲେ ଏମିତି…

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି। ସେପ୍ଟେମ୍ବର ୮ରେ ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହା ବିଷୟରେ...

ଫିଲ୍ମ ଦୁନିଆରୁ ସନ୍ୟାସ ଘୋଷଣା କଲେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ...

ଓଡ଼ିଆ ସିନେମାର ୭ ଏଭର ଗ୍ରିନ୍‌ ଗୀତ ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ ବା ନ ଦେଖନ୍ତୁ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri