ଅପରେଶନ ପରେ ଏବେ ସୁସ୍ଥ ଅନୁଭବ କରୁଛି: ନେତାନ୍ୟାହୁ…

ଜେରୁଜେଲମ,୨୪।୭ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କର ସଫଳ ପେସମେକର ହାର୍ଟ ସର୍ଜରୀ କରାଯାଇଛି। ଏହି ଅପରେଶନ ଏପରି ଏକ ସମୟରେ ହୋଇଛି ଯେତେବେଳେ ଦେଶ ଆଗାମୀ ଦିନରେ ସଂସଦରେ ବିବାଦୀୟ ‘ଜୁଡିସିଆଲ ରିଫର୍ମସ’ ବିଲ ଉପରେ ଭୋଟ ଦେବାକୁ ଯାଉଛି।
ଗତ ସପ୍ତାହରେ, ୭୩ ବର୍ଷିୟ ନେତାନ୍ୟାହୁ ଗାଲିଲୀ ସମୁଦ୍ର ଅଞ୍ଚଳକୁ ଯାତ୍ରା ସମୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ସମୟରେ ତାଙ୍କର ହୃଦସ୍ପନ୍ଦନ ଉପରେ ନଜର ରଖାଯାଇଥିଲା।

ନେତାନ୍ୟାହୁଙ୍କ ପେସମେକର୍‌ ଟ୍ରାନ୍ସପ୍ଲାଣ୍ଟ ଅପରେଶନ ରବିବାର ସକାଳେ ରାମତ ଗାନର ଶିବା ମେଡିକାଲରେ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଏହି ଅପରେସନ ସଫଳ ହୋଇଛି ଏବଂ ନେତାନ୍ୟାହୁ ସୁସ୍ଥ ଅନୁଭବ କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ନେତାନ୍ୟାହୁଙ୍କ ଅପରେଶନ ସମୟରେ ଉପମୁଖ୍ୟମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ୟାରିଭ ଲେଭିନ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି।

ନେତାନ୍ୟାହୁ ରବିବାର ରାତିରେ ଭିଡିଓ ମାଧ୍ୟମରେ ଏକ ସଂକ୍ଷିପ୍ତ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ମୁଁ ଏବେ ସୁସ୍ଥ ଅନୁଭବ କରୁଛି। ମୋର କିଛି ଅସୁବିଧା ହେଉ ନାହିଁ।

Share