କିଶୋର ଜେନା
୭ବର୍ଷରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ପୋରେଟ୍ ଋଣକୁ ଲିଭାଇଦେବା ନାମରେ ୯ଲକ୍ଷ ୪ହଜାର କୋଟି ଟଙ୍କାରୁ ବେଶି ପ୍ରକାରାନ୍ତରେ ଋଣଛାଡ଼ କରିଛନ୍ତି। ପ୍ରତିବର୍ଷ ସମବାୟ ସଂସ୍ଥାଗୁଡ଼ିକ ଦେଶରେ ୨୦ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ନେଣଦେଣ କରିଥାନ୍ତି। ସେହି ଅର୍ଥ ଉପରେ ଏବେ କର୍ପୋରେଟ୍ଙ୍କ ଲୋଲୁପ ଦୃଷ୍ଟି। ଏଥିରେ ସହାୟତା କରିବାକୁ ଆଗେଇ ଆସିଛି କେନ୍ଦ୍ର ସରକାର ଏବଂ ଏଥିନିମନ୍ତେ ଏକ ନୂତନ ମନ୍ତ୍ରଣାଳୟ ‘ସମବାୟ’ ସୃଷ୍ଟି କରିଛନ୍ତି। ଏହି ବିଭାଗର ଦାୟିତ୍ୱ ଅର୍ଥମନ୍ତ୍ରୀ ଓ ଭାଜପାର ଦୁଇ ନମ୍ବର ନେତା ଅମିତ ଶାହାଙ୍କୁ ଅର୍ପଣ କରାଯାଇଛି। ଅମିତ ଶାହାଙ୍କୁ ଏହି ନୂତନ ବିଭାଗର ଦାୟିତ୍ୱ ଦେବା ପଛରେ କପୋରେଟ୍ ଲୁଟର ଷଡ଼ଯନ୍ତ୍ର ରହିଛି ବୋଲି ବିରୋଧୀ ଦଳ ଓ ସମବାୟବିତ୍ମାନେ ମତ ପ୍ରକାଶ କରିବା ସହ ସମବାୟ ସମ୍ପୂର୍ଣ୍ଣ ଭାବେ ରାଜ୍ୟର ଦାୟିତ୍ୱ ଥିବାବେଳେ ଏବେ କେନ୍ଦ୍ରର ହସ୍ତକ୍ଷେପର ରାସ୍ତା ଖୋଲି ଦିଆଗଲା।
ବିଭିନ୍ନ ରାଜ୍ୟର ସମବାୟ ଓ ସଂସ୍ଥାଗୁଡ଼ିକ କୃଷି ଓ କ୍ଷୁଦ୍ରଶିଳ୍ପ, କ୍ଷୁଦ୍ର ବ୍ୟବସାୟୀ, ଗ୍ରାମୀଣ ଆର୍ଥିକ କ୍ଷେତ୍ରକୁ ଋଣ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛନ୍ତି। ସମବାୟକୁ କେନ୍ଦ୍ରକରି ରାଜ୍ୟଗୁଡ଼ିକରେ ରାଜନୈତିକ କ୍ଷେତ୍ରରେ ବିଭିନ୍ନ ରାଜନୈତିକ ଦଳ ପ୍ରଭାବ ବଢ଼ାଇବାର ପ୍ରୟାସ କରିଥାଆନ୍ତି। ଏଣୁ ସମବାୟକୁ କେନ୍ଦ୍ରୀୟ ଭାବେ ନିୟନ୍ତ୍ରଣ କରିବାକୁ ସେହି ଲକ୍ଷ୍ୟ ଭାଜପାର ରହିଛି ବୋଲି ଅନେକେ ମତ ପ୍ରକାଶ କରନ୍ତି। ଉଲ୍ଲେଖ କରାଯାଇପାରେ ରାଜ୍ୟଗୁଡ଼ିକ ମଧ୍ୟରେ କୃଷି ଋଣ ସହାୟତାରେ ଓଡ଼ିଶାର ଉଲ୍ଲେଖନୀୟ ଭୂମିକା ରହିଛି। ସମବାୟ ସମିତିଗୁଡ଼ିକରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ନେଉଥିବା ଚାଷୀମାନଙ୍କୁ ଓଡ଼ିଶାରେ ସୁଧ ଦେବାକୁ ପଡ଼ୁନାହିଁ। ଓଡ଼ିଶାରେ କୃଷି ଋଣ ମୁଖ୍ୟତଃ ସମବାୟ ସମିତି ମାଧ୍ୟମରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକ ଦେଉଛନ୍ତି। ଅନ୍ୟାନ୍ୟ ବ୍ୟାଙ୍କ ତୁଳନାରେ ସମବାୟ ବ୍ୟାଙ୍କଗୁଡ଼ିକର କୃଷି ଋଣ ପରି ମାନ ଯଥେଷ୍ଟ ବେଶି।
ବିଭିନ୍ନ ରାଜ୍ୟ ମଧ୍ୟରେ ସମବାୟ ପ୍ରସାରରେ ଅଗ୍ରଣୀ ଭୂମିକା ପଞ୍ଜାବର ରହିଛି। ଏହି ରାଜ୍ୟରେ କୃଷି ସମବାୟ ସମିତିର ସଂଖ୍ୟା ୫୦୦ରୁ ବେଶି। ଏହାଛଡ଼ା ରହିଛି ୫୦୦୦ ଦୁଗ୍ଧ ଫେଡ଼େରେଶନ। ରହିଛି ରାଜ୍ୟସ୍ତରୀୟ ତିନୋଟି ବଡ଼ ସମବାୟ ବ୍ୟାଙ୍କ। ସମସ୍ତ ସମବାୟର ମୋଟ ଋଣ ନେଣଦେଣର ପରିମାଣ ୧୫ଲକ୍ଷ କୋଟି ଟଙ୍କା। ଏହାପରେ ସମବାୟରେ ଆଗୁଆ ରାଜ୍ୟ ହେଉଛି ମହାରାଷ୍ଟ୍ର। ପ୍ରାଥମିକ କୃଷି ସମବାୟ ଓ ଦୁଗ୍ଧ ସମବାୟ ସଂସ୍ଥା ୨୦୦୦ରୁ ଅଧିକ। ଚିନିକଳର ବଡ଼ ବଡ଼ ୨୦୦ଟି ସମବାୟ ସମିତି ରହିଛି। ମୋଟ ଋଣ ନେଣଦେଣର ପରିମାଣ ୩୫ ହଜାର କୋଟି ଟଙ୍କା। ଉତ୍ତରପ୍ରଦେଶରେ ଜିଲାସ୍ତରୀୟ ସମବାୟ ସମିତିର ସଂଖ୍ୟା ୨୫ହଜାର ୯୦୭। ଏଗୁଡ଼ିକର ଋଣ ନେଣଦେଣର ପରିମାଣ ୫,୯୮୬ କୋଟି ଟଙ୍କା। ବିହାରରେ ପ୍ରାଥମିକ କୃଷି ସମବାୟ ସଂସ୍ଥା ୮୪୦୦ଟି। ରାଜ୍ୟସ୍ତରୀୟ ସମବାୟ ସଂସ୍ଥାର ସଂଖ୍ୟା ୩୮ଟି। ମୋଟ ଋଣ ନେଣଦେଣର ପରିମାଣ ହେବ ୩୦ ହଜାର କୋଟି ଟଙ୍କା। ଏହାଛଡ଼ା କର୍ନାଟକ, ଗୁଜରାଟ, ତାମିଲନାଡ଼ୁ, କେରଳ ସହ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟର ସମବାୟରେ ଯଥେଷ୍ଟ ପ୍ରସାର ଘଟିଛି। ସବୁ ମିଶି ଆନୁମାନିକ ୨୦ ଲକ୍ଷ କୋଟି ଟଙ୍କା ଉପରେ ପ୍ରତିବର୍ଷ ଋଣ ନେଣଦେଣ ସମବାୟ ସଂସ୍ଥା ଜରିଆରେ ସାରା ଦେଶରେ ହୋଇଥାଏ। ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ସମବାୟ ଆନ୍ଦୋଳନ ଅଗ୍ରଗତି କରିଛି। ଏହିସବୁ ସମବାୟ ବ୍ୟାଙ୍କର ମୂଳଧନ ଓ ଋଣ ନେଣଦେଣର କାରବାର ଉପରେ ଏବେ କେନ୍ଦ୍ର ସରକାରଙ୍କ ନଜର ପଡ଼ିଛି।
କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଆସିବା ପରେ ଧାରାବାହିକ ଭାବେ କର୍ପୋରେଟ୍ କ୍ଷେତ୍ରର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଋଣ ଲୁଟ୍ର ଘଟଣା ବଢ଼ିଚାଲିଛି। ୨୦୧୪-୧୫ରେ କର୍ପୋରେଟ୍ଙ୍କ ଅନାଦାୟ ଋଣ ଛାଡ଼ କରାଯାଇଥିଲା ୨୬,୧୫୭ କୋଟି ଟଙ୍କା, ୨୦୧୫-୧୬ରେ ତାହା ୩୯, ୧୩୧ କୋଟି ଟଙ୍କା, ୨୦୧୬-୧୭ରେ ତାହା ୩୪,୧୩୨ କୋଟି ଟଙ୍କା, ୨୦୧୭-୧୮ରେ ତାହା ବଢ଼ି ହୋଇଛି ୧ଲକ୍ଷ ୨୯ ହଜାର ୫୦୧ କୋଟି ଟଙ୍କା, ୨୦୧୮-୧୯ରେ ତାହା ଆହୁରି ବଢ଼ି ହୋଇଥିଲା ୧ଲକ୍ଷ ୬୩ ହଜାର ୧୬୮ କୋଟି ଟଙ୍କା, ୨୦୧୯-୨୦ରେ ପୁଣି ବଢ଼ି ହୋଇଛି ୨ଲକ୍ଷ ୭୮ହଜାର ୩୦୩ କୋଟି ଟଙ୍କା, ୨୦୨୦-୨୧ରେ ଅନାଦାୟ ଋଣ ଛାଡ଼ର ପରିମାଣ ୨ଲକ୍ଷ ୩୪ ହଜାର କୋଟି ଟଙ୍କା। ଗତ ୭ବର୍ଷରେ ସର୍ବମୋଟ କର୍ପୋରେଟ୍ଙ୍କ ଅନାଦାୟ ଋଣ ଛାଡ଼ କରାଯାଇଛି ୯ଲକ୍ଷ ୪ହଜାର ୩୯୧ କୋଟି ଟଙ୍କାରୁ ଅଧିକ। କର୍ପୋରେଟ୍ଙ୍କ ଅନାଦାୟ ଋଣକୁ ବ୍ୟାଙ୍କର ଋଣ ଖାତାରୁ ଲିଭାଇ ଦେଇ ପ୍ରକାରାନ୍ତରେ ବ୍ୟାଙ୍କ ଋଣକୁ ଲୁଟ୍ କରିବାର ସୁଯୋଗ ଦିଆଯାଇଛି। ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅପରେଟିଂ ପ୍ରଫିଟ୍ ବା କାର୍ଯ୍ୟକାରୀ ଲାଭ କରୁଥିବାବେଳେ କର୍ପୋରେଟଙ୍କ ଏହି ଋଣ ଛାଡ଼ ଯୋଗୁ ବ୍ୟାଙ୍କଗୁଡ଼ିକ ନିଟ୍ କ୍ଷତି କରୁଛନ୍ତି। ଋଣ ଛାଡ଼ ପରେ ମଧ୍ୟ କର୍ପୋରେଟ୍ଙ୍କ ଅନାଦାୟ ଋଣର ପରିମାଣ ଏବେ ୧୨ଲକ୍ଷ କୋଟି ଟଙ୍କା ଉପରେ। ବେସିକ୍ ହାରରେ ଋଣ ପରିଶୋଧ ନ କରିବା ଫଳରେ ବକେୟା ଋଣ କର୍ପୋରେଟଙ୍କ କ୍ଷେତ୍ରରେ ବେଶି ବଢ଼ିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କ୍ଷୁଦ୍ର ଋଣ ଗ୍ରାହକଙ୍କଠାରୁ କର୍ପୋରେଟ୍ଙ୍କ ଋଣ ଛାଡ଼ର ହାର ସବୁବେଳେ ବେଶି।
ଇତିମଧ୍ୟରେ ଦେଶର ସମବାୟ ସଂସ୍ଥାଗୁଡ଼ିକୁ ନେଇ ନୂତନ ସମବାୟ ମନ୍ତ୍ରୀ ଏକ ବୈଠକ କରିଛନ୍ତି। ବୈଠକ ଶେଷରେ ଟୁଇଟରରେ ଅମିତ ଶାହା କହିଛନ୍ତି, ରାଜ୍ୟଗୁଡ଼ିକରେ ମଧ୍ୟ କେନ୍ଦ୍ର ପରି ବୈଠକ କରାଯିବ। ସମବାୟକୁ ଶକ୍ତିଶାଳୀ କରାଯିବା ପାଇଁ କି କି ପଦକ୍ଷେପ ସରକାର ନେଉଛନ୍ତି ସେ ବିଷୟରେ ଅବଗତ କରାଯିବ। ପ୍ରସଙ୍ଗତଃ ବର୍ତ୍ତମାନ ସମବାୟ ରାଜ୍ୟଗୁଡ଼ିକ ଅଧୀନରେ ଥିବାରୁ କେନ୍ଦ୍ରର ଏଥିରେ ବିଶେଷ ଗୁରୁତ୍ୱ ନ ଥିଲା। କେନ୍ଦ୍ରର କୃଷି ମନ୍ତ୍ରଣାଳୟର ଅଧୀନରେ ସମବାୟ ଏକ କ୍ଷୁଦ୍ର ଛୋଟ ଦପ୍ତର ରୂପେ ଚାଲୁଥିଲା। ଏଥର ସ୍ବତନ୍ତ୍ର ଭାବେ ସମବାୟ ମନ୍ତ୍ରଣାଳୟ ଚାଲୁ କରାଗଲା। ଏ ନେଇ ଆଇନ ପ୍ରଣୟନ କରାଯିବାକୁ ସ୍ଥିର ହୋଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ସମବାୟ ମନ୍ତ୍ରଣାଳୟର ଲକ୍ଷ୍ୟ ରୂପେ କୁହାଯାଇଛି, ଗ୍ରାମାଞ୍ଚଳ ଭାରତରେ ସାହୁକାର ମହାଜନିରୁ ମୁକ୍ତ କରିବା ପାଇଁ ହୋଇଛି ସମବାୟ ମନ୍ତ୍ରଣାଳୟ। ଅର୍ଥାତ୍ ଗ୍ରାମ ଗ୍ରାମରେ ଯେଉଁ ମହାଜନି ଶୋଷଣ ଚାଲୁଛି, ସେଥିରୁ ମୁକ୍ତ କରି ଗ୍ରାମାଞ୍ଚଳରେ ସମୃଦ୍ଧିର ଜୁଆର ବୁହାଇବା ପାଇଁ ଏହି ମନ୍ତ୍ରଣାଳୟ ତିଆରି ହୋଇଛି। ଆହୁରି ମଧ୍ୟ କୁହାଯାଇଛି ସମବାୟର ପରିଚାଳନା ପାଇଁ ଅଲଗା ପ୍ରଶାସନିକ ଭିିତ୍ତିଭୂମି, ଆଇନ ଓ ନୀତି ଗ୍ରହଣ କରାଯିବ। ଏହାର ଲକ୍ଷ୍ୟ ହେବ ସମବାୟ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଞ୍ଚାଇଦେବା। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପରି ସେହି ପୁରୁଣା ସହଜ ବ୍ୟବସାୟର ପଥ ତିଆରି କରିବ ସମବାୟ। ଅର୍ଥମନ୍ତ୍ରୀ ଯେଉଁସବୁ ପ୍ରକଳ୍ପ ଘୋଷଣା କରିଛନ୍ତି, ତାହାର ରୂପାୟନ କରିବ ସମବାୟ ମନ୍ତ୍ରଣାଳୟ। ଅମିତ ଶାହା ସରକାରଙ୍କ ଏହି ଉଦ୍ୟମକୁ ‘ଐତିହାସିକ’ ବୋଲି ମନ୍ତବ୍ୟ ଦେଇଛନ୍ତି।
ଅନ୍ୟ ଦିଗରେ ବିଶେଷଜ୍ଞ ମହଲଙ୍କ ମତ, ନୂଆ କୃଷି ଆଇନ ଯେପରି କର୍ପୋରେଟ୍ଙ୍କୁ କୃଷି କ୍ଷେତ୍ର ଦେଇଦେବାର ପଥ ସୁଗମ କରିଛି, ଠିକ୍ ସେହିପରି କର୍ପୋରେଟ୍ଙ୍କ ହାତରେ ସମବାୟର ଅର୍ଥକୁ ତୋଳିଦେବାର ଅନ୍ୟତମ ଲକ୍ଷ୍ୟ। ଏହାଛଡ଼ା ନୂଆ କୃଷି ଆଇନ ଯୋଗୁ ଭାଜପା ଗ୍ରାମୀଣ ଭାରତରେ ପ୍ରାୟ ବିଚ୍ଛିନ୍ନ ହୋଇପଡ଼ିଛି। ଏହି ବିଚ୍ଛିନ୍ନତାକୁ କାଟିବା ପାଇଁ ଏଥର ସମବାୟକୁ ଦଖଲ କରି ଗ୍ରାମୀଣ ଭାରତରେ ଦଳ ପାଇଁ ସମର୍ଥନ ବଢ଼ାଇବାର ଏହା ଭାଜପାର ଏକ କୌଶଳ।
ଦେଖାଯାଏ, ବିଭିନ୍ନ ରାଜ୍ୟରେ ସମବାୟ ସଂସ୍ଥାଗୁଡ଼ିକୁ କେନ୍ଦ୍ରକରି ବିଭିନ୍ନ ରାଜନୈତିକ ଦଳର ପ୍ରତିପତ୍ତି ରହିଛି। ମହାରାଷ୍ଟ୍ର, ଗୁଜରାଟ, ପଶ୍ଚିମ ଭାରତର ବିଭିନ୍ନ ରାଜ୍ୟରେ ଏହା ଦେଖାଯାଏ। ଏଣୁ ସବୁ ରାଜ୍ୟରେ ଦଖଲ ବଢ଼ାଇ ଦଳର ପ୍ରତିପତ୍ତି ବଢ଼ାଇବା ପାଇଁ ଭାଜପାର ଏହା ଏକ ନୂତନ ଚାଲ୍। ସମସ୍ତ ବ୍ୟବସ୍ଥାକୁ କେନ୍ଦ୍ର ହାତରେ ରଖି ରାଜ୍ୟଗୁଡ଼ିକୁ ଦୁର୍ବଳ କରିବାର ପ୍ରଚେଷ୍ଟାର ଏହା ଏକ ଅଙ୍ଗ। ଏହି କାରଣରୁ ଅମିତ ଶାହା ଓ ତାଙ୍କ ଦଳ ନିକଟରେ ସମବାୟର ନୂଆ ମନ୍ତ୍ରଣାଳୟ ଉଦ୍ୟମକୁ ଏକ ‘ଐତିହାସିକ’ ପଦକ୍ଷେପ ବୋଲି ଘୋଷଣା କରିଛନ୍ତି।
ଉତ୍କଳମଣି ମାର୍ଗ, ଅପର୍ଣ୍ଣାନଗର, କଟକ ମୋ:୯୩୪୮୧୬୯୯୩୧