ଏବେ ସପ୍ତାହରେ ୪ ଦିନ ଅଫିସ୍‌…

ମାଦ୍ରିଦ୍‌‌,୧୮।୩: ସପ୍ତାହରେ କେବଳ ୪ ଦିନ ଅଫିସରେ କାମ କରିବାକୁ ପଡ଼ିବ। ଅନ୍ୟ ୩ ଦିନ ଛୁଟି। ସ୍ପେନ୍‌ର ସରକାର ପରୀକ୍ଷାମୂଳକ ଭାବେ ଏଭଳି ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଫଳରେ ଦିନକୁ ୮ ଘଣ୍ଟା ହିସାବରେ ଦେଶରେ କର୍ମଚାରୀମାନେ ଏବେ ସପ୍ତାହରେ ମାତ୍ର ୩୨ ଘଣ୍ଟା କାମ କରିବେ। ଏହାଦ୍ୱାରା କର୍ମଚାରୀଙ୍କ କାର୍ଯ୍ୟର ଗୁଣବତ୍ତା ବୃଦ୍ଧି ପାଇବା ସହିତ ସେମାନଙ୍କର ସ୍ବାସ୍ଥ୍ୟର ବିକାଶ ହୋଇପାରିବ ବୋଲି ପ୍ରସ୍ତାବ କମିଟି ପକ୍ଷରୁ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅପରପକ୍ଷରେ କର୍ମଚାରୀମାନେ ସପ୍ତାହରେ ୫୬୦ ମିନିଟ୍‌ରୁ କମ୍‌ ସମୟ ଗାଡି ଚଳାଇବେ। ଏହାଦ୍ୱାରା ପରିବେଶ ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ। ଏହି ପ୍ରସ୍ତାବକୁ ଲେଫ୍ଟ ଓ୍ବିଙ୍ଗ୍‌ ପାର୍ଟି ମାସ୍‌ ପାଇସ୍‌ ପକ୍ଷରୁ ଆଗତ କରାଯାଇଥିଲା। ଏହାଦ୍ୱାରା ଦେଶର ଅଧିକ ବିକାଶ ହେବାର ସମ୍ଭାବନା ରହିଥିବା ମାସ୍‌ ପାଇସ୍‌ର ସଦସ୍ୟ ଇନିଗୋ ଇରିଜୋନ୍‌ ସୂଚନା ଦେଇଛନ୍ତି। ୟୁରୋପର ପ୍ରଥମ ଦେଶ ଭାବେ ସ୍ପେନ୍‌ରେ ୯ ଘଣ୍ଟିଆ ଅଫିସ୍‌ ସମୟ ଆରମ୍ଭ ହେବାକୁ ଯାଉଛି। ୨୦୨୧ ସେପ୍ଟେମ୍ବର ପୂର୍ବରୁ ଏହା ଦେଶରେ ଲାଗୁ କରାଯିବା ଲାଗି ଉଦ୍ୟମ ହେଉଛି। ସୂଚନାଯୋଗ୍ୟ, ନେଦରଲାଣ୍ଡ, ନରଓ୍ବେ, ଜର୍ମାନୀ, ଫ୍ରାନ୍ସ୍‌, ଡେନମାର୍କ ଆଦି ଦେଶରେ କର୍ମଚାରୀମାନେ ସପ୍ତାହରେ ୩୦ ଘଣ୍ଟାରୁ କମ୍‌ ସମୟ କାମ କରୁଛନ୍ତି। ତେବେ ପ୍ରଥମ ଥର ପାଇଁ ସ୍ପେନ୍‌ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି।

 

Share