ଗହମ ପରେ ଏବେ ଚିନି ରପ୍ତାନି ଉପରେ ରୋକ ଲାଗି ଯୋଜନା…

ନୂଆଦିଲ୍ଲୀ, ୨୪।୫ : ଗହମ ପରି ଏବେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ନ୍ୟୁଜ ଏଜେନ୍ସି ରଏଟର୍ସ ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟ ଅନୁଯାୟୀ, ଚିନିର ଘରୋଇ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ସରକାର ପ୍ରାୟ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି। ଏହା ମଧ୍ୟ ସମ୍ଭବ ଯେ ସରକାର ଚଳିତ ଋତୁରେ ରପ୍ତାନିକୁ ୧୦ ନିୟୁତ ଟନ ମଧ୍ୟରେ ସୀମିତ ରଖିପାରନ୍ତି ।

ଭାରତ ହେଉଛି ପୃଥିବୀର ସର୍ବବୃହତ ଚିନି ଉତ୍ପାଦନକାରୀ ଦେଶ। ଏଥି ସହିତ ବ୍ରାଜିଲ ପରେ ଏହା ଦ୍ୱିତୀୟ ବୃହତ୍ତମ ରପ୍ତାନିକାରୀ। ସେପ୍ଟେମ୍ବର ଶେଷ ହେବାକୁ ଥିବା ଚଳିତ ମାର୍କେଟିଂ ବର୍ଷରେ ଭାରତ ମେ ୧୮ ପର୍ଯ୍ୟନ୍ତ ୭୫ ଲକ୍ଷ ଟନ ଚିନି ରପ୍ତାନି କରିଛି। ଭାରତରୁ ଚିନି ଆମଦାନୀ କରୁଥିବା ପ୍ରମୁଖ ଦେଶଗୁଡ଼ିକ ମଧ୍ୟରେ ଇଣ୍ଡୋନେସିଆ, ଆଫଗାନିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍ସ, ମାଲେସିଆ ଏବଂ ଆଫ୍ରିକୀୟ ଦେଶ ଆଦି ରହିଛନ୍ତି।

୨୦୧୭-୧୮ ୨୦୧୮-୧୯ ଏବଂ ୨୦୧୯-୨୦ରେ ଯଥାକ୍ରମେ ୬.୨ ଲକ୍ଷ ଟନ, ୩୮ ଲକ୍ଷ ଟନ ଏବଂ ୫୯.୬୦ ଲକ୍ଷ ଟନ ଚିନି ରପ୍ତାନି ହୋଇଥିଲା। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ନାଟକ ଆତି ରାଜ୍ୟର ଦେଶର ଚିନି ଉତ୍ପାଦନର ପ୍ରାୟ ୮୦ ପ୍ରତିଶତ ଯୋଗଦାନ ରହିଛି। ଦେଶର ଅନ୍ୟାନ୍ୟ ପ୍ରମୁଖ ଆଖୁ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ତାମିଲନାଡୁ, ବିହାର, ହରିୟାଣା ଏବଂ ପଞ୍ଜାବ ମଧ୍ୟ ରହିଛନ୍ତି।

Share