ଏବେ ଏଷ୍ଟୋନିଆ-ଲାଟିଭିଆ-ଲିଥୋନିଆ ଉପରେ ପୁଟିନ୍‌ଙ୍କ ନଜର…

ମସ୍କୋ/ଓ୍ବାଶିଂଟନ, ୨୬।୨ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ତେବେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ କେବଳ ଏତିକିରେ ସନ୍ତୁଷ୍ଟ ହେବେ ନାହିଁ। ଅଗାମୀ ଦିନରେ ଏଷ୍ଟୋନିଆ, ଲାଟିଭିଆ ଏବଂ ଲିଥୋନିଆ ଉପରେ ପୁଟିନ୍‌ଙ୍କ ନଜର ରହିଛି। ସେ ଯୋଜନାବଦ୍ଧ ଭାବେ ଏଭଳି କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଓ୍ବିଲିୟମ୍‌ ଟେଲର ଗଣମାଧ୍ୟମ ସଂସ୍ଥା ବିବିସି ସହିତ ସାକ୍ଷାତକାର ସମୟରେ ଏଭଳି କହିଛନ୍ତି। ୩୦ ବର୍ଷ ତଳେ ୧୯୯୧ରେ ସୋଭିଏତ୍‌ ୟୁନିୟନ ଖଣ୍ଡଖଣ୍ଡ ହୋଇଥିଲା।

ଏସବୁ କେତେକ ସ୍ବାଧୀନ ଦେଶରେ ନାଟୋର ପତିଆରା ବୃଦ୍ଧି ପାଇଁ କରାଯାଉଥିବା ଯୋଜନାକୁ ପ୍ରତିହତ କରିବା ଲାଗି ପୁଟିନ୍‌ ଏଭଳି ଯୋଜନା କରିଛନ୍ତି। ୨୦୦୪ରେ ନାଟୋରେ ସାମିଲ ହୋଇଥିବା ଦେଶକୁ ନିଜ ଦଖଲକୁ ନେବା ପାଇଁ ରୁଷିଆ ଯୋଜନା କରିଛି।

୨୦୦୮ରେ ରୁଷିଆ ଜର୍ଜିଆ ଉପରେ ଆକ୍ରମଣ କରି ଏହାକୁ ନିଜ ଦଖଲକୁ ନେଇ ସାରିଛି। ସେହିପରି ୨୦୧୪ରେ କ୍ରିମିୟା ଉପରେ ଆକ୍ରମଣ କରି ନିଜ ଦଖଲକୁ ରୁଷିଆ ନେଇ ସାରିଥିବା ଟେଲର କହିଛନ୍ତି।

Share