ଏବେ ପୁଣି ଖୋଜା ପଡ଼ିଲାଣି ବେଡ୍‌ ଆଉ ତକିଆ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ପ୍ରତି ପଞ୍ଚାୟତରେ ଗତବର୍ଷ ଠିକ୍‌ ଏହି ଦିନରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବା ସହ ପୌରପରିଷଦ, ମ୍ୟୁନିସିପାଲିଟି ଅଞ୍ଚଳରେ ଅଧିକରୁ ଅଧିକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା। ସେଠାରେ ରୋଗୀମାନଙ୍କ ପାଇଁ ବେଡ୍‌, ଚଦର, ତକିଆ, ବାଲ୍‌ଟି, ପାଣି ବୋତଲ, ମଗ୍‌, ଖାଦ୍ୟପେୟର ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ମ୍ୟୁନିସିପାଲିଟି କର୍ମଚାରୀ ଏବଂ ଜିଲା ପ୍ରଶାସନ ଅଧିକାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିଲା। ୭ ହଜାରରୁ ଅଧିକ ରୋଗୀଙ୍କ ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା ବେଳେ ଗୁରୁତର କୋରନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲା ସଦର ମହକୁମା ପୁରୁଣା ମେଡିକାଲ ପରିସରରେ ସ୍ବତନ୍ତ୍ର ବ୍ୟବସ୍ଥା ସହ ଅଭିଜ୍ଞ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଥିଲା। ତେବେ ଅକ୍ଟୋବର ମାସରେ କରୋନାର ପ୍ରଭାବ କମିଯିବା ପରେ କୋଟି କୋଟି ଟଙ୍କାରେ କିଣା ଯାଇଥିବା ସାମଗ୍ରୀ କେଉଁଠି ଅଛି କାହା ଦାୟିତ୍ୱରେ ଅଛି ତାକୁ ନେଇ ଏବେ ଜିଲା ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି।

ଆଗାମୀ ଦିନରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସମ୍ଭାବନାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସମସ୍ତ ବିଦ୍ୟାଳୟର ହଷ୍ଟେଲ ଖାଲି କରି ଦିଆଯାଇ ଥିବା ବେଳେ ପୂର୍ବବର୍ଷ ଯେଉଁ ଯେଉଁ ବିଦ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ଖୋଲାଯାଇଥିଲା, ସେଥି ମଧ୍ୟରୁ ମାଲକାନଗିରି ବ୍ଲକ ଚଲାଣଗୁଡା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତି ଚାଲିଥିବା ବିଡିଓ ଅଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ଏଥିପାଇଁ ବେଡ୍‌, ଚଦର, ବାଲ୍‌ଟି, ଅତ୍ୟାବଶ୍ୟକୀୟ ସାମଗ୍ରୀ ଖୋଜା ଚାଲିଛି। ଏଥିମଧ୍ୟରୁ ଯେଉଁଗୁଡିକ ଭଲଥିବ ତାକୁ ବ୍ୟବହାର କରାଯିବ ଏବଂ ଆବଶ୍ୟକ ପଡ଼ିଲେ ନୂଆ ସାମଗ୍ରୀ କିଣା ଯାଇ ରୋଗୀଙ୍କ ସେବାରେ ଲଗାଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି। ତେବେ ଗତବର୍ଷ କରୋନା ମହାମାରୀ ସମୟରେ ରୋଗୀମାନଙ୍କ ପାଇଁ କିଣା ଯାଇଥିବା ଏସବୁ ସାମଗ୍ରୀ କେଉଁଠି ଓ କାହା ପାଖରେ ଅଛି ତାହା ତର୍ଜମା କରି ପ୍ରସ୍ତୁତ ରହିବାକୁ ବିଭିନ୍ନ ମହଲରେ ଦାବି ହେଉଛି।