କଟକ ଅଫିସ,୩୧ା୧୦: କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳରେ ଗୁହାଳ ଥିଲେ ମାଲିକଙ୍କୁ ୟୁଜର୍ସ ଫି’ ଦେବାକୁ ପଡିବ। ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଭଳି ଗୁହାଳ ମାଲିକଙ୍କଠାରୁ ଫି’ ଆଦାୟ କରିବାକୁ ସିଏମ୍ସି ଯୋଜନା ପ୍ରସ୍ତୁତ କରିଛି। ସିଏମ୍ସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସହରରେ ୩ ହଜାରରୁ ଊର୍ଦ୍ଧ୍ୱ ଗୁହାଳ ରହିଛି। ସେଠାରୁ ଗୋବର ସହ ଅନ୍ୟ ବର୍ଜ୍ୟବସ୍ତୁ ବାହାରୁଛି। ତାହାକୁ ସିଧାସଳଖ ଡ୍ରେନ୍କୁ ଛଡାଯାଉଛି। କିଛି ସ୍ଥାନରେ ରାସ୍ତାରେ ବର୍ଜ୍ୟବସ୍ତୁ ପଡି ରହିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଗୁହାଳରୁ ବାହାରୁଥିବା ବର୍ଜବସ୍ତୁ ସିଏମ୍ସି ବିନା ମୂଲ୍ୟରେ ନେଉଛି। ସହରରେ କେତେ ଗୁହାଳ ରହିଛି, ସେଠାରେ କେତେ ଗୋରୁ ଅଛନ୍ତି, ସେଠାରୁ ପ୍ରତିଦିନ କେତେ ଗୋବର ବା ବର୍ଜବସ୍ତୁ ବାହାରୁଛି, ସେ ସମ୍ପର୍କରେ ସିଏମ୍ସି ଅନୁଧ୍ୟାନ କରିବ। ଏହାପରେ ଗୁହାଳଗୁଡିକୁ ପଞ୍ଜୀକରଣ କରାଯାଇ ମାଲିକମାନଙ୍କଠାରୁ ୟୁଜର୍ସ ଫି’ ଆଦାୟ କରାଯିବ। କେବଳ ୟୁଜର୍ସ ଫି’ ନୁହେଁ ଗୁହାଳରୁ ବାହାରୁଥିବା ଗୋବର ନେବ ସିଏମ୍ସି। ସେଥିରେ ଖତ ପ୍ରସ୍ତୁତ କରି ବିକ୍ରି କରାଯିବ। ସୂଚନାଯୋଗ୍ୟ, ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲଠାରୁ ସିଏମ୍ସି ୟୁଜର୍ସ ଫି’ ଆଦାୟ କରି ସେବା ଯୋଗାଉଛି। ହେଲେ ଘରୋଇ ସଂସ୍ଥା ଫି’ ନ ଦେଇ ବର୍ଷ ବର୍ଷ ଧରି ସିଏମ୍ସିଠାରୁ ସୁବିଧା ପାଉଛି। ତେଣୁ ଏବେ ଗୁହାଳ ମାଲିକମାନଙ୍କଠାରୁ ୟୁଜର୍ସ ଫି’ ଆଦାୟ କରିବାକୁ ଯୋଜନା କରାଯାଇଛି।