ନୂଆଦିଲ୍ଲୀ, ୨୮।୫ : ବାରାଣସୀରେ ଜ୍ଞାନବାପି ମସଜିଦକୁ ନେଇ ବିବାଦ ଲାଗି ରହିଥିବାବେଳେ ଏବେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଏକ ନୂଆ ବିବାଦ ଉପୁଜିଛି। କର୍ନାଟକର କିଷ୍କିନ୍ଧ୍ୟା ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ବୋଲି ମହନ୍ତ ଗୋବିନ୍ଦ ଦାସ ଦାବି କରିଛନ୍ତି। ପ୍ରଭୁ ହନୁମାନ ମହାରାଷ୍ଟ୍ରର ଅଞ୍ଜାନେରୀରେ ଜନ୍ମଗ୍ରହଣ କରିଥିବା ଦାବିକୁ ସେ ଅସ୍ବୀକାର କରିଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନା ଏବଂ ବିତର୍କ ପାଇଁ ସେ ଶନିବାର ନାସିକର ତ୍ରମ୍ବେକେଶ୍ୱରରେ ପହଞ୍ଚିଥିଲେ।
କିଷ୍କିନ୍ଧ୍ୟା ମହନ୍ତ ଗୋବିନ୍ଦ ଦାସ ଖୋଲାଖୋଲି ଭାବେ ନାସିକର ପୁରୋହିତ ଏବଂ ବିଦ୍ୱାନମାନଙ୍କୁ ଏହି ପ୍ରସଙ୍ଗରେ ବିତର୍କ କରିବାକୁ ଏବଂ ପ୍ରଭୁ ହନୁମାନଙ୍କ ମୂଳ ଜନ୍ମସ୍ଥାନ ବିଷୟରେ ତଥ୍ୟ ଜାଣିବାକୁ ଚ୍ୟାଲେଞ୍ଜ କରିଛନ୍ତି। ନାସିକ-ତ୍ରମ୍ବେକେଶ୍ୱର ପର୍ବତ ସୀମା ମଧ୍ୟରେ ଅଞ୍ଜାନେରୀ ଅବସ୍ଥିତ। ଏହା ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ବୋଲି ବିଶ୍ୱାସ କରାଯାଏ। ଅଞ୍ଜାନେରୀ ତ୍ରମ୍ବେକେଶ୍ୱର ରାସ୍ତାରେ ନାସିକ ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ। ଏହି ଅଞ୍ଚଳର ନାମ ହନୁମାନଙ୍କ ମାତା ଅଞ୍ଜନୀଙ୍କ ନାମରେ ନାମିତ ହୋଇଛି। ଅଞ୍ଜାନେରୀ ପାହାଡରେ ହନୁମାନଙ୍କ ସହିତ ଅଞ୍ଜାନୀ ମାତାଙ୍କର ଏକ ମନ୍ଦିର ଅଛି। କୁହାଯାଏ ଯେ ପ୍ରଭୁ ହନୁମାନ ଏହି ପର୍ବତରେ ଜନ୍ମ ହୋଇଥିଲେ ।
ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ବିଷୟରେ ଏହି ବିତର୍କ ନୂଆ ନୁହେଁ । ଏହାପୂର୍ବରୁ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଦାବି କରିଥିଲେ ଯେ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଅଞ୍ଜନାଦ୍ରୀ, ପାହାଡ ଶ୍ରୀକ୍ଷେତ୍ରର ପ୍ରାୟ ୫ କିଲୋମିଟର ଦୂରରେ ଅବସ୍ଥିତ ଜାପାଲି ଥିରଥମ ଠାରେ ଏକ ପାହାଡ ଉପରେ। ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ଉପସ୍ଥିତିରେ ତିରୁପତିସ୍ଥିତ ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମୁରଲୀଧର ଶର୍ମାଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରର ପଣ୍ଡିତମାନଙ୍କ ଏକ ଟିଟିଡି ଗଠିତ କମିଟି ଏହା ଘୋଷଣା କରିଥିଲେ। କମିଟି ପକ୍ଷରୁ କୁହାଯାଇଥିଲା ଯେ ଅଞ୍ଜନାଦ୍ରୀ ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ। ପ୍ରଭୁ ଦକ୍ଷିଣ ଭାରତରେ ଶ୍ରୀ ହନୁମାନ ସ୍ବାମୀ ଭାବରେ ଜଣାଶୁଣା। ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଭାବରେ ତିରୁମାଲାର ସାତୋଟି ପାହାଡ ମଧ୍ୟରୁ ଅଞ୍ଜନାଦ୍ରୀଙ୍କୁ ନେଇ ’ଏପିଗ୍ରାଫିକାଲ, ସାଇଣ୍ଟିଫିକ ଏବଂ ପୌରାଣିକ ପ୍ରମାଣ’ ଧାରଣ କରିଥିବା ଏକ ପୁସ୍ତିକା ପ୍ରକାଶ ପାଇଛି।
ହନୁମାନଙ୍କ ଜନ୍ମକୁ ନେଇ ବିବାଦକୁ ଦୃଷ୍ଟିରେ ରଖି ନାସିକର ମହନ୍ତମାନେ ମେ ୩୧ ରେ ଏକ ଧର୍ମ ସଂସଦ ଡାକିଛନ୍ତି।
ହନୁମାନଙ୍କ ଜନ୍ମସ୍ଥାନ ଉପରେ ଟିଟଡିର ଦାବି କର୍ନାଟକର ଧାର୍ମିକ, ପ୍ରତ୍ନତାତ୍ତ୍ୱିକ ତଥା ରାଜନୈତିକ ସ୍ତରରେ ଉତ୍ତେଜନା ସୃଷ୍ଟି କରଛି। କାରଣ ବଲାରୀ ନିକଟସ୍ଥ ହାମ୍ପି ଶତାବ୍ଦୀ ଧରି ’କିଷ୍କିନ୍ଧ୍ୟା କ୍ଷେତ୍ର’ ବା ମାଙ୍କଡ଼ ରାଜ୍ୟ ଭାବରେ ପରିଗଣିତ ହୋଇ ଆସୁଛି।
କେତେକ ପ୍ରତ୍ନତତ୍ତ୍ୱ ଏବଂ ଐତିହାସିକ ଟିଟିଡିର ଦାବିକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ବିଶ୍ୱ ହିନ୍ଦୁ ପରିଷଦର କର୍ନାଟକ ୟୁନିଟ କହିଛି ଯେ ଟିଟିଡି ଏନେଇ ବିଚାର ଲାଗି ଅଧିକ ସମୟ ନେବା ଆବଶ୍ୟକ। ଏହା ପୂର୍ବରୁ ପଣ୍ଡିତ ଏବଂ ଧାର୍ମିକ ମୁଖ୍ୟମାନଙ୍କ ସହିତ ଆଲୋଚନା କରିବା ମଧ୍ୟ ଜରୁରୀ।