ଶାଳୀନ ପୋଷାକ ବିନା ଶ୍ରୀମନ୍ଦିର ମନା

ପୁରୀ, ୧୦ା୧୦(ଅଜିତ ମହାନ୍ତି):ଏଣିକି ଶ୍ରୀମନ୍ଦିରକୁ ଯିବାକୁ ହେଲେ ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବାକୁ ପଡ଼ିବ। ନଚେତ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ। ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ସେବାୟତ ଓ ବୁଦ୍ଧିଜୀବୀଙ୍କ ତରଫରୁ ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ଦାବି ହୋଇ ଆସୁଥିବାବେଳେ ଏବେ ଶ୍ରୀମନ୍ଦିର ପ୍ରଶାସନ ତାହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ଆଗାମୀ ନୂଆବର୍ଷ ଅର୍ଥାତ୍‌ ୨୦୨୪ ଜାନୁୟାରୀ ୧ରୁ କାର୍ଯ୍ୟକାରୀ କରାଯିବ। ନିୟମ ଲାଗୁହେବା ପୂର୍ବରୁ ମଙ୍ଗଳବାରଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପକ୍ଷରୁ ସଚେତନ କରାଯିବ। ଜାନୁୟାରୀ ୧ତାରିଖରୁ ସିଂହଦ୍ୱାରରେ ମୁତୟନ ଥିବା ଜେଟିପି ଏବଂ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକମାନେ ଭକ୍ତଙ୍କ ପୋଷାକ ତଦାରଖ କରିବେ। ଯେଉଁ ଭକ୍ତ ଶାଳୀନତା ଭାବେ ପୋଷାକ ନ ପିନ୍ଧି ଶ୍ରୀମନ୍ଦିର ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇ କହିଛନ୍ତି ଯେ, ସୋମବାର ଶ୍ରୀମନ୍ଦିର ନୀତି ସବକମିଟି ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ତେବେ ଭକ୍ତଙ୍କ ଶାଳୀନତା ପୋଷାକ ଉପରେ ବିଶେଷ ଆଲୋଚନା ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପୋଷାକରେ ଶାଳୀନତା ରହିବା ଉଚିତ। ଏହାଦ୍ୱାରା ଭକ୍ତିଭାବନା ସୃଷ୍ଟି ହେବ। ଅନେକ ଭକ୍ତ ମନଇଚ୍ଛା ବିଭିନ୍ନ ପ୍ରକାର ଡ୍ରେସ୍‌ ପିନ୍ଧି ଆସୁଛନ୍ତି। ଫଳରେ ଧାର୍ମିକ ଭାବନା ଉପରେ କୁଠାରାଘାତ ହେଉଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିର ଆସିବାକୁ ଅନୁରୋଧ କରାଯାଉଛି। ଏ ନେଇ ଆସନ୍ତା ଜାନୁୟାରୀ ୧ରୁ ନିୟମ ଲାଗୁହେବ। ତା’ ପୂର୍ବରୁ ଭକ୍ତଙ୍କୁ ସଚେତନ କରାଯିବ। ତେବେ ଛୋଟପିଲା ଅର୍ଥାତ୍‌ ୧୨ ବର୍ଷ ବୟସରୁ କମ୍‌ ପିଲାଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁହେବ ନାହିଁ। ୧୨ ବର୍ଷରୁ ଅଧିକ ବୟସର ଭକ୍ତମାନେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।