Categories: ଜାତୀୟ

ଏବେ ଆମେ ସୂର୍ଯ୍ୟଙ୍କୁ ବି ଜିତିବା

ଦାରିଙ୍ଗବାଡି, ୨୬।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଦାରିଙ୍ଗବାଡି ମିନି ଷ୍ଟାଡିୟମ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡିଓ ଗଦାଧର ପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହ ପରେଡ ଗ୍ରୁପର ପରିଦର୍ଶନ ସହ ସାମୂହିକ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ସେ ଜାତି ଓ ଦେଶ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଥିଲେ, ବୈଜ୍ଞାନିକଙ୍କ ଦ୍ୱାରା ଆମେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ସାରିଥିବାବେଳେ ସୂର୍ଯ୍ୟକୁ ମଧ୍ୟ ଆମେ ଜିଣିବା ବୋଲି କହିଥିଲେ। ସେହିପରି ଦାରିଙ୍ଗବାଡି ଅଞ୍ଚଳରେ ଶିକ୍ଷା, ଗମନାଗମନ, ପିଇବା ପାଣି ଭଳି ଅନେକ ସମସ୍ୟାର ସମାଧାନ କରାଯାଉଥିବା ବେଳେ ଆହୁରି ଦାରିଙ୍ଗବାଡିର ବିକାଶ ହେବା ଆବଶ୍ୟକତା ରହିଛି। ସେହି କ୍ରମରେ କାର୍ଯ୍ୟ କରାଯାଉଥିବା ସେ କହିଥିଲେ।
ସେହିପରି ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କ ବିକାଶ ହେବା ସହ ସେମାନଙ୍କ ବିକାଶ କ୍ଷେତ୍ରରେ କାଫେ, ଷ୍ଟ୍ରବେରୀ ଚାଷ ଆଦି ଆହୁରି ସଫଳତା ଦେଇଥିବା କହିଛନ୍ତି। ଏହି ସାମୁହିକ ପରେଡ଼ରେ ପ୍ରାଥମିକ ବିଦ୍ୟାଳୟ ସମେତ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୯ଟି ପରେଡ ଟିମ ସାମୂହିକ ପରେଡ ପରିବେଷଣ କରିଥିଲେ। ସେହିପରି ବିଭିନ୍ନ ପ୍ରତିଯୋଗିତା ତଥା ରଚନା, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ, କ୍ରୀଡା ଆଦିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କାର, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଶରତ ଶବର, ଆଇଆଇଆସି ଆନନ୍ଦ ଚନ୍ଦ୍ର, ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ ପ୍ରମୁଖ ଯୋଗଦେଇଥିଲେ।

Share