Categories: ଜାତୀୟ

ଏନ୍‌ଏସ୍‌ଇ ଦୁର୍ନୀତି: ଜେଲ ଗଲେ ଚିତ୍ରା

ନୂଆଦିଲ୍ଲୀ,୧୫।୩: କୋ-ଲୋକେଶନ ଦୁର୍ନୀତି ମାମଲାରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଦିଲ୍ଲୀର ଏକ ଅଦାଲତ ସୋମବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜେଲରେ ହନୁମାନ ଚାଳିଶା ପାଠ ଲାଗି ତାଙ୍କୁ ଅଦାଲତ ଅନୁମତି ଦେଇଥିବାବେଳେ ଘରରନ୍ଧା ଖାଦ୍ୟ ପାଇଁ ତାଙ୍କ ଓକିଲଙ୍କ ଅନୁରୋଧକୁ ଖାରଜ କରିଦେଇଛନ୍ତି।
୨୦୧୩ରୁ ଏନ୍‌ଏସ୍‌ଇର ମୁଖ୍ୟ ଥିବା ଚିତ୍ରା ଦେଶର ସର୍ବବୃହତ ଷ୍ଟକ୍‌ ବଜାରର ବହୁ ଗୋପନୀୟ ତଥ୍ୟ ଜଣେ ତଥାକଥିତ ଯୋଗୀଙ୍କୁ ପ୍ରଦାନ କରିଥିଲେ। ଉକ୍ତ ମାମଲାର ତଦନ୍ତ କରୁଥିବା ସିବିଆଇ ଗତ ୬ ତାରିଖରେ ଚିତ୍ରାଙ୍କୁ ଗିରଫ କରିବା ପରେ ୭ ଦିନିଆ ରିମାଣ୍ଡରେ ନେଇଥିଲା। ଷ୍ଟକ୍‌ ଏକ୍ସଚେଞ୍ଜର ଗୋପନୀୟ ତଥ୍ୟ ପ୍ରଘଟ ଯୋଗୁ କେତେକ ବ୍ରୋକର ଏହାର ଅନୈତିକ ଫାଇଦା ଉଠାଉଥିଲେ। ଏନେଇ ୨୦୧୮ରେ ସିବିଆଇ ମାମଲା ରୁଜୁ କରିଥିଲା। ଷ୍ଟକ୍‌ ଏକ୍ସଚେଞ୍ଜର କମ୍ପ୍ୟୁଟର ସର୍ଭରରୁ ଷ୍ଟକ୍‌ ବ୍ରୋକରମାନଙ୍କ ପାଖକୁ ତଥ୍ୟ ଯାଉଥିବା (କୋ-ଲୋକେଶନ ଦୁର୍ନୀତି) ସମ୍ପର୍କରେ ସିବିଆଇ ତଦନ୍ତରୁ ଜାଣିବାକୁ ପାଇଥିଲା। ଚିତ୍ରା ଜାମିନ ପାଇଁ ଆବେଦନ କରିଥିବାବେଳେ ସିବିଆଇ ଏହାକୁ ବିରୋଧ କରିଥିଲା। ତଦନ୍ତ ଏବେ ଅବ୍ୟାହତ ରହିଥିବାରୁ ଏନ୍‌ଏସ୍‌ଇର ପୂର୍ବତନ ସିଇଓ ଏହାକୁ ପ୍ରଭାବିତ କରିପାରନ୍ତି ବୋଲି ତଦନ୍ତକାରୀ ସଂସ୍ଥା ଯୁକ୍ତି ଦର୍ଶାଇଥିଲା। ଫଳରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ସହ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଏନ୍‌ଏସ୍‌ଇ ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ଏହାର ପୂର୍ବତନ ଗ୍ରୁପ୍‌ ଅପରେଟିଂ ଅଫିସର (ଜିଓଓ) ଆନନ୍ଦ ସୁବ୍ରମଣ୍ୟନଙ୍କ ଜାମିନ ଆବେଦନକୁ ପୂର୍ବରୁ ସିବିଆଇ ବିରୋଧ କରିଥିଲା। ଆନନ୍ଦ ନିଜକୁ ହିମାଳୟ ଯୋଗୀ ପରିଚୟ ଦେଇ ଚିତ୍ରାଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଥିଲେ ବୋଲି ସିବିଆଇ ଅଦାଲତଙ୍କୁ କହିଥିଲା।

Share