ନୂଆଦିଲ୍ଲୀ,୭।୩: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍ଏସ୍ଇ) ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କ ସମସ୍ୟା ବଢିଛି। ଠକେଇ ଓ ହିମାଳୟର ଜଣେ ତଥାକଥିତ ଯୋଗୀଙ୍କୁ ତଥ୍ୟ ପ୍ରଦାନ ଘଟଣାରେ ଗିରଫ ହୋଇଥିବା ଚିତ୍ରାଙ୍କୁ ସୋମବାର ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଏବେ ତାଙ୍କୁ ୭ ଦିନିଆ ସିବିଆଇ ରିମାଣ୍ଡରେ ପଠାଯାଇଛି। ଏହା ସହିତ ଦିଲ୍ଲୀର ଏକ କୋର୍ଟ ଏନ୍ଏସ୍ଇର ଗ୍ରୁପ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମଙ୍କ ସିବିଆଇ ହେପାଜତକୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫେବୃୟାରୀ ୨୫ରେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। କୋର୍ଟ ଚିତ୍ରାଙ୍କୁ ରିମାଣ୍ଡରେ ପଠାଇବା ବେଳେ କେତେକ ସର୍ତ୍ତ ରଖିଛନ୍ତି। ସିବିଆଇ ତାଙ୍କୁ ଜେରା ବେଳେ ଉକ୍ତ ପ୍ରକୋଷ୍ଠରେ ସିସିଟିଭି ଲଗାଇବ। ପୂରା ଜେରା ପ୍ରକ୍ରିୟା ସିସିଟିଭିରେ ରେକର୍ଡ କରାଯିବ। ଚିତ୍ରାଙ୍କୁ ତାଙ୍କ ଓକିଲ ସବୁଦିନ ସା ବେଳେ ଭେଟିପାରିବେ। ସେହିପରି ପ୍ରତି ୨୪ ଘଣ୍ଟାରେ ଥରେ ସିବିଆଇ ପକ୍ଷରୁ ଚିତ୍ରାଙ୍କ ମେଡିକାଲ ଟେଷ୍ଟ କରାଯିବ ବୋଲି କୋର୍ଟ କହିଛନ୍ତି।
ଚିତ୍ରା ରାମକୃଷ୍ଣ ଏପ୍ରିଲ ୨୦୧୩ ରୁ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ ଏନ୍ଏସ୍ଇର ସିଇଓ ଥିଲେ।