Categories: ଜାତୀୟ

ଭିତରେ ଆମେରିକା ସୈନ୍ୟ, ବାହାରେ ତାଲିବାନୀ

କାବୁଲ, ୨୧।୮: ତାଲିବାନ କବଳରୁ ରକ୍ଷା ପାଇବାକୁ ହେଲେ ଦେଶ ଛାଡ଼ି ପଳାୟନ ଏକମାତ୍ର ମାଧ୍ୟମ। ସେହି ଲକ୍ଷ୍ୟରେ ନିଜ ଘରଦ୍ୱାର, ସମ୍ପତ୍ତି ଛାଡ଼ି ପ୍ରିୟଜନଙ୍କ ସହ ଗଣପଳାୟନ କରୁଛନ୍ତି ଆଫଗାନିସ୍ତାନ ବାସିନ୍ଦା। କାବୁଲସ୍ଥିତ ହମିଦ୍‌ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ଦୃଶ୍ୟ ଆଫଗାନ୍‌ଙ୍କ ଏଭଳି ଦୁର୍ଦ୍ଦଶା ବଖାଣୁଛି। ବିମାନବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇ ଆମେରିକା ସୈନ୍ୟ ନିଜ ନାଗରିକଙ୍କୁ ଉଦ୍ଧାର କରିବାରେ ଲାଗିଥିବାବେଳେ ଆଫଗାନ୍‌ମାନେ ସେମାନଙ୍କ ନିକଟରୁ ସାହାଯ୍ୟ ଟିକେ ପାଇବାକୁ ଜୀବନ ବାଜି ଲଗାଇଛନ୍ତି। ଆଫଗାନ ନାଗରିକ ତାଲିବାନ ବର୍ବତରାକୁ ନେଇ ଏତେ ଆତଙ୍କିତ ଯେ, ଯେଉଁ ଦେଶର ଶରଣ ମିଳିଲେ ବି ସେମାନେ ସେଠାକୁ ଯିବାକୁ ଚାହୁଁଛନ୍ତି।
ଦେଶ ଛାଡ଼ି ଯଆନ୍ତୁ ବୋଲି ଚାହୁଁନାହିଁ ତାଲିବାନ। ତେଣୁ ସେମାନଙ୍କ ରାସ୍ତା ରୋକିବାକୁ ଏହି ଗୋଷ୍ଠୀ ବଳପ୍ରୟୋଗ କରିବାରେ ଲାଗିଛି। ବିମାନବନ୍ଦର ବାହାରେ ଜଗିରହିଛନ୍ତି ସଶସ୍ତ୍ର ତାଲିବାନୀ। ଲୋକଙ୍କ ଉପରେ ଗୁଳିଚାଳନା ପାଇଁ ମଧ୍ୟ ଆତଙ୍କବାଦୀ ପଛଘୁଞ୍ଚା ଦେଉନାହାଁନ୍ତି। ଏ ସବୁ ଭିତରେ ଆତଙ୍କିତ ଆଫଗାନ୍‌ମାନେ ଯେ କୌଣସି ବାଟଦେଇ ବିମାନବନ୍ଦରରେ ପହଞ୍ଚିବାକୁ ଧାଉଁଛନ୍ତି। ଭାଇରାଲ ହେଉଥିବା ଅନେକ ଭିଡିଓ ଫଟୋରେ ହୃଦୟବିଦାରକ ଦୃଶ୍ୟ କାବୁଲ ବିମାନବନ୍ଦରରେ ଦେଖିବାକୁ ମିଳିଛି। ନିଜ ଜୀବନ ନ ବଞ୍ଚାଇପାରିଲେ ନିଜ ଶିଶୁର ଜୀବନ ରକ୍ଷା ପାଇଁ ସେମାନଙ୍କୁ ଆମେରିକୀୟ ସୈନ୍ୟଙ୍କ ହାତରେ ଟେକିଦେବା ଭଳି ଛାତିଥରା ଛବି ସଂଖ୍ୟା ବଢ଼ିବାରେ ଲାଗିଛି।

Share