ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ପରୀକ୍ଷା ହଲ୍‌କୁ ବାରଣ ନାହିଁ: ଏନ୍‌ଟିଏ

ଭୁବନେଶ୍ୱର, ୧୦।୪(ଅସମାପିକା ସାହୁ): ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ପରୀକ୍ଷା ହଲ୍‌କୁ ଯିବା ପାଇଁ ବାରଣ ନାହିଁ। ଆଙ୍ଗୁଠିରେ ଭୋଟ୍‌ କାଳି ଲାଗିଥିଲେ ମଧ୍ୟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ସବୁ ପରୀକ୍ଷା ଦେଇହେବ। ଏ ନେଇ ଏନ୍‌ଟିଏ ମଙ୍ଗଳବାର ନୋଟିସ ଜାରି କରିଛି। ସାଧାରଣ ନିର୍ବାଚନର ଭୋଟ୍‌ କାଳି ଆଙ୍ଗୁଠିରେ ଲାଗିଥିଲେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ବାରଣ କରାଯିବା ନେଇ ସୋସିଆଲ ମିଡିଆରେ ଯେଉଁ ପ୍ରଚାର ହେଉଛି ତାହା ଗୁଜବ ବୋଲି ଏନ୍‌ଟିଏ କହିଛି। ଉପରୋକ୍ତ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ସେପରି କୌଣସି ସୂଚନା ପ୍ରଦାନ କରାଯାଇନାହିଁ ବୋଲି ଏନ୍‌ଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏପରି ଗୁଜବ ପ୍ରତି ଧ୍ୟାନ ନ ଦେବା ଏବଂ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଏନ୍‌ଟିଏ ଅନୁରୋଧ କରିଛି। ନିର୍ବାଚନରେ ମତଦାନ ସେମାନଙ୍କର ପରୀକ୍ଷା ଦେବାକୁ ଯୋଗ୍ୟତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ପ୍ରାର୍ଥୀମାନଙ୍କୁ ସେମାନଙ୍କ ଅଧ୍ୟୟନ ଉପରେ ଧ୍ୟାନ ଦେବାକୁ ଏବଂ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଏନ୍‌ଟିଏ ପରାମର୍ଶ ଦେଇଛି। ପରୀକ୍ଷାର୍ଥୀଙ୍କୁ ଏନ୍‌ଟିଏର ଅଫିସିଆଲ୍‌ ୱେବ୍‌ସାଇଟ୍‌ www.nta.ac.in ଏବଂ https://exams.nta.ac.in/NEET/ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।