କୃଷିଭିତ୍ତିକ ପର୍ବ ନୂଆଁଖାଇ । ଏହା କୃଷି ସଭ୍ୟତାର ସାକ୍ଷୀ ହେବା ସଙ୍ଗେ ସଙ୍ଗେ ଉନ୍ନତ ସାମାଜିକ ଜୀବନଯାପନ କରିବା ଲାଗି ପ୍ରେରଣା ଦେଇଥାଏ। ପରସ୍ପର ଭିତରେ ମୈତ୍ରୀଭାବ ଓ ସୌହାର୍ଦ୍ଦ୍ୟ ସ୍ଥାପନ କରି ସୁସ୍ଥ ସାମାଜିକ ଜୀବନ ଅତିବାହିତ କରିବାକୁ ଶିକ୍ଷା ଦେଇଥାଏ। ନୂଆଁଖାଇ ପରମ୍ପରା ଅନନ୍ୟ। ପଶ୍ଚିମ ଓଡିଶାର ବିଭିନ୍ନ ଜାନିଯାତ୍ରାଠାରୁ ନୂଆଁଖାଇର ସ୍ବତନ୍ତ୍ରତା ଅଲଗା। କୃଷିଭିତ୍ତକ ପର୍ବ ହୋଇଥିବାରୁ ଚାଷୀକୁଳ ଏହିଦିନ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ରକ୍ଷାବନ୍ଧନ କରିଥାନ୍ତି। ଗୃହପାଳିତ ପ୍ରାଣୀ, ହଳ ଲଙ୍ଗଳ, ଟାଙ୍ଗିଆ, ରଫା, ଦା ପ୍ରଭୃତି କୃଷି ସରଞ୍ଜାମକୁ ରାଖି ବାନ୍ଧି ପୂଜା କରାଯାଇଥାଏ। ସେହିପରି ଘରର ଦୁଆର ବନ୍ଦ ଓ କବାଟରେ ମଧ୍ୟ ରାଖି ବନ୍ଧାଯାଇଥାଏ। କୃଷି କାର୍ଯ୍ୟରେ ସୁଫଳ ଲାଗି ଧାନ କିଆରିରେ ନାରିକେଳ, ଫଳ ଚନ୍ଦନ ଦେଇ ପୂଜା କରାଯାଇଥାଏ। ଏହା କଲେ ଧାନ ଫସଲରେ ରୋଗ ପୋକ ଲାଗନ୍ତି ନାହିଁ ବୋଲି ବିଶ୍ୱାସ ରହିଛି। ସମ୍ପ୍ରତି ରକ୍ଷାବନ୍ଧନ ଓ ନୂଅଁାଖାଇ ପରସ୍ପର ଅଙ୍ଗାଙ୍ଗି ଭାବେ ଜଡିତ। ଆଧୁନିକ ସମାଜରେ ଅନେକ ପରିବର୍ତ୍ତନ ଆସିଥିଲେ ମଧ୍ୟ ଏହି ପର୍ବ ପୂର୍ବଭଳି ପାଳନ ହୋଇଆସୁଛି। ନୂଅଁାଖାଇରେ ବ୍ୟବହାର ହେଉଥିବା ରାଖୀକୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥାଏ। ହଳଦିଆ, ଲାଲ ଓ ଧଳା ରଙ୍ଗ ସୂତା ଏବଂ କଫାକୁ ବ୍ୟବହାର କରାଯାଇଥାଏ। ନୂଆଁଖାଇ ସ୍ବତନ୍ତ୍ର ହାଟରେ ଏହି ନିଆରା ରାଖି ବିକ୍ରି ହୋଇଥାଏ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ରାଖିର ଚାହିଦା ରହିଛି।
-ଶଙ୍କର ବେହେରା, ସମ୍ବଲପୁର