ଇଂ. ମହାପାତ୍ର ଅନୁରାଗ ସାହୁ
ଶାସ୍ତ୍ର କହେ ଅନ୍ନ ହିଁ ବ୍ରହ୍ମ। ସେହି ବ୍ରହ୍ମକୁ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବାର ଅନ୍ୟ ନାମ ଅନ୍ନଯଜ୍ଞ ଏବଂ ଉତ୍ପାଦିତ ପ୍ରଥମ ଶସ୍ୟ ଦ୍ବାରା ସଂପାଦିତ ଏହି ଅନ୍ନଯଜ୍ଞକୁ କୁହାଯାଏ ନବାନ୍ନ ଭକ୍ଷଣ। ମାନବ ସଭ୍ୟତାର ଇତିହାସ କହେ ଆଦିମାନବ ଯାଯାବର ଜୀବନ ଛାଡି ସ୍ଥାୟୀ ବସବାସ କଲାପରେ ଶିକାର ପରିବର୍ତ୍ତେ କୃଷି ଉପରେ ନିର୍ଭର କରି ଆଦରି ନେଲା ଖାଦ୍ୟ ପ୍ରାପ୍ତିର ଏକ ସରଳ, ସାବଲୀଳ ଓ ସ୍ଥିର ଜୀବନ ଶୈଳୀ। ଖାଦ୍ୟ ପ୍ରାପ୍ତିର ଅନିଶ୍ଚିତତାରୁ ମୁକ୍ତି ମିଳିବାରୁ କୃତଜ୍ଞତା ସ୍ବରୂପ ଅଦୃଷ୍ଟ ଉଦ୍ଦେଶ୍ୟରେ ଅର୍ପଣ କଲା ଉତ୍ପାଦିତ ପ୍ରଥମ ଶସ୍ୟରେ ପ୍ରସ୍ତୁତ ବ୍ୟଞ୍ଜନ। ଏକଦା ଏକକ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କୃତଜ୍ଞତା ଜଣାଇବା ପରମ୍ପରା ପରବର୍ତ୍ତୀ ସମୟରେ ସାମୂହିକ ଅନୁଷ୍ଠାନର ରୂପନେଲା ଏବଂ ଭିନ୍ନ ଭିନ୍ନ ସ୍ଥାନରେ ଏହା ପାଳିତ ହେଲା ଅଲଗା ଅଲଗା ନାମରେ। ଏହି ଯେମିତି ଆମ ଦେଶର ପଞ୍ଜାବରେ ‘ବୈଶାଖୀ’, ଆସାମରେ ‘ବିହୁ’, ପଶ୍ଚିମ ଭାରତରେ ‘ପୋଙ୍ଗଲ’ ଓ ଓଡ଼ିଶାରେ ଏହା ‘ନୂଆଁଖାଇ’ ନାମରେ ଖ୍ୟାତ। ନୂଆଖାଇ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଳିତ ହୁଏ ସତ, କିନ୍ତୁ ପଶ୍ଚିମ ଓଡିଶାରେ ଏହା ଏକ ଗଣପର୍ବ। ଗବେଷକଙ୍କ ମତରେ ପ୍ରାଚୀନ କାଳରୁ ପଶ୍ଚିମ ଓଡିଶାରେ ପାଳନ ହୋଇ ଆସୁଥିବା ଏହି ପରମ୍ପରାକୁ ରାଜସ୍ବୀକୃତି ମିଳିଥିଲା ପାଟଣାଗଡର ପ୍ରତିଷ୍ଠାତା ତଥା ଚୌହାନ ରାଜବଂଶର ପ୍ରଥମ ରାଜା ରମାଇ ଦେବଙ୍କ ରାଜତ୍ୱ କାଳରେ। ସେ ସମୟରେ ରାଜାମାନେ ରାଜ୍ୟର ଇଷ୍ଟଦେବୀଙ୍କ ନାମାନୁସାରେ ତିଥି ଲଗ୍ନ ସ୍ଥିର କରି ପ୍ରତିବର୍ଷ ନବାନ୍ନ ଭକ୍ଷଣ କରୁଥିଲେ ଭିନ୍ନ ଭିନ୍ନ ଦିବସରେ। ରାଜତନ୍ତ୍ରର ବିଲୋପ ପରେ ବି ସ୍ଥାନ ଭେଦରେ ପଣ୍ଡିତମାନେ ଭିନ୍ନ ଭିନ୍ନ ତିଥି ନିରୂପଣ କରୁଥିଲେ ଏବଂ ତଦନୁସାରେ ସେଠାରେ ପାଳନ ହେଉଥିଲା ନବାନ୍ନ ଭକ୍ଷଣ ଉତ୍ସବ। ମାତ୍ର ୧୯୯୧ ମସିହାରେ ଲୋକଙ୍କ ସହମତି କ୍ରମେ ଏହି ତିଥି ନିର୍ଣ୍ଣୟ ପରମ୍ପରାରେ ପରିବର୍ତ୍ତନ ଆଣିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ଫଳରେ ପ୍ରତିବର୍ଷ ଗଣେଶ ଚତୁର୍ଥୀ ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ତିଥିରେ ନୂଆଁଖାଇ ପର୍ବ ପାଳନ ପାଇଁ ସ୍ଥିର ହେଲା ଏବଂ ସେହି ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିବା ସହିତ ନୂଆଁଖାଇକୁ ମିଳିଲା ଜାତୀୟ ପର୍ବର ମାନ୍ୟତା।
ପ୍ରତିବର୍ଷ ଭାଦ୍ରବ ଆସିଲେ ଚଳଚଞ୍ଚଳ ହୋଇଉଠେ ପଶ୍ଚିମ ଓଡିଶା। ନୂଆଁଖାଇକୁ ନୂଆ ରଙ୍ଗରେ ସଜାଇବା ପାଇଁ ଘରେ ଘରେ ଲାଗିଯାଏ ପ୍ରସ୍ତୁତି ପର୍ବ। ବେହରାଟ (ସମୂହ ସଭା)ବସି ସ୍ଥିର ହୁଏ ଲଗନ ଦେଖା ବା ନବାନ୍ନ ଭକ୍ଷଣର ଶୁଭ ମୁହୂର୍ତ୍ତ। ଆରମ୍ଭ ହୋଇଯାଏ ଘରଦ୍ବାର ଲିପାପୋଛା ଓ ସାଜସଜ୍ଜା କାମ। ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କୁ ନିମନ୍ତ୍ରଣ ପାଇଁ ଲାଗିଯାଏ ଡକାହକା ଧାଁଦଉଡ।
ସଂଗୃହୀତ ଧାନଗୁବା ବା ନୂଆଧାନରୁ ଘରେ ଘରେ ପ୍ରସ୍ତୁତ ହୁଏ ଚୁଡା। ନୂଆଁଖାଇ ପୂର୍ବଦିନ ଯାଏ ଘିନାବିକା (କିଣାବିକା)ପାଇଁ ହାଟ ବଜାରରେ ଲାଗେ ଗହଳି। ପିଲାଠାରୁ ବୁଢାଯାଏ ସମସ୍ତେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ପବିତ୍ର ପ୍ରତ୍ୟୁଷକୁ ଚାହିଁ ରହନ୍ତି ଅତି ଉତ୍କଣ୍ଠାର ସହିତ। ସେଦିନ ପ୍ରଭାତ ହେବାକ୍ଷଣି ସମସ୍ତଙ୍କ ଘରେ ପ୍ରସ୍ତୁତି ସରିଯାଏ ଅନ୍ନ, ସ୍ବାଦିଷ୍ଟ ଖିରି ଓ ନାନା ପ୍ରକାର ସୁମିଷ୍ଟ ପିଠା। ପରିବାରର ସମସ୍ତେ ସ୍ନାନ ସାରି ପରିଧାନ କରନ୍ତି ନୂତନ ବସ୍ତ୍ର। ନିର୍ଦ୍ଧାରିତ ଅମୃତ ବେଳାରେ ପରିବାର ମୁଖ୍ୟ ଇଷ୍ଟଦେବୀ ଓ ପିତୃ ପୁରୁଷଙ୍କୁ ପାରମ୍ପରିକ ରୀତିରେ ଅର୍ପଣ କରନ୍ତି ନୂତନ ଶସ୍ୟରେ ପ୍ରସ୍ତୁତ ବଲିପକା(ନୈବେଦ୍ୟ)। ପରିବାରର ଅନ୍ୟମାନେ ଇଷ୍ଟଦେବୀଙ୍କ ନିକଟରେ ଭକ୍ତି ନିବେଦନ କଲାପରେ ପରିବାର ମୁଖ୍ୟ ସେମାନଙ୍କୁ ପ୍ରସାଦ ବିତରଣ କରନ୍ତି ବଡରୁ ସାନ କ୍ରମରେ। ଏହି ଅବସରରେ ଜୁହାର ଭେଟ ହୁଏ ଅର୍ଥାତ୍ କନିଷ୍ଠମାନେ ଗୁରୁଜନଙ୍କୁ ପ୍ରଣିପାତ କରି ଗ୍ରହଣ କରନ୍ତି ଆଶୀର୍ବାଦ। ପରିବାର ଭିତରେ ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରନ୍ତି ଏବଂ ଅପରାହ୍ନରେ ଗାଁ ଦାଣ୍ଡକୁ ବାହାରି ପଡନ୍ତି ନୂଆଖାଇ ଭେଟଘାଟ୍ ପାଇଁ। ପ୍ରଥମେ ଗ୍ରାମ ଦେବତୀ ବା ଭଗବତ ଟୁଙ୍ଗିରେ ପହଞ୍ଚି ମୁଣ୍ଡିଆ ମାରି ସାରିବା ପରେ ଆରମ୍ଭ ହୁଏ ଜୁହାର ଭେଟ। ଅର୍ଥାତ୍ ସାନମାନେ ଗାଁର ବଡମାନଙ୍କୁ ପ୍ରଣାମ ଜଣାଇ କାମନା କରନ୍ତି ଆଶୀର୍ବାଦ। ଭେଟଘାଟ ପର୍ବ ଅବସରରେ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ ଏବଂ ଏଥିରେ ବହୁ ରାଜନେତା ଯୋଗ ଦିଅନ୍ତି ଦଳମତ ନିର୍ବିଶେଷରେ।
ନୂଆଁଖାଇ କେବଳ ଆନନ୍ଦ ଉଲ୍ଲାସର ପର୍ବ ନୁହେଁ, ବରଂ ଦେବତା ଓ ପିତୃ ପୁରୁଷଙ୍କୁ ଶଙ୍ଖୋଳିବାର ଏକ ଅମୃତ ଅବସର। ଏଥିରେ ନିହିତ ଆମ ସଂସ୍କୃତି ପରମ୍ପରା ଓ ଜୀବନ ଧାରାର ଏକ ସମନ୍ବିତ ରୂପ। କୃଷିପ୍ରଧାନ ରାଜ୍ୟ ଓଡିଶାର କୃଷକ ତା’ର ଭଣ୍ଡାର ଭରିଦେବା ପାଇଁ କେବଳ ଦେବତାଙ୍କୁ ଡାକେ ତାହା ନୁହେଁ, କୃତଜ୍ଞତା ଜ୍ଞାପନ ଉଦ୍ଦେଶ୍ୟରେ ବି ନୈବେଦ୍ୟ ନିବେଦନ କରେ ଶସ୍ୟ ଉତ୍ପାଦନ ପରେ। ନୂଆଁଖାଇ କେବଳ ଏକ ପର୍ବ ନୁହେଁ,ଏହା ଆମ ସାଂସ୍କୃତିକ ଜୀବନ ଶୈଳୀ। ଗୁରୁଜନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଓ ସାନମାନଙ୍କୁ ସ୍ନେହ ଶ୍ରଦ୍ଧା ଓ ଖୁସି ବାଣ୍ଟିବା ଆମ ସଂସ୍କୃତିର ବୈଶିଷ୍ଟ୍ୟ ଏବଂ ତାହା ହିଁ ପ୍ରତିଫଳିତ ହୋଇଛି ଏହି ପର୍ବରେ। ତେଣୁ ଏହି କୃଷିଭିତ୍ତିକ ପର୍ବ ଯେତିକ ଶାସ୍ତ୍ରୀୟ, ସେତିକି ଆଚାରସିଦ୍ଧ। ଆଧୁନିକ କୃଷି ପ୍ରଣାଳୀ, ସହରି ସଭ୍ୟତାର ପ୍ରଭାବ, ତଥା ଯୁବ ପିଢିର ପରିବର୍ତ୍ତିତ ମାନସିକତା ଭିତରେ ହଜିଗଲାଣି
ଆମର ଅନେକ ପାରମ୍ପରିକ ପର୍ବ ପର୍ବାଣି। ପାଶ୍ଚାତ୍ୟ ସଭ୍ୟତାର ଘୋଡଣୀ ଭିତରେ ଲୁଚି ଗଲାଣି ଅନେକ ଓଷାବ୍ରତ। ମାତ୍ର ସବୁ ସତ୍ତ୍ବେ ବି ଆଦୌ ମଳିନ ପଡିଯାଇନି ନୂଆଖାଇର ମହକ। ସର୍ବଜନ ଆନନ୍ଦଦାୟକ ଏହି ଗଣପର୍ବର ଉଲ୍ଲାସ ଭିତରେ ବରଫ ପରି ତରଳି ଯାଏ କେତେ ଦାମ୍ଭିକତାର ଭାବ ଓ ଭାଷା। ତୁଟିଯାଏ ସାରାବର୍ଷର ରାଗ ରୋଷ ଓ ଅଭିମାନ। ସମଦର୍ଶୀ ଚିନ୍ତନ ଓ କଥନରେ ଲିଭିଯାଏ ପରସ୍ପର ମଝିରେ ଟାଣି ହୋଇ ଯାଇଥିବା କେତେ ବିଭେଦ ଓ ବିଦ୍ବେଷର ଖଡିଟଣା ଗାର। ସତରେ ପ୍ରାଣକୁ ଚହଲାଇ ଦିଏ, ଦୋହଲାଇ ଦିଏ ନୂଆଁଖାଇ ଭେଟଘାଟର ଅମୃତମୟ ଆହ୍ଲାଦ। ଯା’ର ଆକର୍ଷଣକୁ ଏଡି ନ ପାରି ଦୂର ବିଦେଶରୁ ଧାଇଁଆସେ ପ୍ରବାସୀ। ପର୍ବମୟ ଗାଁର ଉଲ୍ଲାସ ଭିତରେ ସେ ଭୁଲିଯାଏ ବ୍ୟସ୍ତ ବହୁଳ ସହରୀ ଜୀବନର ନିସଂଗତା। ତେଣୁ ନୂଆଁଖାଇ କେବଳ ଚାଷୀ ଘରର ପର୍ବ ନୁହେଁ,ଏହା ପଶ୍ଚିମ ଓଡିଶାର ସବୁ ଜାତିର, ସବୁ ଧର୍ମର,ସବୁ ବର୍ଗର ଲୋକଙ୍କ ପାଇଁ ଏକ ଭାଇଚାରାର ପର୍ବ। ବସୁଧୈବ କୁଟୁମ୍ବକମ୍ ଭାବନା ତା’ର ମୂଳକଥା। ସାଧାରଣତଃ ଇସଲାମ ଧର୍ମରେ ନୂଆଖାଇ ପର୍ବ ପାଳନ ପରମ୍ପରା ନାହଁି କହିଲେ ଚଳେ; ମାତ୍ର ପଶ୍ଚିମ ଓଡିଶାର ଇବ୍ ଉପତ୍ୟକାର ବିଭିନ୍ନ ଗ୍ରାମରେ ବାସ କରୁଥିବା ମୁସଲିମ ପରିବାରଗୁଡିକ ନୂଆଁଖାଇ ପାଳନ କରନ୍ତି ଖୁବ୍ ଧୁମ୍ଧାମରେ। ତେଣୁ ସେଠାରେ ବାସ କରୁଥିବା ହିନ୍ଦୁ ଆଦିବାସୀ ଓ ମୁସଲିମମାନଙ୍କ ଭିତରେ ଗଢିଉଠିଛି ଏକ ଅଦ୍ଭୁତ ସାଂସ୍କୃତିକ ସମନ୍ବୟ ଓ ସଂହତି।
ଏକଥା ସତ୍ୟ ଯେ ଏବର୍ଷ ଏହି ଗଣପର୍ବ ଆୟୋଜନ ଆଗରେ ବିରାଟ ପ୍ରତିବନ୍ଧକ ହୋଇ ଛିଡାହୋଇଛି ମହାମାରୀ କରୋନା। ତା’ର କ୍ରମବର୍ଦ୍ଧିଷ୍ଣୁ ପ୍ରକୋପ ଯୋଗୁ ଏଥର ଗାଁ ଦାଣ୍ଡରେ ଲହଡି ଭାଙ୍ଗୁନି ଭେଟଘାଟର ଆନନ୍ଦ ଉଲ୍ଲାସ। କୋଭିଡ୍-୧୯ର ନିୟମ ଦୃଷ୍ଟିରୁ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ସଚେତନ ଅଛନ୍ତି ଲୋକେ। ସେଥିପାଇଁ ପର୍ବରେ ଏଥର ଗହଳି ନାହିଁ କି ଏଥିରେ ସାମିଲ୍ ହୋଇପାରୁନାହାନ୍ତି ନେତା ଓ ମନ୍ତ୍ରୀ। ମାତ୍ର କରୋନା କାରଣରୁ କେବେ ଦୋହଲି ଯିବନି ନୂଆଁଖାଇର ସାଂସ୍କୃତିକ ଆତ୍ମା। ସବୁ ପ୍ରତିକୂଳତା ଭିତରେ ବି ଏହା ସଚରାଚର ସ୍ନେହ ପ୍ରେମ ଓ ସଦିଚ୍ଛାର ବାର୍ତ୍ତା ବୁଣିବ ଏକ ଆଧ୍ୟାତ୍ମିକ ଆହ୍ଲାଦ ଭିତରେ। ତେଣୁ ଭାବି ନେବାକୁ ହେବ କରୋନାଜନିତ ନିରାଡମ୍ବର ଆୟୋଜନ କେବଳ ଏକ ସାମୟିକ ସମସ୍ୟା। ମାତ୍ର ଅସଲ ସମସ୍ୟା ରହିଛି ପରିବେଶ ପ୍ରଦୂଷଣଜନିତ ଜଳବାୟୁର ଘନ ଘନ ପରିବର୍ତ୍ତନ ପାଖରେ। ଏହି ଦୃଷ୍ଟିରୁ ଶସ୍ୟ ଉତ୍ପାଦନ ଓ ଅନ୍ନପର୍ବର ଭବିଷ୍ୟତକୁ ନେଇ ଆମ ଭିତରେ ପ୍ରକାଶ ପାଉ ଏକ ସକାରାତ୍ମକ ଓ ସୁଦୂରପ୍ରସାରୀ ଦୃଷ୍ଟିଭଙ୍ଗୀ। ପରିବେଶ ସନ୍ତୁଳନ ରକ୍ଷା ଦିଗରେ ସୁବ୍ୟବସ୍ଥିତ ହେଉ ଆମର ପରିକଳ୍ପନା, ପରିଯୋଜନା ଓ ତା’ର ସଫଳ ରୂପାୟନ। ଆମ ରାଜନୈତିକ ନେତୃତ୍ୱ ପ୍ରତି ଏହା ବୋଧହୁଏ କରୋନା ପୀଡିତ ନୂଆଁଖାଇର ଏକ ଆହ୍ବାନ !
ବିଜୁ ପଟ୍ଟନାୟକ ନଗର, ମହତାବ ଛକ,
ଭଦ୍ରକ, ମୋ-୭୦୦୮୬୮୨୨୮୫