ସମ୍ବଲପୁର,୨୧ା୮(ଶୁଭାଶିଷ ପାଢୀ): ଆସନ୍ତା ସେପ୍ଟେମ୍ବର ୨୦ରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ହେବ। ଏହି ଅବସରରେ ସରକାରୀ ଭାବେ ନୂଆଖାଇ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି। ଏହାକୁ ବୃଦ୍ଧି କରି ଦୁଇଦିନ ଛୁଟି ଘୋଷଣା କରାଯାଉ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ଉତ୍ତରାଞ୍ଚଳ ଆର୍ଡିସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛି।
ଏଥିରେ ଦର୍ଶାଯାଇଛି, ପଶ୍ଚିମ ଓଡ଼ିଶାର ବହୁ ଯୁବତୀଯୁବକ ରୋଜଗାର ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଛନ୍ତି। ନୂଆଖାଇରେ ସମସ୍ତେ ନିଜ ଘରକୁ ଆସି ସପରିବା ସହ ନବାନ୍ନ ଭକ୍ଷଣ କରନ୍ତି।
ଯେହେତୁ ନୂଆଖାଇର ପୂର୍ବଦିନ ଗଣେଶ ପୂଜା, ତେଣୁ ଘରକୁ ଆସିବାର କୌଣସି ଅସୁବିଧା ହୁଏ ନାହିଁ। କିନ୍ତୁ ନୂଆଖାଇ ପାଳନ କରି ଦୂରଦୂରାନ୍ତକୁ ଫେରିବା ପାଇଁ ଅତିକମରେ ଦୁଇଦିନ ଆବଶ୍ୟକ। ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତ ଶିକ୍ଷକ ନିଯୁକ୍ତି ଲାଗି ପରୀକ୍ଷା ରହିଛି। ତେଣୁ ନୂଆଖାଇ ପରଦିନ(ନୂଆଖାଇ ବାସି)ରେ ଦୂରରେ ରହୁଥିବା ପିଲା ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେବା ସମ୍ଭବ ପର ନୁହେଁ। ଏହାକୁ ଦୃଷ୍ଟିରେ ରଖି ନୂଆଖାଇ ପରବର୍ତ୍ତୀ ଦିନକୁ ମଧ୍ୟ ରାଜ୍ୟବ୍ୟାପୀ ସରକାରୀ ଛୁଟି ଘୋଷଣା କରାଯାଉ। ଦାବିପତ୍ର ପ୍ରଦାନ ସମୟରେ ପଙ୍କଜିନି ମେହେର, ଝୁନୁ ତ୍ରିପାଠୀ, ସୁଜାତା ଗୁରୁ, ଶ୍ୱତିକା ନାୟକ, ତୃପ୍ତିମୟୀ ପଣ୍ଡା, ଜନନୀ ମିଶ୍ର, ଦେବୀ ପ୍ରସାଦ ଭୋଇ, ଲଳିତ ମୋହନ ବେବର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।