ନୂଆଁଖାଇ କୃଷି ଓ କୃଷକର ପର୍ବ । ସେଥିପାଇଁ ଏହାକୁ କୃଷିଭିତ୍ତିକ ପର୍ବ ବୋଲି କୁହାଯାଏ । ନୂଆଁଖାଇ ଦିନ ଚାଷୀ ପୁଅ ପାକଳ ଧାନ କ୍ଷେତକୁ ଯାଇ ଅରୁଆ ଚାଉଳ, ଫୁଲ, ଦୀପ, ଧୂପ, ନାରିକେଳ ଦେଇ ପୂଜାର୍ଚ୍ଚନା କରିଥାନ୍ତି । ଏହାପରେ କ୍ଷୀର ଢ଼ାଳି ସ୍ବର୍ଗଲୋକରେ ଥିବା ପିତୃ ପୁରୁଷଙ୍କୁ ସ୍ମରଣ କରିଥାନ୍ତି । ବସୁଧା ମାତା ଓ ଈଶ୍ୱରଙ୍କ କୃପାରୁ ଅଧିକ ଫସଲ ଅମଳ କରିବାକୁ କାମନା କରିଥାନ୍ତି । ସେହିପରି ଗୁହାଳରେ ମଧ୍ୟ ସ୍ବତନ୍ତ୍ର ପୂଜା କରାଯାଇଥାଏ । ଗୋମାତାଙ୍କୁ ସ୍ନାନ କରାଇବା ପରେ ସେମାନଙ୍କ ଶିଙ୍ଘରେ ରାଖୀ ବନ୍ଧା ଯାଇଥାଏ । ଏତତ୍ବ୍ୟତୀତ ଭବିଷ୍ୟତକୁ ଶୁଭମନାସି କୃଷି କାର୍ଯ୍ୟରେ ବ୍ୟବହୃତ କୃଷି ଉପକରଣ, ଦୁଆର ବନ୍ଧ ଗୁଡିକରେ ରାକ୍ଷୀ ବାନ୍ଧିଥାନ୍ତି । ଏହି ପରମ୍ପରାକୁ ବହୁ ପ୍ରାଚୀନ ଅଟେ । ଏବେ ଚାଷୀମାନେ ପାରମ୍ପରିକ କୃଷି ଉପକରଣ ପରିବର୍ତ୍ତେ ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରୁଛନ୍ତି । ତଥାପି ଶସ୍ୟ, ଫଳ, ଫୁଲ, ବୃକ୍ଷଲତାକୁ ଈଶ୍ୱରଙ୍କୁ ସମର୍ପଣ କରିବା ନୀତି ରହିଛି । ତାହାକୁ ପରବର୍ତ୍ତି ସମୟରେ ପ୍ରସାଦ ଭାବେ ସମସ୍ତେ ଗ୍ରହଣ କରିଥାନ୍ତି । ତେଣୁ ନୂଆଁଖାଇ ପର୍ବ ସଂକଳ୍ପ ନେବାର ବାର୍ତ୍ତା ଦେଇଥାଏ। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଅନ୍ନର ମହିମା କବିତାରେ ଖାଦ୍ୟ ଶସ୍ୟ ତଥା ଅନ୍ନର ମହତ୍ୱ ଉପରେ ବର୍ଣ୍ଣନା କରାଯାଇଛି । ଧନ୍ୟ ମହାପ୍ରଭୁ ହେ ଆଗେ ସୃଜିଅନ୍ନ, ତା ଉତାରେ ସୃଜିଲି ଜୀବଜନ୍ତୁ ଗଣ । ଅନ୍ନବିନା ଜୀବନ ନ ପାରଇ ରହି, ବିନା ପ୍ରାଣୀଙ୍କ ଜୀବନ ନୀରତେ ଦହି ହେ …।
-ବି.ଶଙ୍କର