ନୂଆଖାଇ ପାଇଁ ନିର୍ଘଣ୍ଟ ହେଲା ଲଗ୍ନ

ସମ୍ବଲପୁର,୩୧।୮(ବ୍ୟୁରୋ): ସେପ୍ଟେମ୍ବର ୧୧ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏଥିଲାଗି ମଙ୍ଗଳବାର ଶୁଭ ଲଗ୍ନ ନିର୍ଘଣ୍ଟ କରାଯାଇଛି। ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଦ୍ୱାରା ଚଳିତ ବର୍ଷ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ପରମ୍ପରାନୁଯାୟୀ ଜନ୍ମାଷ୍ଟମୀ ପରଦିନ ନୂଆଖାଇ ଲାଗି ଲଗ୍ନ ବାହାରିଥାଏ। ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥାଏ। ଏଥିରେ ପଣ୍ଡିତ ଏବଂ ବିଦ୍ୱାନମାନେ ଯୋଗଦେଇ ଲଗ୍ନ ନିର୍ଦ୍ଧାରିତ କରିଥାନ୍ତି। ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ସମଲେଶ୍ୱରୀଙ୍କଠାରେ ଅର୍ପଣ କରିଥାନ୍ତି। ସେହି ଲଗ୍ନ ଓ ସମୟରେ ନୂଆଖାଇ ଦିନ ମା’ଙ୍କଠାରେ ଭୋଗ ଲାଗି ହୋଇଥାଏ।

Share