ସାରା ପୃଥିବୀର ଜୀବନ ଜୀବିକାରେ ନଈର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏଇ ନଈକୂଳରେ ହିଁ ଯାତାୟତ ଓ ନୌବାଣିଜ୍ୟ ପାଇଁ ଗଢି ଉଠିଥିଲା ବସତି। ସେଇ କ୍ରମରେ ଓଡିଶାର ନୌବାଣିଜ୍ୟ ପରମ୍ପରା ବି ବହୁତ ପୁରୁଣା। ଆଉ ଅତୀତରେ ଓଡିଶାର ପୂର୍ବାଞ୍ଚଳ ସହ ପଶ୍ଚିମାଞ୍ଚଳର ଯୋଗାଯୋଗର ମାଧ୍ୟମ ହିଁ ଥିଲା ଏଇ ଡଙ୍ଗା । ବଡ ବଡ ପଟୁଆ (ଡଙ୍ଗାକୁ ଡଙ୍ଗା ପଟାରେ ଯୋଡି ଗଢା ବଡ ଡଙ୍ଗା)ରେ ପରିବହନ ହେଉଥିଲା ଅତ୍ୟାବଶ୍ୟକ ସାମଗ୍ରୀ। ନଈକୁ ଆଧାରକରି ଅତୀତରୁ ଏଯାଏ ଗୁଜୁରାଣ ମେଣ୍ଟାଉଛନ୍ତି ଅନେକ ପରିବାର। ପଶ୍ଚିମ ଓଡିଶାରେ ନୂଆଁଖାଇ ବେଳେ ନଈ ଓ ଡଙ୍ଗାପୂଜାର ପରମ୍ପରା ନିଆରା ।
ନିର୍ଭର କରି ଚଳୁଥିବା ପରିବାର ଭିତରେ ନଈ ଓ ଡଙ୍ଗା ସହ ଅନେକ ପରିବାରଙ୍କ ସମ୍ପର୍କ ସ୍ବତନ୍ତ୍ର। ସେଇମାନଙ୍କ ଭିତରେ କେଉଟ, ଗିଙ୍ଗରା ଓ ଝରାମାନଙ୍କ ଜାତିରେ ନୂଆଁଖାଇ ସମୟରେ ନଈ ଓ ଡଙ୍ଗାକୁ ପୂଜା କରିବାର ବିଧି ରହିଛି ।
ପୂର୍ବ ପ୍ରସ୍ତୁତି : ନୂଆଁଖାଇର ପୂର୍ବ ଦିନ ଆରମ୍ଭ ହୁଏ ଡଙ୍ଗାପୂଜାର ପ୍ରସ୍ତୁତି । ସଞ୍ଜ ଆଗରୁ ଡଙ୍ଗାକୁ ଭଲଭାବେ ଧୁଆଧୋଇ କରି ମଙ୍ଗକୁ ଚିତ୍ରେଇବା ପାଇଁ ସଜ କରାହୁଏ କଟକୀ ସନ୍ଦୂର ଓ ନଡିଆ କାଞ୍ଚତ୍ ପୋଡା କଳା ଦେଇ। ସକାଳେ ଡଙ୍ଗା ଦୁଇ ମଙ୍ଗର କାଠଖୋଦେଇ ଚିତ୍ରରେ ମଖାଇ ଦିଆହୁଏ ନାଲି ସିନ୍ଦୂର ଓ କଳା । ସେଇ ଚିତ୍ର ଡଙ୍ଗା ତିଆରି ବେଳେ ହିଁ ଖୋଦେଇ ହୋଇଥାଏ। ଚିତ୍ର କହିଲେ ତିନିରୁ ଚାରି କେତକୀ ଫୁଲ ଢାଞ୍ଚାର କାଙ୍ଗଲା । ଆଉ କେତେକ ଡଙ୍ଗାରେ ସେଇ କାଙ୍ଗଲା ପାର୍ଶ୍ୱରେ ହାତୀମୁଣ୍ଡ ା କେତେକ ଡଙ୍ଗାର ଚଉପାଶରେ ସଉକିନ ମଙ୍ଗୁଆଳ ସଜାଇଥାନ୍ତିି ବିଭିନ୍ନ ଫୁଲର ଧଡିଚିତ୍ର। ନୂଆଁଖାଇ ସକାଳେ ଦୁଇ ମଙ୍ଗରେ କଟକୀ ସିନ୍ଦୂର ଓ କଳା ମଖାଇ ଦେବା ପରେ ଡଙ୍ଗାପୂଜା ପାଇଁ ତୟାର ହୋ ରହିଥାଏ ଡଙ୍ଗା। ଏ ସମ୍ପର୍କରେ ସାମାଜିକ କର୍ମୀ ଘାସିରାମ ପଣ୍ଡା କହନ୍ତି, ନଈ ଚାଷଜମି ପରି ଓ ଡଙ୍ଗା ବଳଦ । ଚାଷୀ ଯେମିତି ଲଙ୍ଗଳରେ ଚଷେ ସେମିତି ଡଙ୍ଗାକୁ ଧରି ତ ନଈରେ ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ଚାଷ । ସେଥିପାଇଁ ନୂଆଁଖାଇରେ ନଈ ଓ ଡଙ୍ଗା ପୂଜାର ପରମ୍ପରା ସ୍ବତନ୍ତ୍ର ହୋଇ ରହିଛି ।
ନୂଆଁଖାଇର ନଈ ଓ ଡଙ୍ଗାପୂଜା :ନଈ ଓ ଡଙ୍ଗାକୁ ଆଧାରକରି ବଞ୍ଚୁଥିବା ପରିବାରରେ ଯେଉଁଠି ଯାହା ନୂଆଁଖାଇର ପରମ୍ପରା ରହିଛି ସେଇ ଅନୁଯାୟୀ ଘରର ବୟୋଜ୍ୟେଷ୍ଠ ଇଷ୍ଟ ଦେବତାଙ୍କ ପୂଜାବିଧି କରି ତାଙ୍କ ପାଖରେ ଚୂରାକଣ୍ଡା ଲଗେଇବା ପରେ ବାହାରି ଯାନ୍ତି ନଈକୂଳରେ ବନ୍ଧା ଡଙ୍ଗା ପାଖକୁ । ନଈକୂଳରେ ତୟାର ଡଙ୍ଗାରେ ସଦ୍ୟ କଟକୀ ସିନ୍ଦୂର ଓ କଳା ବୋଳାହୋଇ ଜକଜକ କରୁଥାନ୍ତି ଆଗ ମଙ୍ଗରେ ଚୌରାଶୀ ଦେବୀ । ସବୁ ଡଙ୍ଗାର ଆଗମଙ୍ଗରେ ହିଁ ଚୌରାଶୀ ଦେବୀକୁ ପରିବାରର ବୟୋଜ୍ୟେଷ୍ଠ ପୂଜା କରିଥାନ୍ତି, ପରେ ପଛ ମଙ୍ଗରେ । ପଛ ମଙ୍ଗରେ କିନ୍ତୁ ସମଲାଇ ଓ ସ୍ଥଳ ବିଶେଷରେ ଅନ୍ୟ ଦେବୀ ପୂଜା ଘେନିଥାନ୍ତି। ଘରେ ଯେପରି ଖୀରି, ପିଠା ଓ ଚୁରାକୁଣ୍ଡାର ଭୋଗ ଲଗା ହୋଇଥାଏ ସେମିତି ଡଙ୍ଗାର ଦୁଇ ମଙ୍ଗରେ କୁରହେଇ ପତ୍ରର ଠୋଲାରେ ବଳିତା ଦେଇ ଦୀପ ଜଳା ହୁଏ ଓ ପୂଜାର୍ଚ୍ଚନା କରି ଭୋଗ ଲଗାଯାଏ ।
-ଆଦିତେଶ୍ୱର ମିଶ୍ର, କଣ୍ଟାମାଳ