Advertisement

ନୂଆପଡ଼ା ଜିଲାରେ ୧୭,୫୩୬ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟ

ନୂଆପଡ଼ା,୧୩ା୩ (ମକାରୁ ବେମାଲ):ସ୍ଥାନୀୟ ପୋଲିସ ପଡ଼ିଆଠାରେ ଜିଲା ପ୍ରଶାସନ ଓ ଓଡ଼ିଶା ଜୀବିକା ମିଶନ ନୂଆପଡ଼ାଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା ଜିଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲାପାଳ ଯୋଗେନ୍ଦ୍ର ମାଝି, ଏପିଡି ଯୋଗେଶ୍ୱର ଭୋଇ, ଏଲ୍‌ଡିଏମ୍‌ ସୀତାରାମ ମେହେର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଓଡ଼ିଶା ଜୀବିକା ମିଶନ ଜିଲା ପ୍ରକଳ୍ପ ପରିଚାଳକ ସୁନୀଲ କୁମାର ମଲ୍ଲିକ ଯୋଜନାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏଲ୍‌ଡିଏମ୍‌ ମେହେର ଏହି ଯୋଜନାରେ ଲକ୍ଷପତି ହେବାର କୌଶଳ ସମ୍ବନ୍ଧରେ ବୁଝାଇଥିଲେ ା ଜିଲାପାଳ ଉପସ୍ଥିତ ମହିଳାମାନଙ୍କୁ ସମ୍ବୋଧିତକରି ଏହି କର୍ମଶାଳା ଆର୍ଥିକ ସ୍ବଚ୍ଛଳତା ଆଣିବା ଦିଗରେ ବିଶେଷ ସହାୟକ ହେବ ବୋଲି କହିଥିଲେ। ଜିଲା କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପ ରଞ୍ଜନ ସାହୁ, ଜିଲା ପ୍ରାଣୀସମ୍ପଦ ଅଧିକାରୀ ଡା. ଆଲୋକ କୁମାର ନାୟକ, ଜିଲା ମତ୍ସ୍ୟ ଅଧିକାରୀ ବିଜନ ସାହୁ, ଉପ ନିର୍ଦ୍ଦେଶକ ଜଳ ବିଭାଜିକା ପ୍ରକଳ୍ପ ରଶ୍ମିରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ନିଜ ବିଭାଗ ଦ୍ୱାରା ପାଇବାକୁ ଥିବା ଲାଭ ସମ୍ପର୍କରେ ଅବଗତ କରାଇଥିଲେ ା ଏହି ଅବସରରେ ନାଜରୁନ ବାଇ, କୌଶଲ୍ୟା ଦାଶ, ହିରଣ୍ମମୟୀ ପରିଡା, ନୀଳେନ୍ଦ୍ର ଛତ୍ରିଆ ଓ କଳ୍ପଲତା ପ୍ରଧାନଙ୍କୁ ଲକ୍ଷପତି ଦିଦି ଭାବରେ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ ରାଜ୍ୟରେ ଚଳିତବର୍ଷ ୧୯ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିକରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଜିଲାରୁ ୧୭ ହଜାର ୫୩୬ଜଣ ସୃଷ୍ଟି ହେବାକୁ ଲକ୍ଷ୍ୟ ରହିଥିବା ବେଳେ ଏପର୍ଯ୍ୟନ୍ତ ୭ ହଜାର ୭୯୭ଜଣ ସୃଷ୍ଟି ହେଲେଣି ବୋଲି କୁହାଯାଇଥିଲା।