ୟୁକ୍ରେନ୍‌ ସୀମା ନିକଟରେ ନ୍ୟୁକ୍ଲିୟର ବମ୍ବର

କିଭ୍‌, ୧୯।୪: ପାଖାପାଖି ଦୁଇ ମାସ ହେଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଥମିବାର ନାଁ ନେଉ ନ ଥିବାବେଳେ କ୍ରେମଲିନ୍‌ ପକ୍ଷରୁ ନ୍ୟୁକ୍ଲିୟର ଆକ୍ରମଣର ଆଶଙ୍କା ଘନଉଛି। ଏପରି ସ୍ଥିତିରେ ୟୁକ୍ରେନ୍‌ ସୀମା ନିକଟରେ ରୁଷିଆର ନ୍ୟୁକ୍ଲିୟର ବମ୍ବର ଦେଖିବାକୁ ମିଳିଛି। ଏହି ବିମାନ ଜରିଆରେ ନ୍ୟୁକ୍ଲିୟର ବୋମା ପରିବହନ କରାଯାଇଥାଏ। ତେବେ ଏହି ବିମାନକୁ ନେଇ କୌଣସି ମିଶନ ବାବଦରେ ମସ୍କୋ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ। ସେପଟେ ମସ୍କୋଭା ଯୁଦ୍ଧଜାହାଜ ନଷ୍ଟ ହେବାକୁ ନେଇ ଆକ୍ରମଣାତ୍ମକ ହୋଇଥିବା ରୁଷିଆ ୟୁକ୍ରେନ୍‌ର ବିଭିନ୍ନ ସହରରେ ଆକ୍ରମଣ ତୀବ୍ର କରିଛି। ରାଜଧାନୀ କିଭ୍‌ ସମେତ ଲଭିଭ୍‌, ଖର୍କିଭ୍‌ ଆଦି ସହରରେ ରକେଟ ମାଡ଼ କରିଛି। ଏଥିଯୋଗୁ ଲଭିଭ୍‌ରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ମୋଟ ୯ ୟୁକ୍ରେନ୍‌ ନାଗରିକ ପ୍ରାଣ ହରାଇଛନ୍ତି। ମସ୍କୋର ଆକ୍ରମଣ ପରେ ବିଶ୍ୱକୁ ବିଶ୍ୱାସ କରିହେଉନାହିଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ବିଶ୍ୱକୁ କିମ୍ବା କଥାକୁ ବିଶ୍ୱାସ ନାହିଁ। ରୁଷିଆର ଆକ୍ରମଣ ପରେ ପଡ଼ୋଶୀଙ୍କୁ ମଧ୍ୟ ବିଶ୍ୱାସ ନାହିଁ ବୋଲି ଜେଲେନ୍‌ସ୍କି ଏକ ସାକ୍ଷାତକାରରେ କହିଛନ୍ତି।

Share