ବାରିପଦା,୨୭ା୩(ନୀଳାଦ୍ରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜନୈକା ଦଶମ ଶ୍ରେଣୀ ଛାତ୍ରୀଙ୍କ ନଗ୍ନ ଭିଡିଓ ଭାଇରାଲ ଧମକରେ ସମ୍ପର୍କୀୟ ପିଉସା ବାରମ୍ବାର ବଳାତ୍କାର କରିବା ଘଟଣା ସହରରେ ଆଲୋଡ଼ନ ସୃଷ୍ଟି ହୋଇଛ। ପୀଡ଼ିତା ଛାତ୍ରୀ ଜଣକ ଅନ୍ତଃସତ୍ତ୍ୱା ହେବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ପୋକ୍ସୋ ଆଇନ ଅନୁଯାୟୀ ରୁଜୁ କରିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଜାମଦା ବ୍ଲକ ଅଞ୍ଚଳର ଗଣେଶ ମହାକୁଡ଼। ପୀଡ଼ିତାଙ୍କ ବୟାନ ରେକର୍ଡ କରି ପୋଲିସ ହେପାଜତରେ ରଖାଯାଇଛି।
ସୂଚନାଯୋଗ୍ୟ, ଅଭିଯୁକ୍ତ ଗଣେଶ ପୀଡ଼ିତାଙ୍କ ପିଉସୀଙ୍କୁ ବିବାହ କରିବାର କିଛି ଦିନ ପରେ ନିଜ ଘର ଦ୍ୱାର ଛାଡ଼ି ଏବେ ବାରିପଦା ସହରରେ ଶ୍ୱଶୁର ଘରେ ଘରଜ୍ବାଇଁଆ ହୋଇ ରହୁଥିଲେ। ଜନୈକା ନାବାଳିକା ଓ ଗଣେଶଙ୍କ ଶ୍ୱଶୁର ଘର ପାଖାପାଖି ହୋଇଥିବାରୁ ଉଭୟ ପରିବାରଙ୍କ ମଧ୍ୟରେ ଯିବା ଆସିବା ଲାଗି ରହିଥିଲା। ଏହାରି ମଧ୍ୟରେ ପୀଡ଼ିତା ଝିଆରୀଙ୍କ ଉପରେ ଗଣେଶଙ୍କ ଖରାପ ନଜର ରହିଥିଲା। ତେଣୁ ସେ ନାବାଳିକା ଜଣଙ୍କର ଗାଧୋଇବା ବେଳର କିଛି ଭିଡିଓ ନିଜ ମୋବାଇଲରେ ଉତ୍ତୋଳନ କରି ଦେଖାଇବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। ଏପରିକି ସମ୍ପର୍କ ନ ରଖିଲେ ସୋସିଆଲ ମିଡିଆରେ ଭାଇରାଲ କରିବାର ଧମକ ଚମକ ଦେଇ ବଳାତ୍କାର କରିଚାଲିଥିଲା। ତେଣୁ ଏଭଳି ଧମକ ଚମକ ଦେଇ ଅଭିଯୁକ୍ତ ଜଣଙ୍କ ଗତ ଅକ୍ଟୋବର ମାସରୁ ଆଜକୁ ୬ ମାସ ଧରି ବଳାତ୍କାର କରିଆସୁଥିବା ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି। ତେବେ ସେ ଏବେ ୩ ମାସର ଗର୍ଭବତୀ ହେବା ଜାଣିବା ପରେ ନ୍ୟାୟ ପାଇଁ ପରିବାର ଲୋକେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଜାଣିବା ପରେ ପୋଲିସ ଭୟରେ ଘର ଛାଡ଼ି ଲୁଚି ଫେରାର ହୋଇଯାଇଥିବା ସମୟରେ ଅଭିଯୁକ୍ତ ପିଉସାଙ୍କୁ ପୋଲିସ ଗିରଫ କରିଛି।