କୋଚି, ୬।୬ : ବିବାଦୀୟ ମହିଳା ଅଧିକାର କର୍ମୀ ରେହନା ଫତିମାଙ୍କ ବିରୋଧରେ ଏକ ପୋସ୍କୋ ମାମଲାକୁ କେରଳ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ନିଜର ଅର୍ଦ୍ଧନଗ୍ନ ଶରୀର ଉପରେ ଚିତ୍ର ଆଙ୍କିବା ଲାଗି ଫତିମା ତାଙ୍କ ୨ ନାବାଳକ ପିଲାଙ୍କୁ ଅନୁମତି ଦେଇଥିଲେ, ଯାହାର ଏକ ଭିଡିଓ ପ୍ରକାଶ ପାଇଥିଲା। ଏନେଇ ଫତିମାଙ୍କ ବିରୋଧରେ ଶିଶୁ ଯୌନ ନିର୍ଯାତନା ଆଇନ (ପୋକ୍ସୋ)ର ବିଭିନ୍ନ ଧାରା ସମେତ ସୂଚନା ପ୍ରଯୁକ୍ତି ଆଇନ ଏବଂ ଜୁଭେନାଇଲ ଜଷ୍ଟିସ୍ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ନଗ୍ନତାକୁ ଯୌନତା ସହ ଯୋଡ଼ାଯିବା ଉଚିତ ନୁହେଁ ବୋଲି କେରଳ ହାଇକୋର୍ଟ କହିବା ସହ ଫତିମାଙ୍କୁ ଦୋଷମୁକ୍ତ କରିଛନ୍ତି। ଜଣକ ଶରୀର ଉପରେ ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି। ତେବେ ଏହାକୁ ଯୌନତା ଦର୍ଶାଇ ଅନେକ ସମୟରେ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚତ୍ତ କରାଯାଇଥାଏ ବୋଲିି ହାଇକୋର୍ଟ କହିଛନ୍ତି। ୩୩ ବର୍ଷୀୟା ମହିଳା ଅଧିକାର କର୍ମୀ ତାଙ୍କର ଦୁଇ ପିଲାଙ୍କୁ ଶରୀରରେ ଚିତ୍ର ଆଙ୍କିବାକୁ ସୁଯୋଗ ଦେବା ପଛରେ ସେମାନଙ୍କୁ ଯୌନ ସନ୍ତୁଷ୍ଟି ପାଇଁ ବ୍ୟବହାର କରାଯାଇଥିବା କହିବା ସମ୍ଭବ ନୁହେଁ ବୋଲି ଜଷ୍ଟିସ୍ କୌସେର ଏଡ଼ାପ୍ପାଗଠ କହିଛନ୍ତି।